କଟକ, ୦୫/୦୨ : ପଞ୍ଜୀକରଣ କରିନଥିବା ଚାଷୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି। ପଞ୍ଜୀକରଣ କରିନଥିଲେ ବି ଧାନ ବିକ୍ରିରୁ ହେବେନି ବଞ୍ଚିତ। ଧାନ କ୍ରୟ ପ୍ରକ୍ରିୟା ପାଇଁ ପିପିଏସ୍‌(ପ୍ୟାଡି ପ୍ରୋକ୍ୟୁରମେଣ୍ଟ ସିଷ୍ଟମ୍‌) ପୋର୍ଟାଲରେ ନାମ ପଞ୍ଜୀକରଣ ହୋଇ ନ ଥିବା ଦର୍ଶାଇ ଚାଷୀମାନଙ୍କୁ ଧାନ ବିକ୍ରିରୁ ବଞ୍ଚିତ କରାଯାଇ ପାରିବ ନାହିଁ। ଏନେଇ ହାଇକୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। 

ଅଦାଲତ କହିଛନ୍ତି ଯେ, ସରକାରଙ୍କ ଧାନ ସଂଗ୍ରହ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚାଷୀଙ୍କ କଲ୍ୟାଣ ଏବଂ ସେମାନଙ୍କୁ ଉତ୍ପାଦନ ବୃଦ୍ଧି ପାଇଁ ଉତ୍ସାହିତ କରିବା । କେବଳ ପୋର୍ଟାଲ୍‌ରେ ନାମ ପଞ୍ଜୀକରଣ ହୋଇ ନ ଥିବା ଭଳି କେତେକ ବୈଷୟିକ କାରଣ ପାଇଁ ଗରିବ ଚାଷୀଙ୍କୁ ସେମାନଙ୍କ ଜୀବନ ଜୀବିକାରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ।  ତେଣୁ ଏନେଇ ରୁଜୁ ଏକ ମାମଲାରେ ହାଇକୋର୍ଟ ଆବେଦନକାରୀ ଚାଷୀମାନେ ଅଦାଲତଙ୍କ ଆଦେଶର ନକଲ କପି ଦାଖଲ କରିବା ମାତ୍ରେ ସେମାନଙ୍କ ଧାନ କିଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଗତସିଂହପୁର ଜିଲ୍ଲାର ପଦ୍ମଜା ମଞ୍ଜରୀ ସ୍ୱାଇଁ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ପରିପ୍ରେକ୍ଷୀରେ ହାଇକୋର୍ଟର ବିଚାରପତି ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା ଏହି ଆଦେଶ ଦେଇଛନ୍ତି ।  

ଆବେଦନକାରୀମାନେ ଅଭିଯୋଗ କରିଥିଲେ ଯେ, ସେମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ ମଧ୍ୟ ସୋସାଇଟି ସେମାନଙ୍କ ନାମ ପିପିଏସ ପୋର୍ଟାଲରେ ପଞ୍ଜିକୃତ କରି ନ ଥିଲା । ଫଳରେ ସେମାନେ ସରକାରଙ୍କୁ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଥିଲେ । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ମଧ୍ୟ ସେମାନଙ୍କ ଅଭିଯୋଗ ଉପରେ କୌଣସି ପଦକ୍ଷେପ ନେଇ ନଥିଲେ । ଆବେଦନକାରୀଙ୍କ ଏହି ପିଟିସନ୍‌କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । ରାଜ୍ୟ ସରକାର ଯୁକ୍ତିରେ ଦର୍ଶାଇଥିଲେ ଯେ ଚାଷୀମାନେ ସମୟ ସୀମା ଶେଷ ହେବା ପରେ ଆବେଦନ କରିଥିଲେ । ତେଣୁ ସେମାନେ ଧାନ ବିକ୍ରି କରିବା ପାଇଁ ଯୋଗ୍ୟ ନୁହଁନ୍ତି । କିନ୍ତୁ ହାଇକୋର୍ଟ ଏହି ଯୁକ୍ତିକୁ ଅଗ୍ରାହ୍ୟ କରି ଦେଇଛନ୍ତି।

ଏହି ଖବରଟିକୁ ପଢନ୍ତୁ- ମ୍ୟାଲେରିଆ ନିୟନ୍ତ୍ରଣରେ ଓଡ଼ିଶା ଫେଲ୍ ! ଝାଡ଼ଖଣ୍ଡ, ଛତିଶଗଡ଼କୁ ପଛରେ ପକାଇ ଓଡ଼ିଶା ନମ୍ବର- ୧