ଗୋପାଳପୁର,: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇଲେକ୍ଟ୍ରୋନିକ୍ସ ସାଇନ୍ସ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଛି ଏକ ଆଣ୍ଟିନା । କମ୍ ମୂଲ୍ୟରେ ନିର୍ମିତ ଏହି ଆଣ୍ଟିନା ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ଓ ଇଣ୍ଟର୍ନେଟ୍ ସେବା ଯୋଗାଇବାରେ ସହାୟକ ହେବ ବୋଲି କୁହାଯାଇଛି । ଫଳରେ ଅପହଞ୍ଚ ଇଲାକାରେ ସରକାରୀ କାର୍ଯ୍ୟ, ଶିକ୍ଷାଦାନ ଆଦି ସହଜକର ହୋଇପାରିବ ବୋଲି ଆଶା କରାଯାଉଛି । ବିଶ୍ୱବିଦ୍ୟାଳୟ ଆର୍ଥିକ ସହାୟତାରେ ବିଭାଗୀୟ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ଆଣ୍ଟିନା ନିର୍ମାଣ ପାଇଁ ପ୍ରାୟ ୩ ମାସ ସମୟ ଲାଗିଥିବା ସୂଚନା ମିଳିଛି । ଏଥି ସମ୍ବନ୍ଧୀୟ ତଥ୍ୟ ଅନ୍ତର୍ଜାତୀୟ ଗବେଷଣା ପତ୍ରିକା ‘ନେଚର ସାଇଣ୍ଟିଫିକ୍ ରିପୋର୍ଟ’ରେ ପ୍ରକାଶିତ ହେବା ପରେ ଏ ନେଇ ସମ୍ପୃକ୍ତ ବିଭାଗ ଏବଂ ବିଶ୍ୱବିଦ୍ୟାଳୟ ପକ୍ଷରୁ ଖୁସିବ୍ୟକ୍ତ କରାଯାଇଛି । ବିଭାଗୀୟ ଅଧ୍ୟାପକ ଡ. ଦୀପକ କୁମାର ନାୟକ ଏବଂ ଅନ୍ୟ ସଦସ୍ୟଙ୍କ ସହାୟତାରେ ଏହାକୁ ନିର୍ମାଣ କରାଯାଇଛି । ଏହି ଆଣ୍ଟିନାକୁ ବ୍ୟବହାର କରି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ୱାଇ ଫାଇ ବ୍ୟବହାର କରିହେବ । ଏଥିରେ ମ୍ୟାଟେରିଆଲ୍ ଏଫ୍ ଆର୍ ୪ ସଫ୍ଷ୍ଟ୍ରେଟ୍ ବ୍ୟବହୃତ ହୋଇଛି । ୫- ଜି ମୋବାଇଲ୍ ନେଟ୍ୱାର୍କ ଓ ରାଡାର୍ ସିଷ୍ଟମ୍ ସାଙ୍ଗକୁ ଅତ୍ୟାଧୁନିକ ସାଟେଲାଇଟ୍ କମ୍ୟୁନିକେସ୍ ବ୍ୟବସ୍ଥାକୁ ଉପଯୋଗ କରାଯାଇଛି ।