ନୂଆଦିଲ୍ଲୀ,୧୫/୦୫; ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ୍ ଜାରି ରହିଛି । ଏହାରି ଭିତରେ ଭାରତୀୟ କ୍ରିକେଟ୍ ଟିମକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଆଗାମୀ ଆଫଗାନିସ୍ତାନ ବିପକ୍ଷ ଘରୋଇ ସିରିଜ ପାଇଁ ଚୟନ କମିଟି ଆସନ୍ତା ୧୯ ତାରିଖରେ ଭାରତୀୟ ଦଳ ଘୋଷଣା କରିବାର ସମ୍ଭାବନା ରହିଛି । ଭାରତ ଗସ୍ତରେ ଆଫଗାନିସ୍ତାନ ଗୋଟିଏ ଟେଷ୍ଟ ଓ ୩ଟି ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏଥିରେ କାହାକୁ ସୁଯୋଗ ମିଳିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଏହି ଟେଷ୍ଟ ମ୍ୟାଚଟି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଅନ୍ତର୍ଗତ ନଥିଲେ ହେଁ ଚୟନ କମିଟି ଏକ ଶକ୍ତିଶାଳୀ ଦଳ ଗଠନ କରିବାକୁ ଯୋଜନା କରୁଛି । ତଥାପି ପ୍ରମୁଖ ବୋଲରଙ୍କୁ ଏହି ଟେଷ୍ଟରୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦେବାକୁ ଯୋଜନା କରାଯାଉଥିବାରୁ ମହମ୍ମଦ ସାମିଙ୍କୁ ଡ଼ାକରା ମିଳିବାର ଆଶା ଉଦ୍ରେକ ହୋଇଛି । ଚେନ୍ନାଇ ପକ୍ଷରୁ ଆଇପିଏଲ୍‌ ଖେଳୁଥିବା ବାମ ହାତି ପେସ୍‌ ବୋଲର ଗୁରନୂର ବ୍ରାର ଓ ଦିଲ୍ଲୀ ଦଳର ସଦସ୍ୟ ଆକିବ ନବିଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିବା ଆଶା କରାଯାଉଛି । ଉଭୟ ଗତ ରଣଜୀ ଟ୍ରଫିରେ ଦମ୍‌ଦାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । 

ଏହା ବି ପଢନ୍ତୁ...ଘରୋଇ କୋଚଙ୍କୁ ଭରସା କଲାନି ହକି ଇଣ୍ଡିଆ, ଶ୍ରୀଜେଶଙ୍କ ସ୍ଥାନରେ ଫ୍ରେଡେରିକ ନୂଆ ଜୁନିୟର ପ୍ରଶିକ୍ଷକ  

ସ୍ପିନ ବୋଲିଂ ଅଲ୍‌ରାଉଣ୍ଡର ସ୍ଥାନ ପାଇଁ ପୁଣି ଥରେ ରବିନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ । ବାକି ଦଳ ଅପରିବର୍ତ୍ତିତ ରହିବ । ଦିନିକିଆ ଦଳରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । କେବଳ ଶ୍ରେୟାସ ଆୟର ଫେରିବା ଆଶା କରାଯାଉଛି । ଦ୍ୱିତୀୟ ୱିକେଟ୍‌ କିପର ସ୍ଥାନ ପାଇଁ ସଞ୍ଜୁ ସାମସନ, ରିଷଭ ପନ୍ତ ଓ ଇଶାନ କିଷନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । କେଏଲ ରାହୁଲ ଦିନିକିଆ ଦଳରେ ମୁଖ୍ୟ ୱିକେଟ୍‌ କିପର ରହିବେ ।