ନୂଆଦିଲ୍ଲୀ - ରାକେଶ ନାମଙ୍କ ଜଣେ ଇନଷ୍ଟାଗ୍ରାମ୍ ୟୁଜରଙ୍କର ପୋଷ୍ଟ ଖୁବ୍ ଭାଇରାଲ ହେଉଛି। ଏଥିରେ କୁହାଯାଇଛି ଯେ, ସେ କର୍ପୋରେଟ୍ର ଚାକିରି ଛାଡ଼ି ଅଟୋ ରିକ୍ସା ଚଳାଇବା ଆରମ୍ଭ କରି ଦେଇଛନ୍ତି। ଭାଇରାଲ ଭିଡ଼ିଓ ପୋଷ୍ଟରେ ସେ ତାଙ୍କର ନୂଆ ଜୀବନକୁ ଦର୍ଶାଇଛନ୍ତି। ସେହି ଜୀବନ ଯାହା ଏବେ ତାଙ୍କୁ ଶାନ୍ତି, ଉଦ୍ଦେଶ୍ୟ ଓ ଖୁସି ପ୍ରଦାନ କରୁଛି। ଭିଡ଼ିଓରେ ସେ ତାଙ୍କର ସବୁଜ-ହଳଦିଆ ରଙ୍ଗର ଅଟୋ ଚଳାଇ ଯାଉ ଥିବାର ନଜର ଆସୁଛନ୍ତି। ସେ ସିଧାସଳଖ ସେହି ଲୋକଙ୍କ ସହ କଥା ହେଉଛନ୍ତି ,ଯେଉଁମାନେ ଜୀବନରେ ପରାଜୟ ସ୍ୱୀକାର ନେଇଛନ୍ତି କିମ୍ୱା ନିଜକୁ ଅସଫଳ ଅନୁଭବ କରୁଛନ୍ତି।
ଭାଇରାଲ ପୋଷ୍ଟରେ ରାକେଶ କହୁଛନ୍ତି , ଓକେ ଗାଇଜ୍ , ମୁଁ ଏବେ ଅଟୋ ଚଳାଉଛି ଏବଂ ଜୀବନକୁ ଆଉଥରେ ଆରମ୍ଭ କରିବାରେ ଭୟ କରୁ ନାହିଁ। ତାଙ୍କର ସ୍ୱର ଶାନ୍ତ ଓ ସରଳ ମନେହେଉଛି। ପୁଣି ସେ ସେହି ଲୋକଙ୍କୁ ବାର୍ତ୍ତା ଦେଉଛନ୍ତି ଯେ, ଯିଏ ଭାବୁଛନ୍ତି ଯେ, ତାଙ୍କର ଜୀବନ ସରି ଯାଇଛି। ସେ କହିଛନ୍ତି ଯେ, ଏହା ସେହି ଲୋକଙ୍କ ପାଇଁ ,ଯିଏ ଭାବନ୍ତି ଯେ, ଏବେ ଜୀବନ ଶେଷ ହେବାକୁ ଯାଉଛି, ସବୁଠୁ କଠିନ ସମୟ ଚାଲୁଛି ଏବଂ କିଛି ବୁଝା ପଡ଼ୁ ନାହିଁ। ମୁଁ ମଧ୍ୟ ଜୀବନରେ ପରାଜୟ ସ୍ୱୀକାର କରିନେଇ ଥିଲି। ମୋତେ ଲାଗୁ ଥିଲା ମୁଁ ଆଉ ନିଜକୁ ସମ୍ଭାଳି ପାରିବି ନାହିଁ। ହେଲେ ଦେଖ ଆଜି ମୁଁ ଅଟୋ ଚଲାଉଛି ଏବଂ ଜୀବନ ମୋତେ ଆଉ ହରାଇ ପାରିବ ନାହିଁ। ଯାହାବି ପ୍ରତିବନ୍ଧକ ଆସିବ, ମୁଁ ଏହାକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ।
ସେ ଲୋକଙ୍କୁ କହୁଛନ୍ତି ସମସ୍ୟାକୁ ଦେଖି ପଳାୟନ କରିବା ବନ୍ଦ କର। ଏମିତି ହିଁ ଜିଇଁ ଚାଲ ଏବଂ ଆଗକୁ ଅଗ୍ରସର ହୁଅ ,ବିଶ୍ୱାସ କର ସବୁ ଆପଣାଛାଏଁ ଠିକ୍ ହୋଇ ଯିବ। କିଛି ବିଶେଷ କରିବାର ଆବଶ୍ୟକତା ନାହିଁ। କେବଳ ଜିଇଁ ଚାଲ। କିଛି କରି ଚାଲ। ତାଙ୍କର ସବୁଠୁ ବଡ଼ ମେସେଜ୍ – ଜୀବନକୁ କେବଳ ପଇସା ସହ ତଉଲ ନାହିଁ। ପଇସା ନିଶ୍ଚୟ ଜରୁରୀ , ଏହା ମୁଁ ମାନୁଛି, ହେଲେ ଜୀବନରେ ଆହୁରି ବି କିଛି ଆବଶ୍ୟକ ଅଛି। ସେ ଲୋକଙ୍କୁ କୁହନ୍ତି ଜୀବନର ପ୍ରକୃତ ଉଦ୍ଦେଶ୍ୟକୁ ଖୋଜ , ଯାହା ମନରେ ଆସୁଛି ତାକୁ ଆପଣାଅ।
ଶେଷରେ ସେ ହାରି ଯାଇଥିବା ଲୋକଙ୍କୁ ସାହସ ଦେଇ କହୁଛନ୍ତି –ଚାଲ , ମୋ ସହ ଚାଲ, ସାମନା କର। ପଳାୟନ କର ନାହିଁ , ଲୁଚ ନାହିଁ।