ଉତ୍ତର ପ୍ରଦେଶ, ୭।୧: ନା ଛୋଟ ପ୍ୟାଣ୍ଟ ପିନ୍ଧିପାରିବେ, ନା ସ୍ମାର୍ଟଫୋନ୍ ବ୍ୟବହାର କରିପାରିବେ । କେବଳ କୁର୍ତା-ପାଇଜାମା ପିନ୍ଧିବାକୁ ଅନୁମତି । କେବଳ ଝିଅ ନୁହେଁ, ପୁଅମାନଙ୍କ ପାଇଁ ମଧ୍ୟ ଲାଗୁ ହୋଇଛି ଏଭଳି ନିୟମ । ଆମେ କହୁଛୁ ପଶ୍ଚିମ ଉତ୍ତର ପ୍ରଦେଶରେ ଖାପ୍ ପଞ୍ଚାୟତର ନିଷ୍ପତ୍ତି ବିଷୟରେ । ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ ସାମାଜିକ ସଂସ୍କାର ପାଇଁ ଏଭଳି କଠୋର ପଦକ୍ଷେପ ନେଇଛି । ପଞ୍ଚାୟତ ସ୍ପଷ୍ଟ କରିଛି ଯେ, ସାମାଜିକ ସୌନ୍ଦର୍ଯ୍ୟର ନିୟମ କେବଳ ଝିଅମାନଙ୍କଠାରେ ସୀମିତ ରହିବ ନାହିଁ ବରଂ ପୁଅମାନଙ୍କ ପାଇଁ ମଧ୍ୟ ସମାନ ଭାବରେ ପ୍ରଯୁଜ୍ୟ ହେବ ।
ଏହି ପରିପ୍ରେକ୍ଷୀରେ ଦୁଇଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି । ପ୍ରଥମଟି ହେଉଛି ୧୮ ବର୍ଷରୁ କମ୍ ବୟସର ପୁଅମାନଙ୍କୁ ସ୍ମାର୍ଟଫୋନ୍ ଦେବା ନିଷେଧ । ଦ୍ୱିତୀୟ ନିଷ୍ପତ୍ତିରେ ପୁଅମାନଙ୍କୁ ଛୋଟ ପ୍ୟାଣ୍ଟ ପିନ୍ଧି ବାହାରକୁ ଯିବା ନିଷେଧ କରାଯାଇଛି । ଖାପ୍ ଚୌଧାରୀମାନେ କହିଛନ୍ତି ଯେ, ଏହା ଆଜିର ଯୁବପିଢ଼ି ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ଏଥିସହ ଛୋଟ ପ୍ୟାଣ୍ଟ ପିନ୍ଧି ବୁଲିବା ସମାଜ ଏବଂ ସଂସ୍କୃତି ବିରୁଦ୍ଧରେ । ସେମାନେ କହିଛନ୍ତି, ଏହି ଅଭ୍ୟାସ ସାଧାରଣ ସାମାଜିକ ଆଚରଣର ଅଂଶ ନୁହେଁ । କେବଳ ଏତିକି ନୁହେଁ, ବିବାହ ଉତ୍ସବ ସମ୍ପର୍କରେ ମଧ୍ୟ ପଞ୍ଚାୟତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା । ବିବାହରେ ଅପବ୍ୟୟ ଖର୍ଚ୍ଚ ଏବଂ ବିବାହ ଉତ୍ସବ ଆୟୋଜନ ଉପରେ ମଧ୍ୟ କଟକଣା ଲଗାଯାଇଛି । ଗାଁ ଏବଂ ଘରେ ବିବାହ କରାଯିବାକୁ ସୁପାରିଶ କରାଯାଇଥିଲା । ସେମାନେ ଯୁକ୍ତି ଦେଇଥିଲେ ଯେ, ମଣ୍ଡପରେ ବିବାହ କଲେ ଏହା ପାରିବାରିକ ସମ୍ପର୍କ ମଧ୍ୟରେ ଦୂରତା ବୃଦ୍ଧି କରୁଛି । ବିବାହ ନିମନ୍ତ୍ରଣ ଏବେ ହ୍ୱାଟ୍ସଆପ୍ ମାଧ୍ୟମରେ ଗ୍ରହଣ କରାଯାଇପାରିବ, ଯାହା ଖର୍ଚ୍ଚ ଏବଂ ସମୟ ଉଭୟ ବଞ୍ଚାଇବ । ଖାପ୍ ଚୌଧାରୀମାନଙ୍କ ମତରେ, ସମାଜ ଏବଂ ସଂସ୍କୃତିକୁ ବଜାୟ ରଖିବା ପାଇଁ ଏହି ପଦକ୍ଷେପଗୁଡ଼ିକ ଆବଶ୍ୟକ ।
ଖାପ୍ ପଞ୍ଚାୟତ ବିଶ୍ୱାସ କରେ ଯେ, ଏହି ନିଷ୍ପତ୍ତିଗୁଡ଼ିକ କେବଳ ବାଗପତ କିମ୍ବା ପଶ୍ଚିମ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ । ଏହାକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଅନ୍ୟ ପଞ୍ଚାୟତ ସହିତ ଯୋଗାଯୋଗ କରାଯିବ । ରାଜସ୍ଥାନର ପଞ୍ଚାୟତଗୁଡ଼ିକରୁ ପ୍ରେରଣା ନେଇ ଏହି ପଦକ୍ଷେପ ନିଆଯାଇଛି । ଖାପ୍ ଚୌଧୁରୀ ବ୍ରଜପାଲ ସିଂହ କହିଛନ୍ତି, ସାରା ରାଜ୍ୟରେ ପୁଅମାନଙ୍କ ପାଇଁ ସ୍ମାର୍ଟଫୋନ୍ ଏବଂ ସର୍ଟସ୍ ଉପରେ ନିଷେଧ ଲାଗୁ କରିବା ପାଇଁ ପ୍ରୟାସ କରାଯିବ । ଖାପ୍ ଚୌଧୁରୀ ଓମପାଲ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, ପୁଅ ଏବଂ ଝିଅ ସମାଜରେ ସମାନ, ତେଣୁ ନିୟମ ଉଭୟଙ୍କ ପାଇଁ ସମାନ ହେବା ଉଚିତ୍ ।