ଚନ୍ଦ୍ରଶେଖରପୁର, ୨୪/୦୭: ହୋଟେଲ୍‌ରେ କାମ ଦେବାକୁ କହି  ଜଣେ ଯୁବତୀଙ୍କୁ ସେକ୍ସ ରାକେଟରେ  ଲଗାଇଥିଲେ । ଅନୈତିକ କାର୍ଯ୍ୟ ନ କଲେ ବୋମା ପକାଇ ଦେବାକୁ ଧମକ ଦେଉଥିଲେ । ଅନୈତିକ କାର୍ଯ୍ୟ ନକରିବାରୁ ମାଡମାରି ମୋବାଇଲ ଓ ଡ୍ରେସ୍‌ ଛଡ଼ାଇ ନେଇଥିଲେ ଆୟୁର୍ବେଦିକ ପାର୍ଲର ମାଲିକ ।  ନିର୍ଯାତନା ସହିନପାରି ମସାଜ ପାର୍ଲରରୁ ଖସି ଆସିଲେ ଯୁବତୀ । ଏଭଳି ଘଟଣା ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରି ବିହାର ବୁଦ୍ଧ ପାର୍କ ଅଞ୍ଚଳରେ ଘଟିଛି ।  ପାର୍ଲରରେ ସେକ୍ସ ରାକେଟ୍‌ ଚାଲିଥିବା ସେ ଥାନାରେ ଅଭିଯୋଗ କରିବା ପରେ  ପୁଲିସ ଉକ୍ତ ପାର୍ଲରରେ ଚଢଉ କରି  ଜଣେ ଗ୍ରାହକଙ୍କ ଦୁଇ ଯୁବତୀଙ୍କୁ ଉଦ୍ଧାର  କରି ତନାଘନା ଆରମ୍ଭ କରିଛି ।    

ଅଭିଯୋଗ ଅନୁଯାୟୀ କିଛି ଦିନ ପୂର୍ବରୁ ଯୁବତୀ ଜଣଙ୍କ କାମ ସନ୍ଧାନରେ ବୁଲୁଥିଲେ । ଉକ୍ତ ପାର୍ଲର ମାଲିକଙ୍କ  ସହ ତାଙ୍କର ଭେଟ ହୋଇଥିଲେ । ଏକତାରକା ହୋଟେଲରେ କାମ ବୁଝିଦେବାର ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ପାର୍ଲରରେ ନେଇ ରଖିଥିଲେ । ହେଲେ ରହିବା ପରେ ବଢି ଯାଇଥିଲା ନିର୍ଯାତନା । ଅନୈତିକ କାମ କରିବାକୁ ଚାପ ପକାଉଥିଲେ । କାମ ନକଲେ ମାଡ଼ ମାରୁଥିଲେ । ନିର୍ଯାତନା ଅସହ୍ୟ ହେବାରୁ  ସେଠାରୁ ଖସି  ଆସିଥିଲେ ଯୁବତୀ । ଚନ୍ଦ୍ରଶେଖରପୁର  ଥାନାରେ ପୁଲିସକୁ ସବୁ କାହାଣୀ ବଖାଣିଥିଲେ । ଯୁବତୀଙ୍କ ଅଭିଯୋଗ  ଆଧାରରେ ପୁଲିସ ଚଢ଼ଉ କରିଥିଲା। ଏହି ସମୟରେ ଜଣେ ଗ୍ରାହକଙ୍କୁ କାବୁ କରାଯାଇଥିଲା । ଏହା ସହ କିଛି  ଆପତ୍ତିଜନକ ସାମଗ୍ରୀ ମିଳିଥିଲା । ପାର୍ଲର  ମାଲିକଙ୍କୁ ମଧ୍ୟ ପୁଲିସ ଉଠାଇନେଇଛି ।  ଆୟୁର୍ବେଦିକ ସେଣ୍ଟରରେ ପ୍ରକୃତରେ କ'ଣ ଚାଲୁଥିଲା ।  କେତେଦିନ ଧରି ଏହି  କାର୍ଯ୍ୟ ଚାଲିଥିଲା । ଯୁବତୀଙ୍କ ଅଭିଯୋଗରେ  କେତେ ସତ୍ୟତା ରହିଛି ସେ ନେଇ  ପୁଲିସ ତଦନ୍ତ କରୁଛି । ଉଦ୍ଧାର ଯୁବତୀଙ୍କୁ  ମଧ୍ୟ ପୁଲିସ ପଚରାଉଚରା କରିଛି । 

​​​​​​​ଅଧିକ ପଢ଼ନ୍ତୁ :-  Weather Forecast : ଆସନ୍ତା ୨୪ ଘଣ୍ଟାରେ ଘୂର୍ଣ୍ଣିବଳୟ ସମ୍ଭାବନା, ୨୮ ଯାଏଁ ବର୍ଷିବ, ଆଜି ପୁରୀରେ ପାଗ ଭଲ ରହିପାରେ