ପୁରୀ,୧୯/୦୫: ଭଉଁରି ଉତ୍ସବରେ  ସୋମବାର ରଥର ଚକ-ଅଖ ଡ଼େରା ବିଧି  ସମ୍ପନ୍ନ ହେବ । ଏଣୁ ବଡ଼ଦାଣ୍ଡ ରଥ ଖଳା ଚଳଚଞ୍ଚଳ । ୩ ରଥର ୨ଟି ଲେଖାଏଁ ନାହାକା ଚକରେ ନାହାକା ଅଖ ସଂଯୋଗ ହେବ । ସଂଯୁକ୍ତ ଚକ-ଅଖରେ ଲାଗି କରାଯିବ ମହାପ୍ରଭୁଙ୍କ  ଆଜ୍ଞାମାଳ । ଶ୍ରୀମନ୍ଦିର ପ୍ରଶାସନ ନୀତିନୀର୍ଘଣ୍ଟ  ଅନୁସାରେ ପୂର୍ବାହ୍ନ ସାଢ଼େ ୯ଟାରେ ଶ୍ରୀମନ୍ଦିରରୁ  ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବ । ଏଥିସହ ରବିବାର କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥର ୧୯ଟି  ଚକ ନିର୍ମାଣ ସରିଥିବା ସୂଚନା ରହିଛି । ଖଳାରେ  ଭୂଇଁର ଚଉତା କାଠ ଓ ମୁହାଁଟ ନିର୍ମାଣ ଚାଲିଛି ।

 

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ଭଉଁରି ଉତ୍ସବରେ ରଥ ନିର୍ମାଣର ଚକ - ଅଖ ସଂଯୋଗ  ପରମ୍ପରାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଏ । ଏଣୁ  ଦୁଇ ଦିନ ପୂର୍ବରୁ ପ୍ରସ୍ତୁତ ରହିଛି ୩ ନାହାକା  ଅଖ ଓ ୬ ନାହାକା ଚକ । ଠାକୁରଙ୍କ ଆଜ୍ଞାମାଳକୁ  ନିର୍ମାଣକାରୀ ଚାହିଁ ବସିଥିବା କୁହନ୍ତି ପ୍ରମୁଖ ଭୋଇ ସେବକ କାର୍ତ୍ତିକ ଭୋଇ । ସକାଳ ଧୂପ  ସରିଲେ ରଥ ଖଳାକୁ ଠାକୁରଙ୍କ ଆଜ୍ଞା ମାଳ ବିଜେ ହେବେ । ପଟୁଆରରେ ପୂଜାପଣ୍ଡା ସାମନ୍ତମାନେ  ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ନେଇ ଶ୍ରୀନହର  ସିଂହଦ୍ୱାର ସମ୍ମୁଖକୁ ଆସିବେ । ଏହା ପୂର୍ବରୁ  ଭୋଇ ସେବକମାନେ ରଥ ଖଳାରୁ ନାହାକା ଚକ ବୋହି ଆଣି ଅଖ  ସହ ଯଥା ସ୍ଥାନରେ ରଖିଥିବେ ।  ଆଜ୍ଞାମାଳ ପହଞ୍ଚିଲେ ଚକ ଓ  ଅଖ ସଂଯୋଗ କରି ହରିବୋଲ  ପକାଯିବ। ୩ ରଥର ତିନି ମୁଖ୍ୟ  ବିଶ୍ୱକର୍ମା ସଂଯୁକ୍ତ ଚକର ତୁମ୍ବରେ  ଖଣ୍ଡୁଆ ପକାଇବେ । ପରେ  ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଲାଗି କରିବେ । ପୁଣି  ମୁଖ୍ୟ ବିଶ୍ୱକର୍ମାମାନେ ଆଜ୍ଞାମାଳ ଚକ ଉପରେ  ସ୍ଥାପନ କରି ମାହାର୍ଦ୍ଦ ସମର୍ପଣ କରି ଶ୍ରୀଫଳ  ଭାଙ୍ଗିବେ । କ୍ରମାନ୍ୱୟରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ  ଓ ଦେବୀ ସୁଭଦ୍ରାଙ୍କ ରଥ କାର୍ଯ୍ୟ ସମାପନ ହେବ । 

ଉକ୍ତ ଆଜ୍ଞାମାଳ ଉଲାଗି ହୋଇ ରଥ ଖଳା ଅଧିଶ୍ୱରୀ  ଦେବୀ ଚର୍ଚ୍ଚିକା, ଦେବୀ ତାରା ଓ  ଭୈରବୀଙ୍କୁ ଲାଗି କରାଯିବାର  ପରମ୍ପରା ରହିଛି । ଆଜି  ବିଶ୍ୱକର୍ମାମାନେ ଆଗିଆଣି ଓ  ପଛିଆଣି ମୁହାଁଟ ତିଆରିଛନ୍ତି ।  ଭୂଇଁ ଚଉତା କାଠରୁ ଦୁଇଟି  ଚଉପଟ(ମାପ ଅନୁସାରେ କାଟିବା) ସରିଛି ।  ୨୦ଫୁଟିଆ ଧଉରା ଓ ସାହାଜ କାଠରୁ ଏସବୁ  ତିଆରି ହେଉଛି । ରଥ ପ୍ରଭା ଅବସରା ଚଉପଟ  କାର୍ଯ୍ୟ ଚାଲିଛି । ରଥର ପଡ଼ିନାହାକା ଅଖ ପାଇଁ  ୪୦ଫୁଟିଆ କାଠ ବିଶ୍ୱକର୍ମାଙ୍କୁ ଯୋଗାଯାଇଛି ।  ରୂପକାରମାନେ ସାଲ ଗୁଜ ଓ ତୀଖ ଗୁଜରେ  ସିଂହ ବିରାଳ ଖୋଦେଇ ଜାରି ରଖିଛନ୍ତି । ଶନିବାର  ରାତିରେ ଖପୁରିଆ କରତକଳରୁ ପହି ଓ ଅର  ପହଞ୍ଚିଛି । ଏଣୁ ରଥର ଚକ ତିଆରି ଆଗେଇ  ଚାଲିଛି । ଭୋଇସେବକମାନେ ଯନ୍ତାଗାଡ଼ରେ  ତୁମ୍ବରେ ଅର ଭୁଞ୍ଜି ସିଙ୍ଗଡ଼ା ପ୍ରସ୍ତୁତ କରୁଛନ୍ତି ।  ଆଜି ଗୋଟିଏ ସିଙ୍ଗଡ଼ା ପ୍ରସ୍ତୁତ ହୋଇଥିବା ସୂଚନା  ରହିଛି । ସେପଟେ ଓଝା ସେବକମାନେ କମାର  ଶାଳରେ ରଥ ପାଇଁ ପନ୍ଦାରି, ପନ୍ଦାରିଚାବି ଓ ବଳା  ତିଆରି ଖଳାକୁ ଯୋଗାଉଛନ୍ତି । ତିନି ରଥ ମୁଖ୍ୟ  ବିଶ୍ୱକର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଥ ନିର୍ମାଣ  ଆଗଉଛି । ଆଜି ଭଞ୍ଜନଗର ଓ ଘୁମୁସର(ଦକ୍ଷିଣ) ରୁ ରଥ କାଠ ଆସି ରଥ ଖଳାରେ ପହଞ୍ଚିଛି ।