କଟକ,୨୭/୦୩: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସିର ଖବର । ବାରବାଟୀ ଷ୍ଟାଡିୟମ୍ରେ ପୁଣି ଏକ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ଡିସେମ୍ବର ୨୪ ତାରିଖରେ ସାମ୍ନାସାମ୍ନି ହେବେ ଭାରତ ଓ ଶ୍ରୀଲଙ୍କା । ଶେଷଥର ପାଇଁ ୨୦୨୫ ଡିସେମ୍ବର ୯ରେ ଏଠାରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ଖେଳାଯାଇଥିଲା । ଭାରତ ୧୦୧ ରନ୍ରେ ବୃହତ୍ ବ୍ୟବଧାନରେ ବିଜୟୀ ହୋଇଥିଲା ।
ମ୍ୟାଚ୍ ସଂପର୍କରେ ସୂଚନା ମିଳିବା ପରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, “ବାରବାଟୀରେ ଅତୀତରେ ଅନେକ ମ୍ୟାଚ୍ ସଫଳତାର ସହ ଆୟୋଜିତ ହୋଇଛି । ହାଇସ୍କୋରିଂ ଭେନ୍ୟୁ ହୋଇଥିବାରୁ ଟି-ଟ୍ୱେଣ୍ଟି ପାଇଁ କଟକ ସବୁବେଳେ ବିସିସିଆଇର ପସନ୍ଦ ରହୁଛି । ଏଭଳି ସ୍ଥିତିରେ ନିକଟରେ ବିସିସିଆଇ ସଭାପତି, ସମ୍ପାଦକଙ୍କ ସହ ମୋର ଏକ ବୈଠକ ହୋଇଥିଲା । ବାରବାଟୀକୁ ମ୍ୟାଚ୍ ଦେବା ପାଇଁ ଅନୁରୋଧ କରିଥିଲି । ଯାହା ହେଉ ଏବେ ସେ ସୁଯୋଗ ପୁଣି ମିଳିଲା । ପୂର୍ବଭଳି ଓଡ଼ିଶା ସରକାରଙ୍କ ସହଯୋଗ ଆଶା କରିବୁ ।” ବିସିସିଆଇର ୨୦୨୬- ୨୭ ଘରୋଇ ଅନ୍ତର୍ଜାତୀୟ ସୂଚୀରେ ଶ୍ରୀଲଙ୍କା ଦଳ ୩ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳିବା ପାଇଁ ଡିସେମ୍ବରରେ ଭାରତ ଗସ୍ତରେ ଆସିବ । ଡିସେମ୍ବର ୨୨ରେ ରାଜକୋଟରେ ପ୍ରଥମ, ୨୪ରେ କଟକରେ ଦ୍ୱିତୀୟ ଏବଂ ୨୭ରେ ପୁନେରେ ଅନ୍ତିମ ଟି-ଟ୍ୱେଣ୍ଟି ଖେଳାଯିବ ।
ଅଧିକ ପଢ଼ନ୍ତୁ :- ଟି-୨୦ ବିଶ୍ବକପ ୨୦୨୬ରୁ ବାଦ୍ ପଡ଼ିବା ଘଟଣା : ଦୀର୍ଘଦିନ ପରେ ଏମିତି କହିଲେ ଗିଲ୍..