ଭୁବନେଶ୍ୱର, ୦୫/୦୨ : ଭୁବନେଶ୍ୱର ସହର ପରିସୀମା ବଢ଼ିବ। ଏମ୍ସରୁ ଧଉଳିର ନକ୍ସା ବଦଳିବ। ଗଢ଼ି ଉଠିବ ଆଧୁନିକ ସହର। ସମୃଦ୍ଧ ସହର ଯୋଜନାରେ ଟାଉନ ପ୍ଲାନିଂର ବିକାଶ କରାଯିବ । ଏନେଇ ବିଡିଏ ପକ୍ଷରୁ ସର୍ଭେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଡିଏ ପକ୍ଷରୁ ଜୋନ୍-୪ ଅଧୀନରେ ଧଉଳିରୁ ଏମ୍ସ ବିକାଶ କରାଯିବ । ଏଥିରେ ଟିପି ସ୍କିମ୍-୩୨ରୁ ୪୫ ପର୍ଯ୍ୟନ୍ତ ୧୪ଟି ସେକ୍ଟର ବିଭକ୍ତ କରାଯାଇଛି । ଏଥିରେ ଇଟିପୁର, ରାଧାମୋହନପୁର, ଗୋବର୍ଦ୍ଧନପୁର, ଢିଅପୁର,ବାହାଦଲପୁର, ହାଟସାହି, ରଣସିଂହପୁର, ସରକନ୍ତା, ସୁନ୍ଦରପଦା, ସୁଆଙ୍ଗ, ଦାମୋଦରପୁର, ସିଜୁଆ, ପାତ୍ରପଡ଼ା, କାଶୀପୁର, ଶ୍ରୀନିବାସପୁର ଆଦି ମୌଜାର ବିକାଶ କରିବାକୁ ଯୋଜନା କରାଯାଇଛି ।
୩.୫ ହଜାର ଏକର ଜମିର ବିକାଶ ହେବ
ବିଡିଏ ପକ୍ଷରୁ ମୋଟ୍ ୩.୫ ହଜାର ଏକର ଜମିକୁ ବିକାଶ କରାଯିବ । ଏଥିପାଇଁ ଜମି ମାଲିକ ୪୦ ପ୍ରତିଶତ ଜାଗା ବିଡିଏକୁ ଦେବେ । ସେଥିମଧ୍ୟରେ ଟିପି-୩୧ରେ ୨୨୫.୫ ଏକର, ଟିପି-୩୩ରେ ୨୩୧.୧, ଟିପି-୩୪ରେ ୧୮୯.୮, ଟିପି-୩୫ରେ ୧୦୮.୧, ଟିପି-୩୬ରେ ୧୬୩.୮, ଟିପି-୩୭ରେ ୧୬୩.୦, ଟିପି-୩୮ରେ ୨୭୨.୨ ଏକର, ଟିପି-୩୯ରେ ୨୫୪.୧ ଏକର ଜମିର ବିକାଶ କରାଯିବ । ସେହିପରି ଟିପି-୪୦ରେ ୨୨୯.୪, ଟିପି-୪୧ରେ ୧୩୫ଏକର, ଟିପି ୪୨ରେ ୩୩୫.୬, ଟିପି ୪୩ରେ ୧୫୯ ଏକର ଜମି ରହିଛି । ବିଡିଏ ପକ୍ଷରୁ ଜମିରେ ୪୦ ପ୍ରତିଶତ ଜାଗାରେ ରାସ୍ତା, ଡ୍ରେନ୍, ସ୍ୱେରେଜ, ଇଲେକ୍ଟ୍ରିକ୍ ବ୍ୟବସ୍ଥା କରାଯିବ । ଏହା ସହ ଖେଳପଡ଼ିଆ, କମ୍ୟୁନିଟିହଲ, ସ୍କୁଲ, କଲେଜ କରିବା ପାଇଁ ଜାଗା ଛଡ଼ା ଯିବ । ସେହିପରି ଶିଳ୍ପାଞ୍ଚଳ ଏବେ ବିକାଶ କରିବାକୁ ଯୋଜନା କରାଯାଇଛି । ଏହି ଅଞ୍ଚଳ ଦେଇ ରେଲୱେ ଷ୍ଟେସନ ଯାଇଥିବା ବେଳେ ଭବିଷ୍ୟତରେ ନିୟୁ ଭୁବନେଶ୍ୱର-୨ ରେଳ ଷ୍ଟେସନ କରିବାକୁ ମଧ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏମ୍ସ୍ରୁ ଧଉଳି ଦେଇ ରିଂ-ରୋଡ୍ ଯିବ । ଏହି ରିଂ-ରୋଡ୍ ପୁରୀ ଏନ୍ଏଚ୍ରେ ମିଶିବ ।
ଶେଷ ପର୍ଯ୍ୟାୟରେ ବିଡିଏର ସର୍ଭେ
ରାସ୍ତା ଖୋଲିବା ପରେ ସହର ଭିତରୁ ଟ୍ରାଫିକ୍ ଚାପ କମିବ । ଖୋର୍ଦ୍ଧା ପଟୁ ଆସୁଥିବା ଲୋକେ ସିଧା ଏମ୍ସ୍ ରିଂ-ରୋଡ୍ ଦେଇ ପୁରୀ ଯାଇ ପାରିବେ । ଯାତାୟତାରେ ସୁବିଧା ହେବ । ଏହି ରାସ୍ତା ପୂର୍ତ୍ତ ବିଭାଗ କରିବ । ଏହା ସହ ଭିତର ଆଭ୍ୟନ୍ତରୀଣ ରାସ୍ତା ବିଡିଏ ନିର୍ମାଣ କରିବ । ରାସ୍ତା କାମ ସରିବା ପରେ ସ୍ୱେରେଜ କାମ କରାଯିବ । ଏହା ପୂର୍ବରୁ ଡିମାଣ୍ଡ ସର୍ଭେ କରିବାକୁ ଯୋଜନା କରାଯାଇଛି । ଏହି ଅଞ୍ଚଳରେ ଥିବା ଜମି ମାଲିକମାନଙ୍କୁ ନୋଟିସ କରାଯିବ । ଏହା ପରେ ପଲ୍ଲୀସଭା ବା ଗ୍ରାମସଭା କରାଯିବ । ଲୋକମାନେ ବିଡିଏ ପାଖରେ ନିଜର ଅଭିଯୋଗ ରଖି ପାରିବେ । ଏହା ପରେ ବିକାଶ କାର୍ଯ୍ୟ ଆରମ୍ଭ ହେବ । ବିଡିଏ ପକ୍ଷରୁ ଟାଉନ ପ୍ଲାନିଂ ସ୍କିମ୍ କରାଯାଉଛି । ତମାଣ୍ଡୋ, ପାଇକରାପୁର ଅଞ୍ଚଳରେ ଟିପିସ୍କିମ କାମ ୯୦ ପ୍ରତିଶତ ସରିଲାଣି । ଆଗାମୀ ବର୍ଷେ ଭିତରେ ଏହି ସବୁ ଟିପି ସ୍କିମ୍ କାମ ସାରିବାକୁ ଯୋଜନା କରାଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ପୁରୀ ଏବଂ ସମ୍ବଲପୁର, କେନ୍ଦୁଝର, ରାଉରକେଲା, ବାରିପଦା ଆଦି ସହରରେ ସମୃଦ୍ଧ ସହର ଯୋଜନାରେ ବିକାଶ କରାଯିବ । ୪୮୭୯ କୋଟି ଟଙ୍କା ସମୃଦ୍ଧ ସହର ଯୋଜନାରେ ଖର୍ଚ୍ଚ କରିବାକୁ ବ୍ୟୟ ଅଟକଳ କରାଯାଇଛି । ବିକଶିତ ଓଡ଼ିଶା -୨୦୩୬କୁ ଆଖି ଆଗରେ ରଖି ଏହାକୁ କରାଯାଉଛି । ଏହା ସହ ଆଗାମୀ ଦିନରେ ଖୋର୍ଦ୍ଧା-ଜଟଣୀ-ପିପିଲି ଏବଂ ଭୁବନେଶ୍ୱର ଯୋଡ଼ି ହେବ ବୋଲି ଯୋଜନା ରହିଛି ।
ଏହି ଖବରଟିକୁ ପଢନ୍ତୁ- ପଞ୍ଜୀକରଣ କରିନାହାଁନ୍ତି କି ? ତଥାପି ବିକି ପାରିବେ ଧାନ, ଚାଷୀଙ୍କ ପାଇଁ ହାଇକୋର୍ଟଙ୍କ ବଡ଼ ରାୟ... ଜାଣନ୍ତୁ