ନୂଆଦିଲ୍ଲୀ,୧୫/୦୫; ହକି ଇଣ୍ଡିଆର ବଡ଼ ଘୋଷଣା । ପିଆର ଶ୍ରୀଜେଶଙ୍କ ସହ ବିବାଦ ଭିତରେ ନୂଆ ହକି କୋଚ୍ ନିଯୁକ୍ତ କଲା ହକି ଇଣ୍ଡିଆ । ହଟିଲେ ଦେଶୀ ଆସିଲେ ବିଦେଶୀ ପ୍ରଶିକ୍ଷକ । ଘରୋଇ କୋଚଙ୍କୁ ଭରସା କଲାନି ହକି ଇଣ୍ଡିଆ । ଶ୍ରୀଜେଶଙ୍କ ସ୍ଥାନରେ ଫ୍ରେଡେରିକଙ୍କୁ ନୂଆ ଜୁନିୟର ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି ହକି ଇଣ୍ଡିଆ । ପୂର୍ବତନ ଫରାସୀ ଖେଳାଳି ଫ୍ରେଡେରିକ୍ ସୋୟେଜଙ୍କୁ ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି, ଯିଏ ଦୁଇ ଥର ଅଲିମ୍ପିକ୍ ପଦକ ବିଜେତା ପିଆର ଶ୍ରୀଜେଶଙ୍କ ଠାରୁ ଦାୟିତ୍ୱ ନେବେ ।
ଭାରତୀୟ ଜୁନିୟର ପୁରୁଷ ହକି ଦଳର କୋଚ ଥିଲେ ଅଲିମ୍ପିକ୍ସ ପଦକ ବିଜେତା ଗୋଲକିପର ପିଆର ଶ୍ରୀଜେଶ । କିନ୍ତୁ ତାଙ୍କ ସହ ଚୁକ୍ତି ନବଢ଼ାଇ ଦିନକ ପରେ ଜଣେ ନୂଆ କୋଚଙ୍କୁ ନିଯୁକ୍ତ କରିଛି ହକି ଇଣ୍ଡିଆ । ସେ ହେଉଛନ୍ତି ଫ୍ରାନ୍ସର ଫ୍ରେଡେରିକ ସୋୟେଜ । ଅନ୍ତର୍ଜାତୀୟ କ୍ୟାରିୟରରୁ ଅବସର ନେବା ପରେ ଶ୍ରୀଜେଶ ଜୁନିୟର ଦଳର କୋଚ ନିଯୁକ୍ତ ହୋଇଥିଲେ । ସେ ମାତ୍ର ୧ ବର୍ଷ ୫ ମାସ କୋଚ ଦାୟିତ୍ୱରେ ରହିଥିଲେ । ଏହି ସମୟରେ ଭାରତୀୟ ଦଳ ୫ଟି ଟୁର୍ଣ୍ଣାମେଣ୍ଟ ଖେଳି ସବୁଥିରେ ପୋଡିୟମ ଫିନିସ କରିବାରେ ସଫଳ ହୋଇଥିଲା । ଜୁନିୟର ବିଶ୍ୱକପ୍ରେ ଦଳ ବ୍ରୋଞ୍ଜ ପଦକ ଜିତିଥିଲା । ଏହା ସତ୍ତେ୍ୱ ବି ହକି ଇଣ୍ଡିଆ ଶ୍ରୀଜେଶଙ୍କ ଉପରେ ଭରସା ନକରି ବିଦେଶୀ କୋଚଙ୍କ ଉପରେ ଆସ୍ଥା ସ୍ଥାପନ କରିଛି ।
ଏହା ବି ପଢନ୍ତୁ...ପରାଜୟକୁ ଏଡ଼ାଇ ପାରିଲାନି ପଞ୍ଜାବ, ମୁମ୍ବାଇକୁ ଜିତାଇଲେ ତିଲକ
ନୂଆ ମୁଖ୍ୟ ପ୍ରଶିକ୍ଷକ ଫ୍ରେଡେରିକ୍ କିଏ ? ଭାରତୀୟ ଜୁନିଅର ହକି ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଫ୍ରେଡେରିକ୍ ସୋୟେଜ୍ ଙ୍କ ବିଷୟରେ କହିବାକୁ ଗଲେ, ତାଙ୍କୁ ୟୁରୋପୀୟ ହକିର ସର୍ବୋତ୍ତମ ପ୍ରଶିକ୍ଷକମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ । ୧୯୯୫ ରୁ ୨୦୧୦ ପର୍ଯ୍ୟନ୍ତ ଫ୍ରାନ୍ସ ପାଇଁ ମୋଟ ୧୯୬ ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୧୯୫ଟି ଗୋଲ ସ୍କୋର କରିଥିଲେ ।ଫ୍ରେଡେରିକ ୧୫ ବର୍ଷ ସ୍ପେନ ଦଳ ପାଇଁ ଖେଳିଥିଲେ । ଅବସର ନେବା ପରେ ସେ ଦୀର୍ଘ ୧୫ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ପ୍ରଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କ ପ୍ରଶିକ୍ଷଣରେ ସ୍ପେନ ୨୦୧୩ ଜୁନିୟର ବିଶ୍ୱକପ୍ରେ ରୌପ୍ୟ ଜିତିଥିଲା । ସ୍ପେନର ପ୍ରଶିକ୍ଷକ ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ଦଳ ୨୦୧୯ ୟୁରୋପୀୟ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିଲା । ଫ୍ରେଡେରିକ୍ ସୋୟେଜ୍ ୨୦୧୬, ୨୦୨୦ ଏବଂ ୨୦୨୪ ଅଲିମ୍ପିକ୍ ଗେମ୍ସ, ଏବଂ ୨୦୧୮ ଏବଂ ୨୦୨୩ ହକି ବିଶ୍ୱକପ୍ ମଧ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ, ସୋୟେଜ୍ ୨୦୧୩, ୨୦୧୫, ୨୦୧୭, ୨୦୧୯, ୨୦୨୧ ଏବଂ ୨୦୨୩ ବର୍ଷରେ ୬ଟି ୟୁରୋପୀୟ ଚାମ୍ପିଅନସିପରେ ମଧ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି ।
ବିଦେଶୀ କୋଚ ନିଯୁକ୍ତି ଦିଆଯିବାର ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏବେଠୁ ତୃଣମୂଳସ୍ତରରୁ ପ୍ରତିଭା ଅନ୍ୱେଷଣ କରି ସେମାନଙ୍କୁ ୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରିବା ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି । ଶ୍ରୀଜେଶ ଗତକାଲି ସୋସିଆଲ ମିଡିଆରେ ଏକ ଭଲ ପ୍ରଶ୍ନ ଉତ୍ଥାପନ କରିଥିଲେ । ସେ କହିଥିଲେ, ‘ଭାରତୀୟ ପ୍ରଶିକ୍ଷକମାନେ କ'ଣ ଭାରତୀୟ ହକିକୁ ବିକଶିତ କରିପାରିବେ ନାହିଁ ?’ ଅର୍ଥାତ ଦୀର୍ଘ ବର୍ଷ ଅନ୍ତର୍ଜାତୀୟ ହକି ଖେଳିବା ପରେ କ୍ରମାନ୍ୱୟରେ ଦ୍ୱିତୀୟ ଥର ଦଳକୁ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତାଇ ଥିଲେ ଶ୍ରୀଜେଶ । ଏହାସ ତ୍ତେ୍ୱ ବି କେଉଁ ଅଭିଜ୍ଞତାର କମ ରହିଲା ଯେ ହକି ଇଣ୍ଡିଆ ତାଙ୍କ ଉପରେ ଭରସା କରିପାରିଲା ନାହିଁ ?