ଢାକା,୨୭।୭: ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଧିନ୍ ନିକଟରେ ଇସ୍ତଫା ଦେଇଛନ୍ତି। ଦେଶରେ ସରକାର ପରିବର୍ତ୍ତ ପରେ ବି ଶେଖ ହାସିନାଙ୍କ ଘନିଷ୍ଠ ବ୍ୟକ୍ତି ଭାବରେ ସେ କ୍ଷମତାରେ ଥିଲେ। କିନ୍ତୁ ଏବେ ତାଙ୍କ ଉପରେ ବି ଚାପ ବଢୁଥିବାର ଦେଖିବାକୁ ମିଳିଛି। ମହମ୍ମଦ ଶାହାବୁଦ୍ଧିନଙ୍କ ବିରୋଧରେ ଏବେ ଇଣ୍ଟରନ୍ୟାସନାଲ କ୍ରାଇମ୍ ଟ୍ରିବ୍ୟୁନାଲ (ଆଇସିଟି) ରେ ‘ମାନବତା ବିରୋଧରେ ଅପରାଧ’ ଅଭିଯୋଗରେ ଯାଞ୍ଚ କରାଯିବା। ଏନେଇ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା। ଏହି ଅଭିଯୋଗ ବାଂଲାଦେଶ ଆଜାଦ ପାର୍ଟି ଓ ରାଷ୍ଟ୍ର ସଂଳ୍ପାପ ଫୋରମ୍ ପକ୍ଷରୁ ଦାଖଲ କରାଯାଇଛି। ଦୁଇ ସଂଗଠନର ଅଭିଯୋଗ ରହିଛି ଯେ, ୨୦୨୪ ଆନ୍ଦୋଳନ ବେଳେ ଛାତ୍ର ଓ ପ୍ରଦର୍ଶନକାରୀଙ୍କ ବିରୋଧରେ ହୋଇଥିବା କଥିତ ହିଂସାରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଭୂମିକା ମଧ୍ୟ ଥିଲା। ଏହି ଘଟଣାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ପୂର୍ବରୁ ହିଁ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁ ଦଣ୍ଡ ଶୁଣାଯାଇ ସାରିଛି। ଏବେ ପ୍ରଶ୍ନ ଉଠୁଛି ଯେ, କ’ଣ ପୂର୍ବତନ ରାଷ୍ଟ୍ରପତିଙ୍କୁ ଗିରଫ କରାଯିବ ନା ତାଙ୍କୁ ଫାଶୀ ଦିଆଯିବ ?

କାହିଁକି କରିବେ ଗିରଫ ?

ବାଂଲାଦେଶର ଗୃହମନ୍ତ୍ରୀ ସଲାହୁଦ୍ଧିନ୍ ଅହମ୍ମଦ ସ୍ପଷ୍ଟ କରିଛନ୍ତି ତାଙ୍କ ସରକାରଙ୍କୁ ବର୍ତ୍ତମାନ ଏଭଳି କୌଣସି ଆଧାର ମିଳିନାହିଁ। ଯେଉଁ କାରଣରୁ ପୂର୍ବତନ ରାଷ୍ଟ୍ରପତିଙ୍କୁ ଗିରଫ କରାଯିବ। ତାଙ୍କର କହିବା ଅନୁସାରେ, ରାଷ୍ଟ୍ରପତି ରୂପରେ ଶାହାବୁଦ୍ଧିନ୍ ସମ୍ବିଧାନିକ ଦାୟିତ୍ବ ଗ୍ରହଣ କରିଥିଲେ। ସେ ତତ୍କାଳୀନ ସରକାରଙ୍କୁ ଅନ୍ତିମ ପର୍ଯ୍ୟାୟ, ଅନ୍ତରୀଣ ସରକାର ଓ ବର୍ତ୍ତମାନ ସରକାର ଭଳି ତିନୋଟି ସମୟରେ ସମ୍ବିଧାନିକ ଦାୟିତ୍ବ ଗ୍ରହଣ କରିଥିଲେ। ସରକାରଙ୍କୁ ମଧ୍ୟ ତାଙ୍କର ସହଯୋଗ ମିଳିଥିଲା। ଆଇନ ଅନୁସାରେ, ତାଙ୍କୁ ମିଳୁଥିବା ସୁରକ୍ଷା ଓ ସୁବିଧା ମଧ୍ୟ ଦିଆଯିବ। ଶାହାବୁଦ୍ଧିନଙ୍କ ୬ ମାସ ପର୍ଯ୍ୟନ୍ତ ସ୍ପେଶାଲ ସିକ୍ୟୁରିଟି୍ ଫୋର୍ସ (ଏସଏସଏଫ୍) ଓ ପ୍ରେସିଡେଣ୍ଟିଆଲ ଗାର୍ଡ ରେଜିମେଣ୍ଟ (ପିଜିଆର)ର ସୁରକ୍ଷା ମିଳିବ। ଏହାଛଡା ପୋଲିସ ଓ ଅନ୍ୟ ସୁରକ୍ଷା ଏଜେନ୍ସି ମଧ୍ୟ ଆଇନ ଅନୁସାରେ,  ସୁରକ୍ଷା ସୁନିଶ୍ଚିତ କରିବେ। ଗୃହମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଲୋକଙ୍କୁ ବିରୋଧ ପ୍ରଦର୍ଶନ କରିବା ଓ ଅଭିଯୋଗ ଲଗାଇବାର ଅଧିକାର ରହିଛି। କିନ୍ତୁ ସରକାରଙ୍କୁ ଏପର୍ଯ୍ୟନ୍ତ ଏଭଳି କୌଣସି ଠୋସ୍ ପ୍ରମାଣ ମିଳିନି, ଯାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବ।

ଦୁର୍ନୀତି ଅଭିଯୋଗରେ ବି ହେବ ଯାଞ୍ଚ

ସେଭଳି ବାଂଲାଦେଶର ଆଇନ ମନ୍ତ୍ରୀ ମହମ୍ମଦ ଅସଦୁଜ୍ଜମାନ କହିଛନ୍ତି, ଶାହାବୁଦ୍ଧିନଙ୍କ ବିରୋଧରେ ଲାଗିଥିବା ଭ୍ରଷ୍ଟାଚାର ଅଭିଯୁକ୍ତଙ୍କର ଯାଞ୍ଚ କରାଯିବ। ତେବେ ସେ ଯାଞ୍ଚର ସମୟସୀମା କିମ୍ବା ପ୍ରତିକ୍ରିୟାକୁ ନେଇ କୌଣସି ଅତିରିକ୍ତ ସୂଚନା ଦେଇ ନାହାନ୍ତି। ଆଇସିଟି ମୁଖ୍ୟ ପବ୍ଲିକ ପ୍ରୋସିକ୍ୟୁଟର ଏମଡି ଅମିନୁଲ୍ ଇସ୍ଲାମ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ତାଙ୍କ କାର୍ଯ୍ୟାଳୟକୁ ଦୁଇଟି ଅଭିଯୋଗ ମିଳିଛି। ଅଭିଯୋଗର ବିସ୍ତୃତ ଅଧ୍ୟୟନ କରାଯାଇ ନାହିଁ।