କଟକ,୧୧/୧୨; ଭାରତର ସପ୍ତମ ବୃହତ କ୍ରିକେଟ ଷ୍ଟାଡିୟମ୍ ଭାବେ ପରିଚିତ ଥିଲା କଟକର ବାରବାଟୀ ଷ୍ଟାଡିୟମ୍ । ଏଥର ୩ହଜାର ସିଟ୍ କମିଲା, ବାରବାଟୀର ସ୍ଥାନ ଖସି ନଅ ନମ୍ବରକୁ ଖସିଲା । ଷ୍ଟାଡିୟମ୍‌ରେ ସିମେଣ୍ଟ ସିଡି ଓ ପ୍ଲାଷ୍ଟିକ୍ ଚେୟାରରେ ବସୁଛନ୍ତି ଦର୍ଶକ । ଖେଳାଳିଙ୍କ ପାଇଁ ଅତ୍ୟାଧୁନିକ ଡ୍ରେସିଂରୁମ୍ ବି ନାହିଁ । ଷ୍ଟାଡିୟମ୍‌ର ସୁରକ୍ଷା ଦୃଷ୍ଟିରୁ ଏକାସଙ୍ଗେ ୫୦ହଜାର ଦର୍ଶକଙ୍କୁ ନେଇ ମ୍ୟାଚ ଆୟୋଜନ କରିବାକୁ ଆୟୋଜକଙ୍କ ଛାତି ଧଡ଼ଧଡ଼ ହେଉଛି । ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରସବୁ ଷ୍ଟାଣ୍ଡ୍ ଏବଂ ଗ୍ୟାଲେରୀର ଆୟୁଷ ପାଖାପାଖି ୭୫ବର୍ଷ ପୂରିଲାଣି ।

୧୯୫୦ ମସିହାରେ ଗ୍ୟାଲେରୀ ନମ୍ବର-୧ ପାଇଁ ଶୁଭପଡ଼ିଲା ଓ ବର୍ଷେ ଭିତରେ କାମ ସରିଲା । ଦ୍ୱିତୀୟ ଗ୍ୟାଲେରୀ ହେଲା ୧୯୫୮ରେ ଯାହାକୁ ଏବେ ସାଧାରଣ ଦର୍ଶକ ୩ ନମ୍ବର ଗ୍ୟାଲେରୀ ବୁଝୁଛନ୍ତି । ୧୯୫୯ରେ କ୍ଲବ୍ ହାଉସ୍, ୧୯୬୪ରେ ଗ୍ୟାଲେରୀ ନମ୍ବର-୫ କରାଗଲା । କ୍ଲକ୍ ଟାୱାର୍ ବି ୧୯୬୭ ମସିହା ବେଳକୁ ସରିଯାଇଥିଲା । ଏତେ ପୁରୁଣା ନିର୍ମାଣ ଉପରେ ୫୦ହଜାର ଦର୍ଶକଙ୍କୁ ନେଇ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ କରିବା ବିପଜ୍ଜନକ ନୁହେଁ କି? ଯଦିଓ ଆଇଆଇଟି ଭୁବନେଶ୍ୱର ଓ ପୂର୍ତ୍ତ ବିଭାଗ ମ୍ୟାଚ ପୂର୍ବରୁ ଷ୍ଟାଡିୟମ୍ ନିର୍ମାଣ ସର୍ବେକ୍ଷଣ ରିପୋର୍ଟରେ ଗ୍ରୀନ୍ ସିଗ୍ନାଲ୍ ଦେଇଛନ୍ତି, ତଥାପି ଭବିଷ୍ୟତକୁ ଦୃଷ୍ଟିରେ ରଖି ବାରବାଟୀ ଷ୍ଟାଡିୟମ୍ ନବକଳେବର ଲୋଡୁଛି ।

ମଙ୍ଗଳବାର ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀର ନବକଳେବର କରାଯିବା ନେଇ ସଙ୍କେତ ଦେଇଛନ୍ତି। କହିଛନ୍ତି, ‘ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ତରଫରୁ ଷ୍ଟାଡିୟମ୍ର ସିଟ୍ ବୃଦ୍ଧି ନେଇ ପ୍ରସ୍ତାବ ଦିଆଯାଇଛି । ରାଜ୍ୟ ସରକାର ମଧ୍ୟ ବିଚାର କରୁଛନ୍ତି ।’ ମୁଖ୍ୟମନ୍ତ୍ରୀଙ୍କ ଏ ମନ୍ତବ୍ୟ ପରେ ଷ୍ଟାଡିୟମ୍ର ନବକଳେବର ନେଇ ଏକପ୍ରକାର ବାଟ ଖୋଲିଛି ବୋଲି କୁହାଯାଇପାରେ । ଓସିଏ ମଧ୍ୟ ଆର୍ଥିକ ବିନିଯୋଗ କରିବାକୁ ସକ୍ଷମ । ତେଣୁ ବିସିସିଆଇ ଅନୁଦାନରେ ଷ୍ଟାଡିୟମ୍ର ନବକଳେବର କରାଯାଇପାରେ ।

ଭାରତରେ ୮୧ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ ରହିଛି । କିନ୍ତୁ ସେଥିରୁ ପ୍ରାୟ ୩୦ଟିରେ ନିୟମିତ ମ୍ୟାଚ୍ କରାଯାଉଛି । ଭାରତର ସର୍ବବୃହତ୍ କ୍ରିକେଟ ଷ୍ଟାଡିୟମ୍ ତାଲିକାରେ ବାରବାଟୀ ଷ୍ଟାଡିୟମ୍ ୭ନମ୍ବରରେ ଥିଲା । ଦର୍ଶକ ଧାରଣ କ୍ଷମତା ଦୃଷ୍ଟିରୁ ଦେଖିଲେ ଅହମ୍ମଦାବାଦ୍ର ନରେନ୍ଦ୍ର ମୋଦି ଷ୍ଟାଡିୟମ୍(୧ଲକ୍ଷ ୩୨ହଜାର), କୋଲକାତାର ଇଡେନ୍ ଗାର୍ଡେନ୍(୬୮ହଜାର), ଛତିଶଗଡ଼ ରାୟପୁରର ସହିଦ୍ ବୀରନାରାୟଣ ସିଂ ଷ୍ଟାଡିୟମ୍(୬୫ହଜାର), ଲକ୍ଷ୍ନୌ  ବିଆର୍‌ଏସ୍ଏବିଭି ଏକାନା ଷ୍ଟାଡିୟମ୍(୫୦ହଜାର), କେରଳର ଗ୍ରୀନ୍ଫିଲ୍ଡ ଷ୍ଟାଡିୟମ୍(୫୦ହଜାର), ଝାଡଖଣ୍ଡର ଜେଏସ୍ସିଏ ଷ୍ଟାଡିୟମ୍(୫୦ହଜାର) ରହିଛି । ଗତ ଭାରତ-ଦ.ଆଫ୍ରିକା ଟି-୨୦ରେ ଗ୍ୟାଲେରୀ ମାପ ପରିବର୍ତ୍ତନ କରାଯାଇ ୧୯ ଇଞ୍ଚ୍ରୁ ୨୨ ଇଞ୍ଚ୍ କରାଯିବା ଯୋଗୁଁ ସିଟ୍ ପ୍ରାୟ ୩ହଜାର କମି ୪୨ହଜାରକୁ ଖସିଆସିଛି । ଫଳରେ ବିଦର୍ଭ କ୍ରିକେଟ ଷ୍ଟାଡିୟମ୍ (୪୪ହଜାର ୯୦୪) ଓ ମହାରାଷ୍ଟ୍ରର ଏମ୍ସିଏ ଷ୍ଟାଡିୟମ୍ (୪୨ହଜାର ୭ଶହ) ବାରବାଟୀକୁ ଟପିଯାଇଛନ୍ତି ।

ବାରବାଟୀ ଷ୍ଟାଡିୟମ୍‌ର ଦର୍ଶକ ଧାରଣ କ୍ଷମତା ୬୦ହଜାର କରିବାକୁ ଓସିଏ ତରଫରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହା ହେଲେ ଭାରତର ଚତୁର୍ଥ ବୃହତ ଷ୍ଟାଡିୟମ୍ ଭାବେ ମାନ୍ୟତା ପାଇବ ବାରବାଟୀ । ଯାହାଫଳରେ ନିୟମିତ ମ୍ୟାଚ୍ ମିଳିବାର ସମ୍ଭାବନା ବଢିବ । ବାରବାଟୀକୁ ଟେଷ୍ଟ କ୍ରିକେଟ ମଧ୍ୟ ଫେରିବାର ବାଟ ଫିଟିବ । ଷ୍ଟାଡିୟମ୍ର ବିକାଶ ହେଲେ ଗ୍ୟାଲେରୀରେ ଦର୍ଶକଙ୍କ ପାଇଁ ସ୍ଥାୟୀ ଚେୟାର ବ୍ୟବସ୍ଥା, ଖେଳାଳିଙ୍କ ପାଇଁ ଅତ୍ୟାଧୁନିକ ଡ୍ରେସିଂରୁମ୍, ଭେଣ୍ଡିଂ ଜୋନ୍, ପାର୍କିଂ ଜୋନ୍, ଖେଳାଳିଙ୍କ ପାଇଁ ରିଫ୍ରେସ୍ ସେଣ୍ଟର ଆଦି ପ୍ରତିଷ୍ଠା ସମ୍ଭବ ହୋଇପାରିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରକାଶ କରିଛନ୍ତି ।