କେନ୍ଦୁଝର,୧୮।୩: ଷ୍ଟ୍ରବେରି ଚାଷ ସାଧାରଣତଃ ଥଣ୍ଡା ଜଳବାୟୁରେ ହେଉଥିବା ବେଳେ ମହାରାଷ୍ଟ୍ର ଓ ଜମ୍ମୁକଶ୍ମୀରରେ ସର୍ବାଧିକ ପରିମାଣରେ ଉତ୍ପାଦନ ହୋଇଥାଏ । ଏହି ଚାଷ କରିବା ପାଇଁ ପ୍ରକୃଷ୍ଠ ସମୟ ହେଲା ସେପ୍ଟେମ୍ବର ଠାରୁ ନଭେମ୍ବର । ଫେବ୍ରୁଆରୀ ମଧ୍ୟରେ ଅମଳ ହୋଇଥାଏ । ଥଣ୍ଡା ପାଗ ଥିଲେ ମାର୍ଚ୍ଚ ପର୍ଯ୍ୟନ୍ତ ଫସଲ ଅମଳ ହେବ । କେନ୍ଦୁଝର ଜିଲ୍ଲାରେ ପ୍ରଥମଥର ପାଇଁ ବ୍ୟବସାୟିକ ଷ୍ଟ୍ରବେରି ଚାଷ ହରିଚନ୍ଦନପୁର ବ୍ଲକ୍ରେ ଗତବର୍ଷ ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ପାହାଡ଼ିଆ ଅଞ୍ଚଳ କୁହାଯାଉଥିବା ବାଂଶପାଳ ବ୍ଲକ୍ରେ ଷ୍ଟ୍ରବେରି ଚାଷ ହୋଇଛି । ଉଦ୍ୟାନ କୃଷି ବିଭାଗ ସହାୟତାରେ ସବୁଠାରୁ ଉପାନ୍ତ ଅଞ୍ଚଳ କୁହାଯାଉଥିବା ବାଂଶପାଳ ବ୍ଲକ୍ କାଦକଳା ଅଞ୍ଚଳରେ କେନ୍ଦୁଝରର ଷ୍ଟ୍ରବେରି ଚାଷ ହୋଇଛି । ଷ୍ଟ୍ରବେରି ଚାଷରେ ୨୨ ଲକ୍ଷ ଟଙ୍କା ରୋଜଗାର କରିବେ ବୋଲି ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ... ଫେଲ୍ ମାରୁଛି ସାକ୍ଷରତା ଅଭିଯାନ, ଲକ୍ଷ୍ୟଠାରୁ ପଛରେ କେନ୍ଦ୍ରୀୟ ଯୋଜନା ‘ଉଲ୍ଲାସ’

ଅନେକ ଫଳ ଓ ପରିବା ଅଛି ଯାହା କି ଓଡ଼ିଶାର ଜଳବାୟୁରେ ପୂର୍ବରୁ ଚାଷ ହେଉନଥିଲା । ଫଳରେ ବାହାର ରାଜ୍ୟ ଏବଂ ବିଦେଶରୁ ଆମଦାନୀ କରିବାକୁ ପଡୁଥିଲା । ମାତ୍ର ଏବେ ସମୟ ବଦଳିଛି । ଅନେକ ବିଦେଶୀ ଫଳ ଓଡ଼ିଶାରେ ଚାଷ ହୋଇପାରୁଛି । ଏଥିପାଇଁ ବୈଷୟିକ ଜ୍ଞାନର ତାଲିମ ନେବାକୁ ପଡୁଛି । ଓଡ଼ିଶାରେ କନ୍ଧମାଳ ସହିତ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଷ୍ଟ୍ରବେରି ଚାଷରେ ସଫଳତା ମିଳିଥିବା ବେଳେ ଗତବର୍ଷ କେନ୍ଦୁଝରରେ ପ୍ରଥମ କରି ବ୍ୟବସାୟିକ ଭାବେ ଷ୍ଟ୍ରବେରି ଚାଷ ଆରମ୍ଭ ହୋଇଥିଲା । ଏହି ଜିଲ୍ଲାର ହରିଚନ୍ଦନପୁର ବ୍ଲକରେ ୧୦ ଏକର ଜମିରେ ମହିଳାମାନଙ୍କ ଦ୍ୱାରା ପରୀକ୍ଷାମୂଳକ ଭାବେ ଷ୍ଟବେରି ଚାଷ କରି ସଫଳତା ମିଳିଥିଲା । ଚଳିତବର୍ଷ ଉଦ୍ୟାନ କୃଷି ବିଭାଗ ଉଦ୍ୟମରୁ ବାଂଶପାଳରେ ୧.୫ ହେକ୍ଟର ଜମିରେ ୪ ଜଣ ମହିଳା ଷ୍ଟ୍ରବେରି ଚାଷ କରି ସଫଳତା ଅର୍ଜନ କରିଛନ୍ତି । ରାଜ୍ୟ ବିହନ ନିଗମ ପକ୍ଷରୁ ଉନ୍ନତମାନର ବିହନ କିଣାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି । ଦେଢ଼ ହେକ୍ଟର ଜମିରେ ମୋଟ ୮୮ ହଜାର ଚାରା ରୋପଣ କରାଯାଇଛି । ପ୍ରତି ଚାରା ପିଛା ଉଦ୍ୟାନ୍ କୃଷି ବିଭାଗ ୧୧ଟଙ୍କା ୬୧ ପଇସାରେ କିଣି ଚାଷୀଙ୍କୁ ଯୋଗାଇ ଦେଇଛି । ମୋଟ ୧୦ ଲକ୍ଷ ୨୧ ହଜାର ୬୮୦ ଟଙ୍କାର ବିହନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ।

ଏହାସହିତ ଚାଷୀମାନଙ୍କୁ ଉତ୍ପାଦନ ପାଇଁ ୭୬ ହଜାର ୫ଶହ ଟଙ୍କା ରିହାତି ଦିଆଯାଇଛି । ମହିଳା ଚାଷୀ ଯୁବତୀ ପାତ୍ର, ସୁଷମା ପ୍ରଧାନ, ଉର୍ମିଳା ପ୍ରଧାନ ଏବଂ ମିନତି ପ୍ରଧାନ ଚାଷ ସମ୍ପର୍କରେ ତାଲିମ ନେଇଛନ୍ତି । ମାଟିହୁଡାରେ ପଲିଥିନ ଢାଙ୍କିବା ବା ମଲଚିଂ କରିବା ସହ ଷ୍ଟ୍ରବେରି ଚାଷର ଯତ୍ନ, ଅମଳ ଓ ପ୍ୟାକିଂ ସମ୍ପର୍କରେ ତାଲିମ ଦିଆଯାଇଥିଲା । ଚଳିତମାସ ଠାରୁ ଦୈନିକ ଷ୍ଟ୍ରବେରି ଅମଳ ହେଉଛି । ପ୍ରତି ଗଛରେ ଚଳିତବର୍ଷ ୪ଶହ ଗ୍ରାମ ପର୍ଯ୍ୟନ୍ତ ଫଳ ଉତ୍ପାଦନ ହେବା ଲକ୍ଷ୍ୟ ରହିଛି ବୋଲି ଉଦ୍ୟାନ୍ କୃଷି ଉପ ନିର୍ଦ୍ଦେଶକ ସୌମେନ୍ଦ୍ର ପାରିଗ୍ରାହୀ କହିଛନ୍ତି । ଏବେ ଦୈନିକ ୨୫ କିଲୋଗ୍ରାମ ପର୍ଯ୍ୟନ୍ତ ଫଳ ଅମଳ ହେଉଛି । ଏଥିପାଇଁ କେନ୍ଦୁଝର ସହରର ପ୍ରମୁଖ ସ୍ଥାନରେ ଅସ୍ଥାୟୀ ଷ୍ଟଲ ମହିଳା ଉତ୍ପାଦିକା ଗୋଷ୍ଠୀ ପକ୍ଷରୁ କରାଯାଇଛି । ୨୨୦ ଗ୍ରାମ ଷ୍ଟ୍ରବେରିର ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି । ପ୍ରତ୍ୟେକ ଚାରାରୁ ୩ ବର୍ଷ ପର୍ଯ୍ୟନ୍ତ ଷ୍ଟ୍ରବେରି ଫଳିବ । ଚଳିତବର୍ଷ ୪ ଜଣ ଚାଷୀ କରିଥିବା ଷ୍ଟ୍ରବେରିରୁ ୨୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଷ୍ଟ୍ରବେରି ଚାଷରୁ ସଫଳା ମିଳିବା ପରେ ଆସନ୍ତାବର୍ଷ ଜିଲ୍ଲାର ଅନ୍ୟ ବ୍ଲକ୍ ଅଞ୍ଚଳରେ ମଧ୍ୟ ଚାଷ କରାଯିବା ଲକ୍ଷ୍ୟ ରହିଛି । ଷ୍ଟ୍ରବେରି ବେଶୀ ଶୀତ କିମ୍ବା ଗ୍ରୀଷ୍ଟ ପୂର୍ବରୁ ଅମଳ ହୋଇଥାଏ । ଥରେ ଚାରାରୋପଣ କଲେ ୩ ବର୍ଷ ପର୍ଯ୍ୟନ୍ତ ଫଳ ହେଉଥିବାରୁ ଚାଷୀମାନେ ଲାଭବାନ ହେବେ ବୋଲି ସେ କହିଥିଲେ ।