କଟକ, ୯/୧୨ : ବାରବାଟୀରେ ମୁହାଁମୁହିଁ ହେବ ଭାରତ-ଦକ୍ଷିଣ ଆଫ୍ରିକା। ଚାତକ ପରି ଚାହିଁ ବସିଛନ୍ତି କ୍ରିକେଟ୍ ପ୍ରେମୀ। ସମୟ ଯେତିକି ଗଡ଼ୁଛି ଉତ୍କଣ୍ଠା ସେତିକି ବଢୁଛି। ଟି-ଟ୍ୱେଣ୍ଟିରେ ଏଥର ମାତ୍ର ୪୨ ହଜାର ଦର୍ଶକ ଷ୍ଟାଡିୟମରେ ବସି ମ୍ୟାଚ ଦେଖିପାରିବେ। ୨୩ ହଜାର ଟିକେଟ ବିକ୍ରି ହୋଇଛି । ୧୮ ହଜାର ୪ଶହ କମ୍ପ୍ଲିମେଣ୍ଟାରୀ ପାସ୍ ଆକାରରେ ବଣ୍ଟାଯାଇଛି। ୨୩ ହଜାର ଟିକେଟ ମଧ୍ୟରୁ ୧୧ ହଜାର ଅନୁବନ୍ଧିତ ୟୁନିଟ୍ କିଣିଥିଲେ । ୨ ହଜାର ଅନ୍ଲାଇନ୍ ଓ ୧୦ ହଜାର ଟିକେଟ କାଉଣ୍ଟରରେ ବିକ୍ରି ହୋଇଛି । ଗତ ମ୍ୟାଚରେ ସାଧାରଣ ଲୋକଙ୍କ ଲାଗି ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ୧୫ହଜାର ୮୦ ଖଣ୍ଡ ଟିକେଟ ବିକ୍ରି କରାଯାଇଥିଲା । ଏଥର କିନ୍ତୁ ୩ ହଜାର ଟିକେଟ କମିଯାଇଛି । ପୁଲିସ୍ କମିଶନରଙ୍କ ନିର୍ଦ୍ଦେଶରେ ବାରବାଟୀ ଷ୍ଟାଡିୟମ୍ ଗ୍ୟାଲେରୀରେ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଓସିଏକୁ ସିଟ୍ ମାପ ବଢ଼ାଇବାକୁ ଚିଠି କରାଯାଇଥିଲା । ପୂର୍ବରୁ ବାରବାଟୀ ଷ୍ଟାଡିୟମ୍ ଗ୍ୟାଲେରୀ ସିଟ୍ ୧୯ ଇଞ୍ଚ୍ ରହିଥିବା ବେଳେ ଏବେ ଏହାକୁ ୨୨ ଇଞ୍ଚ୍ କରାଯାଇଛି । ଏହାସହିତ ପ୍ରତି ଗ୍ୟାଲେରୀରେ ଆପତ୍ତକାଳୀନ ସ୍ଥିତିରେ ଲୋକଙ୍କୁ ଉଦ୍ଧାର କରିବାକୁ ‘ପାଥ୍ୱେ’ କରାଯାଇଛି । ଟିକେଟ୍ କମିବା ଯୋଗୁ ଦର୍ଶକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା ।
ଟିମ୍ ଇଣ୍ଡିଆର ଦୁଇ ପ୍ରମୁଖ ବ୍ୟାଟର ବିରାଟ କୋହଲି ଓ ରୋହିତ ଶର୍ମା ଉଭୟ ଟି-ଟ୍ୱେଣ୍ଟି ଏବଂ ଟେଷ୍ଟରୁ ଅବସର ନେଇ ସାରିଛନ୍ତି । ଉଭୟ କେବଳ ଦିନିକିଆ ଖେଳୁଛନ୍ତି । ବାରବାଟୀ ଟି-ଟ୍ୱେଣ୍ଟିରେ ଉଭୟ ଖେଳିବେ ନାହିଁ । ଉଭୟଙ୍କ ପ୍ରଶଂସକ ଅନ୍ୟମାନଙ୍କ ତୁଳନାରେ ଢ଼େର ଅଧିକ । ଷ୍ଟାଡିୟମ ବାହାରେ ବିଭିନ୍ନ ଖେଳାଳିଙ୍କ ଜର୍ସି ବିକ୍ରି କରାଯାଉଥିବା ବେଳେ କୋହଲି ଓ ରୋହିତଙ୍କ ନାମ ଲେଖା ଜର୍ସିର ଚାହିଦା ଅଧିକ ରହିଛି । ଜର୍ସି ଗୁଡ଼ିକ ୧୫୦ଟଙ୍କାରେ ବିକ୍ରି କରାଯାଉଛି ।