• ନିର୍ମାଣ ହେବ ୫ଟି ମୁଖ୍ୟ ସେତୁ ସହ ୧୫ଟି ଛୋଟ ସେତୁ
  • ୭୦ କିଲୋମିଟର ଦୀର୍ଘ ଏହି ରାସ୍ତା ନିର୍ମାଣ ପାଇଁ ୬୪୦ କୋଟି ଟଙ୍କା ବ୍ୟୟବରାଦ
  • ସେତୁ ନିର୍ମାଣ ପାଇଁ ପ୍ରାୟ ୯୧ କୋଟି ଟଙ୍କାର ବ୍ୟୟ ଅଟକଳ

ଭୁବନେଶ୍ୱର୧୧ । ୫ : ଭବାନୀପାଟଣା-ଖରିଆର ରାସ୍ତାକୁ ଦୁଇ ଲେନ୍‌ ଚାରି ଲେନ୍ ବିଶିଷ୍ଟ ହେବ । ଏହି ରାସ୍ତା ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକଙ୍କ ଗମନାଗମନରେ ସୁବିଧା ହେବ। ଏଥି ସହ କ୍ଷୁଦ୍ର ଚାଷୀ ଓ ବ୍ୟବସାୟୀ ବିଶେଷ ଭାବେ ଉପକୃତ ହେବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଏହି ରାସ୍ତା ମଧ୍ୟରେ ଥିବା ୫ଟି ମୁଖ୍ୟ ସେତୁ ଓ ୧୫ଟି ଛୋଟ ସେତୁର ମଧ୍ୟ ନିର୍ମାଣ କରାଯିବ । ଏଥି ସହିତ ତେଲ ନଦୀ ଉପରେ ଥିବା ପୁରୁଣା ସେତୁର ମଧ୍ୟ ମରାମତି ଓ ନବୀକରଣ ହେବ । ପ୍ରାୟ ୭୦ କିଲୋମିଟର ଦୀର୍ଘ ଏହି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୬୪୦ କୋଟି ଟଙ୍କା ବ୍ୟୟବରାଦ ରହିଛି। ସେତୁ ନିର୍ମାଣ ପାଇଁ ପ୍ରାୟ ୯୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ନୂତନ ଭବାନୀପାଟଣା-ଖରିଆର ରାସ୍ତା ଭବାନୀପାଟଣା ଏବଂ ଖରିଆର ଅଞ୍ଚଳର ଲୋକଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ । କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲା ମଧ୍ୟରେ ଯୋଗାଯୋଗ ତ୍ୱରିତ ଏବଂ ସୁଗମ ହେବା ସହ ସଂଯୁକ୍ତ ଗ୍ରାମଗୁଡ଼ିକର ଜନସାଧାରଣ ସହର ଏବଂ ବଜାରକୁ ମଧ୍ୟ ସହଜରେ ପହଞ୍ଚିପାରିବେ । ଉନ୍ନତ ରାସ୍ତା ଯୋଗୁଁ ଯାତ୍ରୀବାହୀ ବସ୍, ଆମ୍ବୁଲାନ୍ସ ଏବଂ ବ୍ୟକ୍ତିଗତ ଯାନଗୁଡ଼ିକ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ସହ ଇନ୍ଧନ ଏବଂ ସମୟ ଅପଚୟ ହ୍ରାସ ପାଇବ । କୃଷକ ଏବଂ ବ୍ୟବସାୟୀମାନେ ଧାନ, ପନିପରିବା, ଜଙ୍ଗଲଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ବଜାରକୁ ସହଜରେ ପରିବହନ କରିପାରିବେ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରିବ ।

ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଦୋକାନ, ପେଟ୍ରୋଲ ପମ୍ପ, ହୋଟେଲ, ଗୋଦାମ ଏବଂ କ୍ଷୁଦ୍ର ଶିଳ୍ପକୁ ଆକର୍ଷିତ କରିବ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସ୍କୁଲ, କଲେଜ, ହସ୍ପିଟାଲ ଏବଂ ସରକାରୀ କାର୍ଯ୍ୟାଳୟକୁ ଯିବା ଆସିବା ଅଧିକ ସୁବିଧାଜନକ ହୋଇପାରିବ । ଅଧିକ ପ୍ରଶସ୍ତ ରାସ୍ତା ଦୁର୍ଘଟଣା ହ୍ରାସ କରିବାରେ ସହାୟକ ହେବା ସହ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରିବ । ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଭ୍ୟନ୍ତରୀଣ ଅଞ୍ଚଳକୁ ଯୋଗାଯୋଗ ସୁଗମ ହେବା ସହ ପଶ୍ଚିମ ଓଡ଼ିଶାର ଦୀର୍ଘକାଳୀନ ଅଭିବୃଦ୍ଧିରେ ଏହି ନୂତନ ରାସ୍ତା ବିଶେଷ ଭୂମିକା ନିର୍ବାହ କରିବ ।