ସାହାଜପାଲ,୨୮/୦୫: ୧୫ ବର୍ଷ ତଳେ ଜମି ପଟ୍ଟା ପାଇଥିଲେ ଜଣେ ହିତାଧିକାରୀ । ହେଲେ ଜମି ଦଖଲ ମିଳିନଥିଲା । ବାରମ୍ବାର ଦାବି ସତ୍ତ୍ୱେ କେହି କର୍ଣ୍ଣପାତ କରି ନଥିଲେ । ଶେଷରେ ହିତାଧିକାରୀଙ୍କୁ ସେମାନଙ୍କ ଜମି ମିଳିଛି । ଦୀର୍ଘ ୧୫ ବର୍ଷ ପରେ ହିତାଧିକାରୀଙ୍କୁ ଜମି ଦଖଲ ଦେଇଛନ୍ତି ତଦସିଲଦାର । ବୌଦ୍ଧ ଜିଲ୍ଲା ତହସିଲ ତେଲିବନ୍ଧ ରାଜସ୍ୱ ସର୍କଲ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଙ୍କଲା ଗାଁର ଘରବାରି ଜମି ପଟ୍ଟା ପାଇଥିବା ହିତାଧିକାରୀଙ୍କୁ ତହସିଲଦାର ଜମି ଚିହ୍ନଟ କରାଇ ଦଖଲ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୧୫ ବର୍ଷ ତଳେ କଙ୍କଲା ଗ୍ରାମର କିଛି ଭୂମିହୀନ ହିତାଧିକାରୀଙ୍କୁ ସରକାର ଘରବାରୀ ପଟ୍ଟା ଦେଇଥିଲେ । ମାତ୍ର ଜମି ଚିହ୍ନଟ ଓ ଦଖଲ୍ ପାଇଁ ହିତାଧିକାରୀ ମାନେ ବାରମ୍ବାର ଦାବି କରୁଥିଲେ ମଧ୍ୟ କେହି ଶୁଣିନଥିଲେ । କିଛି ମାସ ତଳେ ନୂଆ କରି କାର୍ଯ୍ୟରେ ଯୋଗ ଦେଇଥିବା ବୌଦ୍ଧ ତହସିଲଦାର ଅନୀତା କୁମାରୀ ସାହୁ , ସୁପରଭାଇଜର, ରାଜସ୍ୱ ନିରୀକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ସହ କଙ୍କଲା ଗ୍ରାମରେ ପହଞ୍ଚିଥିଲେ । ହିତାଧିକାରୀଙ୍କୁ ଜମି ଚିହ୍ନଟ ଓ ଦଖଲ୍ ଦେଇଛନ୍ତି । ମଙ୍ଗଳବାର କିଛି ହିତାଧିକାରୀଙ୍କ ଜମି ଚିହ୍ନଟ ଓ ଦଖଲ୍ ଦିଆଯାଇଛି । ପର୍ଯ୍ୟାୟ କ୍ରମେ ପଟ୍ଟା ପାଇଥିବା ସମସ୍ତଙ୍କୁ ଦଖଲ୍ ଦିଆଯିବ ବୋଲି ତହସିଲଦାର ଅନୀତା କୁମାରୀ ସାହୁ ସୂଚନା ଦେଇଛନ୍ତି ।