ବାଲିପାଟଣା(ପୂର୍ଣ୍ଣଚନ୍ଦ୍ର ଜେନା): ବିଲୁପ୍ତ ପଥରେ ଜୟଦେବ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିପାଟଣା ବ୍ଲକର ଏକମାତ୍ର ସଂରକ୍ଷିତ ଭଁରାନିଜିଗଡ଼ ଜଙ୍ଗଲ । ଏହି ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଥିଲେ ମଧ୍ୟ ଜଙ୍ଗଲର ବିନାଶ ହୋଇଚାଲିଛି । ଅବାଧରେ ଗଛ କଟା ଚାଲିଥିବାବେଳେ ଅନେକ ଜୀବଜନ୍ତୁ ବିଲୁପ୍ତ ହୋଇଚାଲିଛନ୍ତି । ସେପଟେ ବିଭାଗୀୟ ଅଧିକାରୀମାନଙ୍କର ବିକାଶ ହେଉଛି । ଜଙ୍ଗଲର ସୁରକ୍ଷା ଆଳରେ ଲକ୍ଷାଧିକ ଟଙ୍କା ଚଳୁ ହେଉଛି । ଏନେଇ ସ୍ଥାନୀୟ ଲୋକେ ଓ ପରିବେଶ ପ୍ରେମୀ ବହୁବାର ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ ଶୁଣିବାକୁ କେହି ନାହିଁ ।

ସଙ୍କୁଚିତ ହେଉଛି ଜଙ୍ଗଲ ପରିସୀମା

ପ୍ରାୟ ଦୁଇଶହ ହେକ୍ଟର ପରିସୀମା ବିଶିଷ୍ଟ ଭଁରାଗଡ଼ ସଂରକ୍ଷିତ ଜଙ୍ଗଲ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ଏକ ଶହ ଏକରରୁ ଅଧିକ ଜଙ୍ଗଲଜମି ଏବେ ଜବରଦଖଲକାରୀଙ୍କ କବ୍ଜାରେ । କେଉଁଠି ପକ୍କାଘର ନିର୍ମାଣ ହୋଇଛି ତ ଆଉ କେଉଁଠି ବାଡ଼ ବୁଲିଗଲାଣି । କେତେକ ଜଙ୍ଗଲଜମିରେ ଆଖୁଚାଷ ଚାଲିଛି । ଦିନକୁ ଦିନ ଏହି ଦଖଲ ବଢ଼ିଚାଲଥିଲେ ମଧ୍ୟ ଜଙ୍ଗଲ ବିଭାଗର ଦୃଷ୍ଟି ନାହିଁ । ନାମକୁମାତ୍ର ଜଙ୍ଗଲ ମଧ୍ୟରେ ରହିଛି ଏକ ବିଟ୍ ହାଉସ । ଏଠାରେ ୪ଜଣ କର୍ମଚାରୀ ନିଯୁକ୍ତ ଅଛନ୍ତି । ହେଲେ ଜଙ୍ଗଲକୁ ସୁରକ୍ଷା ଦେବାରେ ସେମାନେ ଅସମର୍ଥ ।

ପଞ୍ଚାୟତ ରୋଡ୍‌ରେ ବାଲିପାଟଣା ରେଞ୍ଜ ଅଫିସ

ନାଁ ହେଉଛି ବାଲିପାଟଣା ରେଞ୍ଜ ଅଫିସ । ହେଲେ ପରିତାପର ବିଷୟ ୨୦ବର୍ଷରୁ ଅଧିକ ହେଲା ତାହା ବାଳକାଟିରେ ଚାଲିବା ପରେ ଏବେ ବାଳକାଟି ନିକଟ ପଞ୍ଚାୟତ ରୋଡରେ ନୂଆ ଘର ହୋଇ ସେଠାରେ ଚାଲିଛି । କେଉଁ କାରଣରୁ ବାଲିପାଟଣା ଅଫିସ ବାଳକାଟି ଅଞ୍ଚଳରେ ଚାଲୁଛି ତାହା ବୁଝାପଡୁନି । ସ୍ଥାନୀୟ ଲୋକଙ୍କ କହିବା କଥା ବାବୁମାନଙ୍କୁ ଭୁବନେଶ୍ୱର ଯିବାଆସିବା ସୁବିଧା ହେବ ବୋଲି ସେଠାରେ ଅଫିସ କରାଯାଇଛି 

ବିଲୁପ୍ତ ପଥରେ ପଶୁପକ୍ଷୀ

ଏକଦା ଭଁରାଗଡ଼ ଜଙ୍ଗଲରେ ଅନେକ ବିରଳ ଜୀବଜନ୍ତୁ ଥିଲେ । ହେଟା ବାଘଠାରୁ ଆରମ୍ଭ କରି ସାଳିଆପତନୀ, ଝିଙ୍କ, ବଜ୍ରକାପ୍ତା, ଶୃଗାଳ, ଠେକୁଆ, ବଣଭୁଆ ଓ ଭଳିକି ଭଳି ସରିସୃପଙ୍କ ବାସସ୍ଥଳୀ ଥିଲା ଏହି ଜଙ୍ଗଲ । ଅନେକ ପ୍ରକାର ପକ୍ଷୀଙ୍କ କଳରବରେ ଜଙ୍ଗଲ ପରିବେଶ ଗୁଞ୍ଜରିତ ହେଉଥିଲା । ମାତ୍ର ଏବେ ଅନେକ ଜୀବଜନ୍ତୁ ଦେଖିବାକୁ ମିଳୁନାହାନ୍ତି । ତଥାପି ଅନେକ ସଂଖ୍ୟାରେ ହରିଣ ଓ ହେଟା ଏହି ଜଙ୍ଗଲରେ ଥିବା ଗ୍ରାମବାସୀ କୁହନ୍ତି । ସେହିପରି ଶାଳ, ପିଆଶାଳ, କୁରୁମ, ସାଗୁଆନ, କେନ୍ଦୁ, ଗମ୍ଭାରୀ, କସି, ଫାଶୀ, ଆମ୍ବ ଓ ପଣସ ଆଦି ଗଛ ସବୁଜିମାରେ ଭରା ଏହି ଜଙ୍ଗଲର ଶୋଭାବର୍ଦ୍ଧନ କରୁଥିଲେ । ହେଲେ ବିଭାଗୀୟ ଅପାରଗତାରୁ ଏବେ ତାହା ପଦା ହେବାକୁ ବସିଲାଣି । ପ୍ରତ୍ୟହ ଦାମୀ ଗଛ ସବୁ କଟାଯାଇ ଏଠାରୁ ଚାଲାଣ କରାଯାଉଛି । ପୂର୍ବତନ ରେଞ୍ଜର ପ୍ରଶାନ୍ତ ପଣ୍ଡାଙ୍କ ଉଦ୍ୟମରେ ଯେଉଁ ଫାଶୀ ଓ ବାଉଁଶ ଜଙ୍ଗଲ କାୟା ବିସ୍ତାର କରିଥିଲା ତାଙ୍କ ପରେ ତାହା ପଦା ହେବାରେ ଲାଗିଛି ।

ପ୍ରତିବର୍ଷ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା ବିଭିନ୍ନ ଯୋଜନାରେ ପ୍ରତିବର୍ଷ ଏହି ଜଙ୍ଗଲରେ ଚାରାରୋପଣ କରାଯାଉଛି । ଏ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଦର୍ଶାଯାଉଛି । ବନ ମହୋତ୍ସବ ପାଳନ ହେଉଛି । ପଥପ୍ରାନ୍ତ ବୃକ୍ଷରୋପଣ ନାମରେ ମଧ୍ୟ ଅର୍ଥ ଆସୁଛି । ହେଲେ ବାସ୍ତବତା ହେଲା ଓଲଟା । ବୃକ୍ଷରୋପଣ ଆଳରେ ଆସୁଥିବା ଅର୍ଥ ଚଳୁ ହେଉଛି । ବରିଷ୍ଠ ଅଧିକାରୀମାନଙ୍କ ଜାଣତରେ ଏସବୁ ଚାଲିଛି। 

ଲୋକ ଦେଖାଣିଆ ବିଶ୍ୱ ପରିବେଶ ଦିବସ

ବନ ବିଭାଗ ପକ୍ଷରୁ ଏଠାରେ ଲୋକ ଦେଖାଣିଆ ଭାବେ ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ । ପୂର୍ବତନ ବିଧାୟକ ଡ.ଅରବିନ୍ଦ ଢାଲି ୨୦୨୨ ଜୁଲାଇ ୨୬ରେ ବିଧାନସଭାରେ ଭଁରାଗଡ଼ ଜଙ୍ଗଲ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏହାର କ୍ଷେତ୍ରଫଳ କେତେ, କେତେ ଜଙ୍ଗଲଜମି ଜବରଦଖଲକାରୀ କବ୍ଜା କରିଛନ୍ତି ଓ ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ପଚାରିଥିଲେ । ଉତ୍ତରରେ ତତ୍କାଳୀନ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ ଭଁରାଗଡ଼ ଜଙ୍ଗଲର କ୍ଷେତ୍ରଫଳ ୯୭.୫୯୨ହେକ୍ଟର । ସେଥିରୁ ୦.୮୩ ହେକ୍ଟର ସ୍ଥାନୀୟ ଲୋକେ ଜବରଦଖଲ କରି ଚାଷଜମି କରିଥିବା ବେଳେ ୬ଜଣ ଜବରଦଖଲକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଇଛି । ମାମଲାର ଫଇସଲା ପରେ ଜବରଦଖଲ ଜମିରେ ବନୀକରଣ କରାଯିବ ବୋଲି ସେ କହିଥିଲେ । କିନ୍ତୁ ଇତିମଧ୍ୟରେ ୩ବର୍ଷ ବିତିଗଲାଣି ହେଲେ ମାମଲା ସମାଧାନ ହୋଇପାରୁନି । ସେପଟେ ମନ୍ତ୍ରୀ ଦର୍ଶାଇଥିବା ଜବରଦଖଲ ପରିମାଣରୁ ଢ଼େର ଅଧିକ ଜମି ଜବରଦଖଲ ହୋଇ ରହିଛି । ଇତିମଧ୍ୟରେ ସରକାର ବଦଳିଛି । ନୂଆ ବିଧାୟକ ଗତବର୍ଷ ବିଧାନସଭାରେ ସମାନ ପ୍ରଶ୍ନ କରିଥିଲେ । କିନ୍ତୁ ସେହି ପୁରୁଣା ଉତ୍ତର ମିଳିଥିଲା । ସରକାର ବିଶ୍ୱ ପରିବେଶ ଦିବସ ପାଳନ କରି ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା କଥା କହୁଥିବାବେଳେ ଭଁରାଗଡ଼ ଜଙ୍ଗଲର ସୁରକ୍ଷା କରିନପାରିବା ପରିତାପର ବିଷୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।