ମୁମ୍ବାଇ, ୦୮/୦୫: ଇଣ୍ଡିଆ ପ୍ରିମିୟର ଲିଗ୍ କୁ ହନିଟ୍ରାପ୍ ଭୟ । ଆଇପିଏଲ୍ ସିଜିନ୍ ଅଧାରେ ବିସିସିଆଇ ଜାରି କଲା କଡ଼ା ଆଦେଶ । ଏହି ନିର୍ଦ୍ଦେଶନାମା ସମସ୍ତ ଫ୍ରାଞ୍ଚାଇଜ୍ ପାଇଁ ଜାରି ହୋଇଛି । ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ଧ୍ୟାନରେ ରଖି ବିସିସିଆଇ ଏହି ନୂଆ ନିୟମ ଆଣିଛି । ଏଥିରେ ଖେଳାଳି ରହୁଥିବା ହୋଟେଲକୁ ଆସୁଥିବା ସମସ୍ତ ଅତିଥି ଏବଂ ଭିଜିଟର୍ସଙ୍କ ନଜର ରଖିବାକୁ କୁହାଯାଇଛି ।

ବିସିସିଆଇ ସଚିବ ଦେବଜିତ ସାଇକିଆ ଫ୍ରାଞ୍ଚାଇଜିମାନଙ୍କୁ ଲେଖି ଚିଠି କହିଛନ୍ତି, IPL ଅପରେସନ୍ସ ଟିମ୍ ସମୟ ସମୟରେ ଯାଞ୍ଚ କରିବେ କି ନୂତନ ନିର୍ଦ୍ଦେଶାବଳୀକୁ ସଠିକ୍ ଢଙ୍ଗରେ ପାଳନ କରାଯାଉଛି କି ନାହିଁ । ଏହା ସହ ଟିମ୍ ମ୍ୟାନେଜରମାନଙ୍କୁ ସମସ୍ତ ଅନୁମୋଦିତ ଅତିଥି ସାକ୍ଷାତ୍କାର ଓ ହୋଟେଲ ଯାତାୟାତର ରେକର୍ଡ ରଖିବାକୁ କୁହାଯାଇଛି । ବୋର୍ଡ ନୂଆ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛି ଯେ, କିଛି ମାମଲାରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍ମାନେ ଟିମ୍ ମ୍ୟାନେଜରଙ୍କ ଅନୁମତି କିମ୍ବା ସୂଚନା ବିନା ବାହାର ଲୋକଙ୍କୁ ହୋଟେଲ ରୁମ୍କୁ ଆଣୁଛନ୍ତି । ଏବାବଦରେ ସେମାନେ ଟିମ୍ ମ୍ୟାନେଜରଙ୍କୁ ମଧ୍ୟ ଅଜ୍ଞାତ ରଖିୁଛନ୍ତି । ଏନେଇ ଅଭିଯୋଗ ଆସିବା ପରେ ଏଭଳି ପ୍ରଥାକୁ BCCI ତତକ୍ଷଣାତ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

ନୂଆ ଗାଇଡଲାଇନ୍ ଅନୁସାରେ, ଏବେ କୌଣସି ବ୍ୟକ୍ତି, ସେ ଖେଳାଳି କିମ୍ବା ଷ୍ଟାଫ୍ ହୁଅନ୍ତୁ, ବାହାରର କୌଣସି ଲୋକଙ୍କ ସହିତ ସମ୍ପର୍କ ରଖୁଥିଲେ, ଟିମ୍ ମ୍ୟାନେଜରଙ୍କୁ ସୂଚନା ଦେବେ । ଏହା ସହିତ ସେମାନଙ୍କୁ ବିନା ଲିଖିତ ଅନୁମତିରେ ହୋଟେଲ ରୁମ୍କୁ ପ୍ରବେଶ କରିପାରିବେ ନାହିଁ । BCCI ଆହୁରି ସ୍ପଷ୍ଟ କରିଛି ଯେ, ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ୍ଙ୍କୁ ଭେଟିବାକୁ ଆସୁଥିବା ଅତିଥିମାନେ କେବଳ ହୋଟେଲର ସାଧାରଣ ସ୍ଥାନ, ଯଥା ଲବି କିମ୍ବା ରିସେପ୍ସନ୍ ଲାଉଞ୍ଜରେ ସାକ୍ଷାତ କରିପାରିବେ। କୌଣସି ଅତିଥିଙ୍କୁ ବ୍ୟକ୍ତିଗତ ଭାବେ ହୋଟେଲ ରୁମ୍କୁ ନେବା ପୂର୍ବରୁ ଟିମ୍ ମ୍ୟାନେଜରଙ୍କ ଲିଖିତ ଅନୁମତି ଜୁରରୀ ହେବ ।

ବୋର୍ଡ ଫ୍ରାଞ୍ଚାଇଜିମାନଙ୍କୁ ‘ହନିଟ୍ରାପ୍’ ଓ ସୁରକ୍ଷା ଜନିତ ବିପଦ ସମ୍ପର୍କରେ ମଧ୍ୟ ସତର୍କ କରାଇଦିଆଯାଇଛି । ଆଡଭାଇଜରୀରେ କୁହାଯାଇଛି ଯେ, ଆଇପିଏଲ୍ ଏକ ହାଇ-ପ୍ରୋଫାଇଲ୍ ଟୁର୍ଣ୍ଣାମେଣ୍ଟ । ଏଥିରେ ଟାର୍ଗେଟ୍ କମ୍ପରମାଇଜ୍ ଏବଂ ହନିଟ୍ରାପ୍ ଭଳି ଆଶଙ୍କା ରହୁଛି ।ଏହା ସହ ଯୌନ ଉତ୍ପୀଡନ ଭଳି ଗୁରୁତର ଆଇନଗତ ଅଭିଯୋଗର ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରାଯାଇନାହିଁ । ତେଣୁ BCCI ଆଇପିଏଲ୍ ମଝିରେ ଏଭଳି କଡ଼ା ନିୟମକୁ ଜାରି କରିଛି ।

ଅଧିକ ପଢନ୍ତୁ- ‘୧୧୩କୋଟି ନିଅ, ଦେଶ ପାଇଁ ଖେଳ’; ଲିଗ୍ କ୍ରିକେଟକୁ ଡରୁଛି ଅଷ୍ଟ୍ରେଲିଆ, ପ୍ୟାଟ୍ କମିନ୍ସଙ୍କୁ ରୋକିବାକୁ ଦେଲା ବଡ଼ ଅଫର୍