ନୂଆଦିଲ୍ଲୀ : ଦିନକୁ ଦିନ ଖୁବ୍ ଚାଲାକି କରୁଛି ଚୀନ। ସବୁବେଳେ ଭାରତ ଉପରେ ରହିଛି ତାର ନଜର। ଏବେ ଏକ ରିପୋର୍ଟରୁ ବଡ଼ ଖୁଲାସା ହୋଇଛି। ଚୀନ ଭାରତର ସୀମା ନିକଟରେ ନିଜର ସବୁଠାରୁ ଆଧୁନିକ ଓ ପଞ୍ଚମ ପିଢ଼ିର ଷ୍ଟେଲଥ୍ ଫାଇଟର ଜେଟ୍ , J-20 'ମାଇଟି ଡ୍ରାଗନ୍'ର ମୁତୟନ ବଢାଇଛି। 'ଭେଣ୍ଟର' ଦ୍ୱାରା ଜାରି କରାଯାଇ ଥିବା ସାଟେଲାଇଟ୍ ଫଟୋର ବିଶ୍ଲେଷଣରୁ ଏହି ଖୁଲାସା ହୋଇଛି। ଜୁନ୍ ଶେଷ ଓ ଜୁଲାଇ ଆରମ୍ଭରେ ଚୀନ୍ ଭାରତ ସୀମାନ୍ତ ଦୁଇଟି ପ୍ରମୁଖ ଏୟାରବେସରେ ଅତି କମ୍ରେ ୧୧ ଟି J-20 ଯୁଦ୍ଧବିମାନ ମୁତୟନ କରି ଥିଲା।
କେଉଁ କେଉଁ ସ୍ଥାନରେ ଦେଖା ଯାଇଛି ଚୀନ ଫାଇଟର ଜେଟ୍ -
NDTVର ରିପୋର୍ଟ ଅନୁସାରେ, ସାଟେଲାଇଟ୍ ଫଟୋରୁ ସ୍ପଷ୍ଟ ହୋଇଛି ଯେ, ଚୀନ୍ ଲଦାଖ ଏବଂ ଅରୁଣାଚଳ ପ୍ରଦେଶର ନିକଟବର୍ତ୍ତୀ ଅଞ୍ଚଳକୁ ଟାର୍ଗେଟ୍ କରି ନିଜର ଯୁଦ୍ଧ ବିମାନଗୁଡ଼ିକୁ ମୁତୟନ କରିଛି।
ହୋତାନ୍ ଏୟାରବେସ୍ : ସିନଜିଆଙ୍ଗ୍ ପ୍ରଦେଶରେ ଥିବା ଏହି ଏୟାରବେସରେ ଜୁଲାଇ ୯ ତାରିଖରେ ୭ଟି J-20 ଯୁଦ୍ଧବିମାନ ରନୱେରେ ଥିବାର ଦେଖିବାକୁ ମିଳି ଥିଲା। ଏହି ଏୟାରବେସଟି ଲଦାଖର ଲେହ ଠାରୁ ୩୮୯ କିଲୋମିଟର ଦୂରରେ ଥିବା ବେଳେ, ଉତ୍ତର ଲଦାଖରେ ଥିବା ଭାରତୀୟ ବାୟୁସେନାର ରଣନୈତିକ ବିମାନଘାଟି 'ଦୌଲତ୍ ବେଗ୍ ଓଲ୍ଡି' (DBO) ଠାରୁ ମାତ୍ର ୨୪୫ କିଲୋମିଟର ଦୂରରେ ଅବସ୍ଥିତ। କୌଣସି ଗଣମାଧ୍ୟମ ସାଟେଲାଇଟ୍ ଇମେଜ ଏକା ସାଥିରେ ଏତେ ଗୁଡ଼ିଏ J-20 ବିମାନ ଦେଖା ଯିବା ଏହା ପ୍ରଥମ ଘଟଣା।
ଦମଶୁଙ୍ଗ୍ ଏୟାରବେସ୍ : ତିବ୍ଦତର ଲହସା ଅଞ୍ଚଳରେ ଥିବା ଦମଶୁଙ୍ଗ୍ ଏୟାରବେସରେ ୪ଟି J-20 ଫାଇଟର ଜେଟ୍ ଚିହ୍ନଟ ହୋଇଛି। ଏହି ଏୟାରବେସଟି ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ଠାରୁ ପ୍ରାୟ ୩୪୪ କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ।
ଉକ୍ତ ରିପୋର୍ଟରେ ପୂର୍ବତନ ଫାଇଟର ପାଇଲଟ୍ ତଥା ପ୍ରତିରକ୍ଷା ବିଶେଷଜ୍ଞ ସମୀର ଯୋଶୀଙ୍କ ଅନୁସାରେ, "ହୋତାନରେ ୭ଟି ଏବଂ ଦମଶୁଙ୍ଗ୍ରେ ୪ଟି J-20 ବିମାନର ଉପସ୍ଥିତି ସ୍ପଷ୍ଟ କରୁଛି ଯେ ଭାରତ ସାମ୍ନାରେ ଅତ୍ୟଧିକ ଉଚ୍ଚତା ବିଶିଷ୍ଟ ଅଞ୍ଚଳରୁ ପଞ୍ଚମ ପିଢ଼ିର ଜେଟ୍ ଅପରେସନ ଏବେ ଚୀନର ବାୟୁସେନା (PLAAF) ପାଇଁ ଏକ ସାଧାରଣ ପ୍ରକ୍ରିୟା ପାଲଟି ଯାଇଛି। ଏହା କେବଳ କୌଣସି ଶକ୍ତି ପ୍ରଦର୍ଶନ କିମ୍ବା ସଙ୍କେତ ନୁହେଁ।"
ଅନ୍ୟପଟେ, ପୂର୍ବତନ ଏୟାର ମାର୍ଶାଲ ନର୍ମଦେଶ୍ୱର ତିୱାରୀ ଚୀନର ପ୍ରତିରକ୍ଷା ନିର୍ମାଣର ଦ୍ରୁତଗତି ସମ୍ପର୍କରେ କହିଛନ୍ତି ଯେ, ବାର୍ଷିକ ୧୨୦-୧୨୫ଟି ଜେଟ୍ ନିର୍ମାଣ କରିବା ଚୀନର ଆଡଭାନ୍ସଡ୍ ମ୍ୟାନୁଫ୍ୟାକ୍ଚରିଂ କ୍ଷମତାକୁ ଦର୍ଶାଉଛି। ପ୍ରଥମ ଉପସାଗରୀୟ ଯୁଦ୍ଧ ପରେ ଚୀନ୍ ବାୟୁଶକ୍ତିର ଗୁରୁତ୍ୱ ବୁଝି ଥିଲା ଏବଂ ଏହାକୁ ଏକ 'ଜାତୀୟ ମିଶନ୍' କରି କାମ ଆରମ୍ଭ କରି ଦେଇ ଥିଲା।
୨୦୩୦ ସୁଦ୍ଧା ୧,୦୦୦ J-20 ନିର୍ମାଣର ଲକ୍ଷ୍ୟ -
ଅନେକ ପ୍ରତିରକ୍ଷା ରିପୋର୍ଟ ଅନୁସାରେ, ଚୀନରେ J-20ର ଉତ୍ପାଦନ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ୨୦୧୯ରେ ପ୍ରାୟ ୫୦ଟି J-20 ବିମାନ ଏବଂ ୨୦୨୨ ମସିହାରେ ଏହି ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ୨୦୦ ହୋଇଥିଲା। ୨୦୨୬ ସୁଦ୍ଧା ଏହି ଉତ୍ପାଦନ ହାର ବାର୍ଷିକ ୧୨୦ଟି ଜେଟରେ ପହଞ୍ଚିଛି, ଯାହା ଫଳରେ ଏହାର ମୋଟ ସଂଖ୍ୟା ୩୦୦ରୁ ୫୦୦ ମଧ୍ୟରେ ପହଞ୍ଚି ସାରିଛି। ବ୍ରିଟେନର ଡିଫେନ୍ସ ଥିଙ୍କ୍ ଟ୍ୟାଙ୍କ୍ 'RUSI'ର ଆକଳନ ଅନୁସାରେ, ୨୦୩୦ ସୁଦ୍ଧା ଚୀନ୍ ନିକଟରେ ୧,୦୦୦ଟି J-20 ଫାଇଟର ଜେଟ୍ ଥାଇପାରେ। ଯାହାକୁ ଚୀନ ତାର ଲକ୍ଷ୍ୟ ହିସାବରେ ନେଇଛି।
କିପରି ରହିଛି ଭାରତର ପ୍ରସ୍ତୁତି ଓ ଚ୍ୟାଲେଞ୍ଜ -
J-20 ବିମାନ ନିଜର ଷ୍ଟେଲଥ୍ ଟେକ୍ନୋଲୋଜି (ରାଡାରରୁ ରକ୍ଷା ପାଇବାର କ୍ଷମତା) କାରଣରୁ ଅତ୍ୟନ୍ତ ଘାତକ ବୋଲି ମନେକରାଯାଏ। ଭାରତ ନିକଟରେ ବର୍ତ୍ତମାନ ୩୬ଟି 'ରାଫେଲ' ଯୁଦ୍ଧ ବିମାନ ରହିଛି, ଯାହା ଅମ୍ବାଲା ଏବଂ ହାସିମାରା ଠାରେ ମୁତୟନ ହୋଇଛି। ହେଲେ ରାଫେଲ୍ ହେଉଛି ଏକ ୪.୫ ଜେନେରେସନର ନନ୍-ଷ୍ଟେଲଥ ଜେଟ୍। ଭାରତର ନିଜସ୍ୱ ପଞ୍ଚମ ପିଢ଼ିର ଷ୍ଟେଲଥ ଫାଇଟର 'ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ' (AMCA) ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ଏବଂ ଭାରତୀୟ ବାୟୁସେନାରେ ଏହା ସାମିଲ ହେବାକୁ ଅତି କମରେ ୧୦ ବର୍ଷ ସମୟ ଲାଗିବ।
ଏହା ବ୍ୟତୀତ ଭାରତୀୟ ବାୟୁସେନା ୨୬୦ରୁ ଅଧିକ ସୁଖୋଇ-30MKI, ମିରାଜ-୨୦୦୦ ଏବଂ ମିଗ୍-୨୯ ଭଳି ପୁରୁଣା ବିମାନ ଉପରେ ନିର୍ଭରଶୀଳ, ଯାହାର ଅପଗ୍ରେଡ୍ ପ୍ରକ୍ରିୟା ଏବେ ଚାଲୁ ରହିଛି।
ଆହୁରି ମଧ୍ୟ ପଢନ୍ତୁ - Pakistan Troll: ପିଓକେ ଉପରେ ରାଜନାଥ ସିଂହଙ୍କ ବୟାନ; ସାମାନ୍ୟ ଭୁଲ୍ ପାଇଁ ପାକିସ୍ତାନର ଉଡ଼ିଲା ମଜାକ, ହେଲା ଟ୍ରୋଲ୍ର ଶିକାର