ନୂଆଦିଲ୍ଲୀ,୧୭/୧୦: ରେଳ, ପ୍ରତିରକ୍ଷା, ପରିବହନ ଏବଂ ଖଣିରେ  ବ୍ୟବହାର ହେଉଥିବା ଉପକରଣ ନିର୍ମାତା ବିଇଏମ୍‌ଏଲ୍‌ ପ୍ରଥମ ସ୍ୱଦେଶୀ ବୁଲେଟ୍‌ ଟ୍ରେନ୍‌ କୋଚ୍‌ ନିର୍ମାଣ କରିବ । କମ୍ପାନିକୁ ଏଥିପାଇଁ ୮୬୭ କୋଟି ଟଙ୍କାର କଣ୍ଟ୍ରାକ୍ଟ ମିଳିଛି । କମ୍ପାନିକୁ ଏହି କଣ୍ଟ୍ରାକ୍ଟ ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି(ଆଇସିଏଫ୍‌) ଚେନ୍ନାଇ ପ୍ରଦାନ କରିଛି । ଜାପାନରୁ ବୁଲେଟ୍‌  ଟ୍ରେନ୍‌ କ୍ରୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ନ ପହଞ୍ଚିବା କାରଣରୁ ଭାରତୀୟ ରେଳ ଏହାକୁ ଦେଶରେ ତିଆରି କରିବାର ନିଷ୍ପତ୍ତି ନେଇଛି । 

ବିଇଏମ୍‌ଏଲ୍‌ ପକ୍ଷରୁ ଜାରି ତଥ୍ୟ  ଅନୁସାରେ, ପ୍ରତ୍ୟେକ କୋଚ୍‌ର ଦାମ ୨୭.୮୬ କୋଟି ଟଙ୍କା ହେବ ଏବଂ  ମୋଟ୍‌ କଣ୍ଟ୍ରାକ୍ଟ ମୂଲ୍ୟ ୮୬୬.୮୭ କୋଟି  ଟଙ୍କା ରହିଛି । ଏଥିରେ ଡିଜାଇନ୍‌, କଷ୍ଟ୍‌,  ୱାନ୍‌-ଟାଇମ୍‌ ଡେଭଲପ୍‌ମେଣ୍ଟ କଷ୍ଟ,  ନନ୍‌-ରିକରିଂ ଚାର୍ଜ, ଜିଗ୍ସ, ଫିକ୍ସଚର ଏବଂ  ଟେଷ୍ଟିଂ ଫ୍ୟାସିଲିଟିଜ୍‌ ପାଇଁ ୱାନ୍‌-ଟାଇମ୍‌  କଷ୍ଟ୍‌ ଆଦି ସାମିଲ ଅଛି ।  

କମ୍ପାନି ପ୍ରକାଶ କରିଛି ଯେ, ଏ ପ୍ରକଳ୍ପ  ଭାରତର ହାଇସ୍ପିଡ ଟ୍ରେନ୍‌ ଯାତ୍ରାରେ ଏକ  ମାଇଲଖୁଣ୍ଟ ହେବ । ଏହି ପ୍ରୋଜେକ୍ଟରେ  ଘଣ୍ଟା ପିଛା ୨୮୦ କିମି ବେଗ ଯୁକ୍ତ ସ୍ୱଦେଶୀ  ଭାବେ ଡିଜାଇନ୍‌ ଏବଂ ଉତ୍ପାଦିତ ଟ୍ରେନ୍‌  ମିଳିବ । ଏହା ବିଇଏମ୍‌ଏଲ୍‌ର ବେଙ୍ଗାଲୁରୁ  ରେଳ କୋଚ୍‌ କମ୍ପେ୍ଲକ୍ସରେ ନିର୍ମାଣ ହେବ ।  

ଟ୍ରେନ୍‌ଗୁଡ଼ିକର ଡେଲିଭରୀ ୨୦୨୬ ଶେଷ  ସୁଦ୍ଧା ହେବ ବୋଲି ଜଣାପଡ଼ିଛି । ନୂଆ ଟ୍ରେନ୍‌ଗୁଡ଼ିକର କୋଚ୍‌ ସମ୍ପୂର୍ଣ୍ଣ  ରୂପେ ଶୀତତାପ ନିୟନ୍ତ୍ରିତ ହେବ ଏବଂ  ଏଗୁଡ଼ିକର ସିଟ୍‌ ରିକ୍ଲାଇନିଂ ଓ ରୋଟେଟିଂ  ରହିବ । ଦିବ୍ୟାଙ୍ଗ କିମ୍ବା ରେଷ୍ଟ୍ରିକ୍ଟେଡ୍‌  ମୋବିଲିଟିଯୁକ୍ତ ଯାତ୍ରୀଙ୍କ ପାଇଁ ଭିନ୍ନ ସୁବିଧା ଏବଂ ଅନ୍‌ବୋର୍ଡ ଇନ୍‌ଫୋଟେନ୍‌ମେଣ୍ଟ  ସିଷ୍ଟମ୍‌ ମିଳିବ। ଭାରତୀୟ ରେଳ ଗତବର୍ଷ ରାଜସ୍ଥାନରେ ହାଇସ୍ପିଡ୍‌ ଟ୍ରେନ୍‌ଗୁଡ଼ିକର ପରୀକ୍ଷଣ ପାଇଁ ଷ୍ଟାଣ୍ଡାର୍ଡ ଗେଜ୍‌ ଟ୍ରାକ୍ସ  ବନାଇଛି । ରେଳବାଇ ଏବେ ବନ୍ଦେ ଭାରତ  ଟ୍ରେନ୍‌ଗୁଡ଼ିକର ରପ୍ତାନି କରିବାକୁ ପ୍ରସ୍ତୁତି  କରୁଛି । ବିଇଏମ୍‌ଏଲ୍‌ ଭାରତର ହାଇସ୍ପିଡ୍‌  ଲକ୍‌ଜ୍ୟୁରୀ ଟ୍ରେନ୍‌ ବନ୍ଦେ ଭାରତର ସ୍ଲିପର  କୋଚ୍‌ ବନାଇଛି । କେନ୍ଦ୍ର ରେଳମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ ଗତ ମାସ ବନ୍ଦେ ଭାରତ  ସ୍ଲିପର ଟ୍ରେନ୍‌ର ପ୍ରଥମ ମଡେଲ୍‌ର ଝଲକ୍‌  ଦେଖାଇଛନ୍ତି । 

ସେ କହିଥିଲେ ଯେ,  ଆଗାମୀ ୩ ମାସ ଅର୍ଥାତ୍‌ ଡିସେମ୍ବର  ସୁଦ୍ଧା ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ ଆରମ୍ଭ  ହୋଇଯିବ । କୋଚ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ  ହୋଇଯାଇଛି । କିଛି ଦିନ ମଧ୍ୟରେ ଏହା  ବିଇଏମ୍‌ଏଲ୍‌ ଫ୍ୟାକ୍ଟ୍ରିରୁ ବାହାରିବ । ଆଗାମୀ  ଦୁଇ ମାସରେ ଟ୍ରେନ୍‌ର ପରୀକ୍ଷଣ ହେବ ।  ଏହାପରେ ଯାତ୍ରୀମାନଙ୍କ ପାଇଁ ଟ୍ରେନ୍‌ ଲଞ୍ଚ୍‌  ହେବ ।  

ରେଳମନ୍ତ୍ରୀ କହିଲେ ଯେ, ବନ୍ଦେ  ଭାରତ ସ୍ଲିପର ଟ୍ରେନ୍‌କୁ ୮୦୦ରୁ ୧୨୦୦  କିଲୋମିଟର ଦୂର ଯାତ୍ରା ପାଇଁ ପ୍ରସ୍ତୁତ  କରାଯାଇଛି । ଏଥିରେ ଯାତ୍ରୀ ରାତି ପ୍ରାୟ ୧୦ଟାରେ ଚଢ଼ିବେ ଏବଂ ସକାଳେ ନିଜ  ଗନ୍ତବ୍ୟ ସ୍ଥଳରେ ପହଞ୍ଚିଯିବେ । ଏ ଟ୍ରେନ୍‌  ମଧ୍ୟବିତ୍ତ ବର୍ଗଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।  ଏହାର ଭଡ଼ା ରାଜଧାନୀ ଟ୍ରେନ୍‌ ଭଳି ରହିବ।