ଢାକା,୨୫/୦୩: ଶେଖ୍‌ ହସିନା ସରକାରର ପତନ ପରେ ବାଂଲାଦେଶର କପଡ଼ା ଶିଳ୍ପ କ୍ଷେତ୍ରକୁ ଭୟଙ୍କର ସଂକଟ ମାଡ଼ିବସିଛି । କମ୍ପାନିମାନେ ଦେଶରେ ନିବେଶ ପାଇଁ ମୁହଁ  ମୋଡ଼ୁଛନ୍ତି । ଏମିତି କି ପୂର୍ବରୁ ବିପୁଳ ପୁଞ୍ଜି ଖଟାଇ  ଲାଭବାନ ହୋଇଥିବା ସଂସ୍ଥାମାନେ ବାଂଲାଦେଶକୁ  ଅଲ୍‌ବିଦା କହିବା ଆରମ୍ଭ କରିଦେଇଛନ୍ତି । 

ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କ ଗାଦିଚ୍ୟୁତ  ହେବାର ୭ ମାସ ପରେ ୧୪୦ରୁ ଅଧିକ କପଡ଼ା  ଫ୍ୟାକ୍ଟ୍ରିରେ ତାଲା ପଡ଼ିସାରିଲାଣି । ଏହାଯୋଗୁ  ୧ ଲକ୍ଷରୁ ଅଧିକ ଲୋକ ବେରୋଜଗାର ହୋଇଯାଇଛନ୍ତି । କେବଳ ଗାଜିପୁର, ସାୱର,  ନାରାୟଣଗଞ୍ଜ ଓ ନର୍ସିନ୍ଦିରେ ୫୦ରୁ ଅଧିକ ପୋଷାକ କାରଖାନା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ପ୍ରାୟ  ୪୦ଟି କାରଖାନା ଅସ୍ଥାୟୀ ଭାବେ ବନ୍ଦ ହୋଇଛି । 

ଅନ୍ୟ କେତେକ କମ୍ପାନିରେ କାର୍ଯ୍ୟରତ ଶ୍ରମିକଙ୍କ ୨ ମାସରୁ ୧୪ ମାସର ବେତନ ବାକି ରହିଛି । ଏହାଯୋଗୁ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି । ଇଦ୍‌ ପରେ ଆହୁରି ଅନେକ ଫ୍ୟାକ୍ଟ୍ରି ବନ୍ଦ ହୋଇପଡ଼ିବା ଆଶଙ୍କା ଉପୁଜିଛି । ଏହାସତ୍ତେ୍ୱ  ସରକାର ଓ ପୋଷାକ ଶିଳ୍ପ ସଂସ୍ଥାଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । 

ବାଂଲାଦେଶ ପୋଷାକ ନିର୍ମାତା ଓ  ରପ୍ତାନିକାରୀ ସଂଘ (ବିଜିଏମ୍‌ଇଏ)ର ସୂତ୍ର  ମୁତାବକ, ୨୦% ଅର୍ଡର ଦେଶରୁ ଅନ୍ୟତ୍ର  ସ୍ଥାନାନ୍ତର ହୋଇଯାଇଛି । ଏବେ ଏହା ପଡ଼ୋଶୀ  ଭାରତ, ଭିଏତନାମ, ଶ୍ରୀଲଙ୍କା, ଇଣ୍ଡୋନେସିଆ  ଓ ପାକିସ୍ତାନକୁ ଚାଲିଯାଇଛି । 

ଗାର୍ମେଣ୍ଟ ଫ୍ୟାକ୍ଟ୍ରି ଅଚାନକ ବନ୍ଦ ହୋଇଯିବା ପଛରେ ଦୁଇଟି ବଡ଼ କାରଣ ଥିବା କୁହାଯାଉଛି ।  ସୂତ୍ର ମୁତାବକ, ଦେଶରେ ଦେଖାଦେଇଥିବା ଏହି ମାନ୍ଦାବସ୍ଥା ସମ୍ପୂର୍ଣ୍ଣ ରାଜନୈତିକ । ଏ ପର୍ଯ୍ୟନ୍ତ ବନ୍ଦ ହୋଇପଡ଼ିଥିବା କପଡ଼ା ଫ୍ୟାକ୍ଟ୍ରି ମଧ୍ୟରୁ ଅଧିକାଂଶ  ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କ ଦଳ ଆୱାମି ଲିଗ୍‌ର  ନେତାଙ୍କ ସହ ଜଡ଼ିତ ରହିଛି । ହସିନାଙ୍କ ବିଦେଶୀ  ନିବେଶ ପରାମର୍ଶଦାତା ସଲମାନ ଏଫ୍‌ ରହମାନଙ୍କ  ବେକ୍ସିମ୍‌କୋ କମ୍ପାନି ବି ବନ୍ଦ ହୋଇଯାଇଛି । 

ଗତ ୭ ମାସ ମଧ୍ୟରେ ବେକ୍ସିମ୍‌କୋର ୧୫ଟି  କାରଖାନା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି ।  ଏହାଛଡ଼ା, ଆୱାମି ଲିଗ୍‌ର ନେତା ଗାଜି ଦସ୍ତଗିରଙ୍କର ଅନେକ କାରଖାନା ବି ବନ୍ଦ  ହୋଇଛି । ଲେବର ନେତା ମହମ୍ମଦ ମିଣ୍ଟୁ କହିଛନ୍ତି,  ବେକ୍ସିମ୍‌କୋ ଗାର୍ମେଣ୍ଟ କମ୍ପାନି ଦେଶର ଏକ ପ୍ରମୁଖ କମ୍ପାନି ଥିଲା । ଏଠାରେ କାମ କରୁଥିବା  ଶ୍ରମିକମାନେ ବେତନ ସାଙ୍ଗକୁ ବୋନସ୍‌ ପାଇ  ଲାଭବାନ ହେଉଥିଲେ । ଏହା ବନ୍ଦ ହୋଇପଡ଼ିବା  ଯୋଗୁ ସମସ୍ୟା ଉପୁଜିଛି । ଅନେକ ବଡ଼ କପଡ଼ା  ବେପାରୀ ଦେଶ ଛାଡ଼ି ପଳାଇଲେଣି । ଏହାଯୋଗୁ  ଆଗକୁ ଆହୁରି ଗମ୍ଭୀର ସମସ୍ୟା ଉପୁଜିବ । 

ପୋଷାକ କ୍ଷେତ୍ରକୁ ବାଂଲାଦେଶ ଅର୍ଥ ବ୍ୟବସ୍ଥାର  ମେରୁଦଣ୍ଡ କୁହାଯାଇଥାଏ । ଏହି ଶିଳ୍ପ ପ୍ରତିବର୍ଷ  ଦେଶର ୮୪% ବିଦେଶୀ ମୁଦ୍ରା ହାସଲ କରିଥାଏ ।  ଏଥିସହ ସିଧାସଳଖ ଭାବେ ୫୦ ଲକ୍ଷ ଓ ପରୋକ୍ଷରେ  ୧.୫ କୋଟି ଲୋକଙ୍କୁ ରୋଜଗାର ଦେଇଥାଏ ।  ବିଶେଷକରି ମହିଳାମାନେ ବହୁ ସଂଖ୍ୟାରେ ଏହି  ଶିଳ୍ପରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ବର୍ତ୍ତମାନର ସଂକଟ  ଅର୍ଥ ବ୍ୟବସ୍ଥାକୁ ଦୋହଲାଇ ଦେଇଛି ।