ନୂଆଦିଲ୍ଲୀ, ୨୭।୭: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପିଓକେ ସମ୍ପର୍କିତ ବୟାନର ଜବାବ ଦେଇଛି ପାକିସ୍ତାନ । ଏହି ଜବାବରେ ପାକିସ୍ତାନ ଏପରି ଏକ ଭୁଲ୍ କରିଛି, ଯାହା ପରେ ସୋସିଆଲ ମିଡିଆରେ ଟ୍ରୋଲ୍‌ର ଶିକାର ହୋଇଛି । ଏକ ସାମାନ୍ୟ ବନାନ ଭୁଲ୍ କାରଣରୁ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ବୟାନର ଅର୍ଥ ସଂପୂର୍ଣ୍ଣ ବଦଳିଯାଇଛି, ଯାହାକୁ ନେଇ ଭାରତ ଏବଂ ପାକିସ୍ତାନ ସମେତ ସବୁଠି ଖୁବ୍ ଟ୍ରୋଲ୍ କରାଯାଉଛି । ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ କହିଥିଲେ ଯେ, ଯଦି କଶ୍ମୀର ପ୍ରସଙ୍ଗରେ କୌଣସି ଆଲୋଚନା ହୁଏ, ତେବେ ତାହା କେବଳ ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେ ଉପରେ ହିଁ ହେବ । 

ରାଜନାଥଙ୍କ ଏହି ବୟାନରେ ବିଚଳିତ ହୋଇ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ସୋମବାର ଏକ ନିନ୍ଦା ପ୍ରସ୍ତାବ ଜାରି କରିଥିଲା । ଏହି ବିବୃତ୍ତିର ଶେଷ ପାରାଗ୍ରାଫ୍‌ରେ ଭାରତର ଆଚରଣକୁ ସମାଲୋଚନା କରିବାକୁ ଯାଇ ପାକିସ୍ତାନୀ ଅଧିକାରୀମାନେ ଏକ ବଡ଼ ଭୁଲ୍ କରିଥିଲେ । ପାକିସ୍ତାନୀ ବୈଦେଶିକ କାର୍ଯ୍ୟାଳୟ ଭାରତର ଆଚରଣକୁ ବୁଝାଇବା ପାଇଁ 'Rogue' ଶବ୍ଦ ବ୍ୟବହାର କରିବାର ଥିଲା, କିନ୍ତୁ ଭୁଲ୍‌ବଶତଃ ସେମାନେ 'Rouge' ଶବ୍ଦ ବ୍ୟବହାର କରିଥିଲେ । Rouge ଶବ୍ଦର ଅର୍ଥ ହେଉଛି ଲାଲ୍ ରଙ୍ଗ, ଗାଲର ଲାଲିମା ବା କାଚ ଚମକାଇବା ପାଇଁ ବ୍ୟବହୃତ ଲାଲ୍ ପାଉଡର । ଏହି ଅର୍ଥହୀନ ବାକ୍ୟ ପରେ ଲୋକମାନେ ପ୍ରଶ୍ନ କରିଛନ୍ତି ଯେ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ପ୍ରକୃତରେ କ'ଣ କହିବାକୁ ଚାହୁଁଥିଲା ? 

ଏହା ବି ପଢ଼ନ୍ତୁ... Offensive Social Media Posts: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ; କେମିତି ହଟାଯାଏ କଣ୍ଟେଣ୍ଟ, କ’ଣ ରହିଛି ନିୟମ ଜାଣନ୍ତୁ...

ଏହି ଭୁଲ୍ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ପାକିସ୍ତାନକୁ ନେଇ କଟାକ୍ଷର ସୁଅ ଛୁଟିଛି । ଜଣେ ୟୁଜର୍ ଲେଖିଛନ୍ତି, "ତୁମେମାନେ ପ୍ରକୃତ କଥା ବୁଝୁନାହଁ ! ଭାରତଠାରୁ କ୍ରମାଗତ ଭାବେ ମାଡ଼ ଖାଇବା ପରେ ସେମାନେ ନିଜ ପଛର ରଙ୍ଗ ଅର୍ଥାତ୍ ଲାଲ୍ ପଡ଼ିଯିବାକୁ ନେଇ ଅଭିଯୋଗ କରୁଛନ୍ତି ।" ଆଉ ଜଣେ ଲେଖିଛନ୍ତି, "ସେମାନଙ୍କଠାରୁ ଏତିକି ଆଶା କରାଯାଇପାରେ, କାରଣ ପାକିସ୍ତାନରେ ଶିକ୍ଷା ହେଉଛି ବେଆଇନ ।"