କୋଲକାତା: ପଡ଼ୋଶୀ ଦେଶ ନେପାଳ ଜଳୁଛି । ଜେନ-ଜିଙ୍କ ହିଂସ୍ରକ ପ୍ରତିବାଦ ଯୋଗୁଁ ନେପାଳର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ପାଖରୁ ସବୁ ନେତା ମନ୍ତ୍ରୀ ଗାଦି ଛାଡ଼ି ଚାଲି ଯାଇଛନ୍ତି । ଦେଶରେ ଅନ୍ତରୀଣ ସରକାର ଗଠନ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି । ସେପଟେ ଜେନ-ଜିଙ୍କ ଆନ୍ଦୋଳନ ଫଳରେ ୩ କୋଟି ଲୋକସଂଖ୍ୟା ବିଶିଷ୍ଟ ନେପାଳ ବିପୁଳ କ୍ଷତି ସହିଛି । ତେବେ ନେପାଳର ସ୍ଥିତିକୁ ନେଇ ଏବେ ଭାରତରେ ରାଜନୀତି ଜୋର ଧରିଛି । ପଶ୍ଚିମବଙ୍ଗର ଜଣେ ବରିଷ୍ଠ ବିଜେପି ନେତା କହିଛନ୍ତି, ବେଙ୍ଗଲରେ ନେପାଳ ଭଳି ବିଦ୍ରୋହ ହେବା ଦରକାର । ତାଙ୍କର ଏହି ମନ୍ତବ୍ୟକୁ ନେଇ ପଶ୍ଚିମବଙ୍ଗ ରାଜନୀତି ପୁଣି ଥରେ ସରଗରମ ହୋଇଉଠିଛି ।
ବରିଷ୍ଠ ବିଜେପି ନେତା ଏବଂ ପୂର୍ବତନ ବାରାକପୁର ସାଂସଦ ଅର୍ଜୁନ ସିଂହ ବେଙ୍ଗଲରେ ମଧ୍ୟ ନେପାଳ ଭଳି ପରିସ୍ଥିତି ସୃଷ୍ଟି କରିବାର ଆବଶ୍ୟକତା ଅଛି ବୋଲି କହି ସମାଲୋଚନାର ଶିକାର ହୋଇଛନ୍ତି । ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କରି ସିଂହ କହିଛନ୍ତି ଯେ, ନେପାଳ ପରି ବେଙ୍ଗଲରେ ଏକ ବଡ଼ ଜନ ବିଦ୍ରୋହ ହେବା ଉଚିତ । ଯୁବକମାନେ ମଧ୍ୟ ନେପାଳ ପରି ସାହସ ଦେଖାଇବା ଦରକାର । ତାଙ୍କର ଏହି ଉତ୍ତେଜନାମୂଳକ ମନ୍ତବ୍ୟ ପାଇଁ ବାରାକପୁର କମିଶନରେଟର ବିଭିନ୍ନ ଥାନାରେ ଅନେକ ଏଫଆଇଆର ରୁଜୁ ହୋଇଛି। ଏପରିକି ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେବାର ଅଭିଯୋଗ ମଧ୍ୟ ଆସିଛି ।
ବାରାକପୁରର ତୃଣମୂଳ ସାଂସଦ ପାର୍ଥ ଭୌମିକ ତାଙ୍କ ବୟାନକୁ ନିନ୍ଦା କରିଛନ୍ତି ଏବଂ ଅର୍ଜୁନ ସିଂହ ରାଜ୍ୟରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଅର୍ଜୁନ ସିଂହ ମମତା ବାନାର୍ଜୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ତୃଣମୂଳ ସାଂସଦଙ୍କ ନିର୍ଦ୍ଦେଶରେ ଦଳୀୟ କର୍ମୀମାନେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବିଭିନ୍ନ ଥାନାରେ ଅର୍ଜୁନ ସିଂହଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି । ଅନ୍ୟପକ୍ଷରେ, ଅର୍ଜୁନ ସିଂହ ନିଜ ବକ୍ତବ୍ୟରେ ଅଟଳ ରହିଛନ୍ତି । ସେ କହିଛନ୍ତି ଯେ, ନେପାଳ ସରକାରଙ୍କ ଦୁର୍ନୀତି ବିରୋଧରେ ଯୁବକମାନେ ଯେପରି ଠିଆ ହୋଇଛନ୍ତି ତାହା ଏକ ଉଦାହରଣ। ବେଙ୍ଗଲରେ ସମାନ ବିଦ୍ରୋହ ମାଧ୍ୟମରେ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ କ୍ଷମତାଚ୍ୟୁତ କରାଯିବା ଉଚିତ। ନେପାଳର ୧୮ ରୁ ୩୦ ବର୍ଷ ମଧ୍ୟରେ ଯୁବକମାନେ ଯେଉଁ ସାହସ ଦେଖାଇଛନ୍ତି ତାହା ପଶ୍ଚିମବଙ୍ଗର ଯୁବପିଢ଼ି ଦେଖାଇବା ଦରକାର ବୋଲି ସେ କହିଛନ୍ତି ।
ସେପଟେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଏବଂ ପୂର୍ବତନ ବେଙ୍ଗଲ ବିଜେପି ସଭାପତି ଡକ୍ଟର ସୁକାନ୍ତ ମଜୁମଦାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ମମତା କହିଥିଲେ, ବେଙ୍ଗଲକୁ ବେଙ୍ଗଲୀ ଚଳାଇବେ, ଦିଲ୍ଲୀବାସୀ ନୁହେଁ । ଏହା ଉପରେ ସୁକାନ୍ତ ମଜୁମଦର କହିଛନ୍ତି, ସେ ନିଜେ ବଙ୍ଗାଳୀମାନଙ୍କ ପାଇଁ ସବୁଠାରୁ କ୍ଷତିକାରକ। ମମତା ବାନାର୍ଜୀ ବଙ୍ଗାଳୀମାନଙ୍କ ପେଟକୁ ଲାତ ମାରିଛନ୍ତି। କୀର୍ତ୍ତି ଝା ଆଜାଦ, ୟୁସୁଫ ପଠାନ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ବିଷୟରେ ସେ କହିଛନ୍ତି ଯେ, ସେମାନେ ବଙ୍ଗାଳୀ ନୁହଁନ୍ତି, ମମତା ବାନାର୍ଜୀ ବଙ୍ଗାଳୀଙ୍କ ପେଟକୁ ଲାତ ମାରି ସେମାନଙ୍କୁ ଟିକେଟ୍ ଦେଇଥିଲେ। ମମତା ବଙ୍ଗାଳୀ ନେତାମାନଙ୍କୁ ସାଇଡ୍ କରି ଅଣ-ବଙ୍ଗାଳୀ ସାଂସଦ କରିଥିଲେ। ଯଦି ସେ ବଙ୍ଗାଳୀଙ୍କ ବିଷୟରେ ଏତେ ଚିନ୍ତିତ, ତେବେ ସେ ସଂସଦରେ ବଙ୍ଗାଳୀ ଭାଷାରେ ଭାଷଣ ଦେବା ପାଇଁ ୟୁସୁଫ ପଠାନ, କୀର୍ତ୍ତି ଆଜାଦ ଏବଂ ଶତ୍ରୁଘ୍ନ ସିହ୍ନାଙ୍କୁ ଚ୍ୟାଲେଞ୍ଜ କରିବା ଉଚିତ।