• ବ୍ରହ୍ମପୁରରେ ପୁଣି ଭାଇଗିରି
  • ବନ୍ଦ କୋଠରୀରେ ଯୁବକଙ୍କୁ ନିର୍ଘାତ ମାଡ଼
  • ମାସେ ତଳର ଭିଡିଓ, ଏବେ ଭାଇରାଲ 
  • ବ୍ରହ୍ମପୁର ସଦର ଥାନା ଅଞ୍ଚଳର ଘଟଣା

ବ୍ରହ୍ମପୁର,୧୨/୦୭: ବନ୍ଦ କୋଠରୀରେ ଯୁବକଙ୍କୁ ମାଡ଼ ମାରିବା  ଘଟଣାରେ ବ୍ରହ୍ମପୁର ପୋଲିସର ବଡ଼ ଆକ୍ସନ । ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ସଦର ଥାନା ପୋଲିସ । କୃପାସିନ୍ଦୁପୁର ଗାଁ ର ପ୍ରଶାନ୍ତ ଦାସଙ୍କୁ ଜଣେ ଯୁବକ ମାଡ଼ ମାରୁଥିବା ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଯଦିଓ ଭିଡିଓଟି ମାସେ ତଳର ବୋଲି କୁହାଯାଉଛି, ତଥାପି ଏହା ଭାଇରାଲ ହେବା ପରେ ମାମଲା ରୁଜୁ କରିବା ସହ ତଦନ୍ତ କରୁଛି ସଦର ପୋଲିସ ।  ସେପଟେ ପ୍ରଶାନ୍ତଙ୍କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଗାଡି ଚଳାଇବାକୁ ବାଧ୍ୟ କରାଯାଉଥିଲା । ଏହାକୁ ବାରଣ କରିବାରୁ ତାଙ୍କୁ ଏଭଳି ମାଡ଼ ମରାଯାଇଥିବା ପ୍ରଶାନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନାଥାଉକି, ବ୍ରହ୍ମପୁର କୃପାସିନ୍ଦୁପୁର ଗାଁର ପ୍ରଶାନ୍ତ ଦାସଙ୍କୁ ବନ୍ଦ କୋଠରୀରେ ୫୦ ଘଣ୍ଟା ଧରି ନିସ୍ତୁକ ମାଡ଼ ମାରିଥିଲେ ଦୁର୍ବୃତ୍ତ। ପ୍ରଶାନ୍ତଙ୍କୁ ପ୍ଳାଷ୍ଟିକ ପାଇପରେ ପିଟୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଘଟଣାକୁ ମାସେ ବିତିଯାଇଥିଲେ ମଧ୍ୟ ଏନେଇ ପୁଲିସ ପାଖରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି। ଆକ୍ରମଣକାରୀଙ୍କୁ ଡରି ଥାନାରେ ଅଭିଯୋଗ କରିନଥିବା କହିଛନ୍ତି ପ୍ରଶାନ୍ତ।

 

ଗତମାସରେ ପ୍ରଶାନ୍ତଙ୍କୁ ଖଣ୍ଡା ଦେଖାଇ ଅପହରଣ କରିନେଇଥିଲେ ଦୁବୃତ୍ତ। ତେବେ ସ୍ଥାନୀୟ ଅଞ୍ଚଳର ଜଣେ ସରପଞ୍ଚଙ୍କ ସମର୍ଥକ ଏପରି କରିଥିବା କହିଛନ୍ତି ପ୍ରଶାନ୍ତ। ବର୍ତ୍ତମାନ ଭୟରେ ସେ ଗାଁକୁ ନଯାଇ ଅନ୍ୟତ୍ର ରହୁଛନ୍ତି। ଗାଁରେ ତାଙ୍କର ମାଆ, ବାପା, ପତ୍ନୀ ଏବଂ ଗୋଟିଏ କୁନି ପୁଅ ମଧ୍ୟ ରହିଛନ୍ତି। ସୂଚନାଥାଉକି, ଗତ କିଛି ମାସ ହେବ ବ୍ରହ୍ମପୁରରେ ଭାଇଗିରି ଦେଖିବାକୁ ମିଳିଥିବା ବେଳେ ଗୋଟିଏ ପରେ ଗୋଟିଏ ଏନକାଉଣ୍ଟର ପରେ ଅପରାଧରେ ଏକପ୍ରକାର ବ୍ରେକ୍ ଲାଗିଥିଲା। ତେବେ ଏହି ଘଟଣା ପରେ ପୁଣି ଆତଙ୍କିତ ହୋଇଛନ୍ତି ସାଧାରଣ ଲୋକ।