ନୂଆଦିଲ୍ଲୀ,୦୬/୦୪; ଆଇପିଏଲରେ ଇତିହାସ ରଚିଛନ୍ତି ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ସେ ପ୍ରଥମ ଦ୍ରୁତ ବୋଲର ଭାବରେ ୨୦୦ ୱିକେଟ୍‌ ହାସଲ କରିବାର ଗୌରବ ଲାଭ କରିଛନ୍ତି । ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷରେ ଭୁବନେଶ୍ୱର ଆୟୂଷ ମାହାତ୍ରେ ଏବଂ ପ୍ରଶାନ୍ତ ବୀରଙ୍କୁ ଆଉ କରିବା ପରେ ୨୦୦ ୱିକେଟ୍‌ କ୍ଲବରେ ସାମିଲ ହୋଇଥିଲେ । ଯଶପ୍ରୀତ ବୁମରା ଏହି ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି । ସେ ଆଉ ୧୭ଟି ୱିକେଟ୍‌ ନେଲେ ୨୦୦ ୱିକେଟ୍‌ କ୍ଲବରେ ସାମିଲ ହେବେ ।

ଆଇପିଏଲ ଇତିହାସରେ ସର୍ବାଧିକ ୱିକେଟ୍‌ ନେବାର ରେକର୍ଡ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କ ନାମରେ ରହିଛନ୍ତି । ସେ ୧୭୬ଟି ମ୍ୟାଚ ଖେଳି ୨୨୪ଟି ୱିକେଟ୍‌ ନେଇଛନ୍ତି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭୁବନେଶ୍ୱର କୁମାର । ସୁଇଂ କିଙ୍ଗ୍‌ ଭାବେ ପରିଚିତ ଭୁବନେଶ୍ୱର ଆଇପିଏଲ୍‌ରେ ୧୯୨ଟି ମ୍ୟାଚ୍‌ ଖେଳି ସାରିଲେଣି । ସେ ଏକମାତ୍ର ବୋଲର ଭାବେ କ୍ରମାନ୍ୱୟରେ ୨ ଥର ଆଇପିଏଲ୍‌ ପର୍ପଲ କ୍ୟାପ୍‌ (୨୦୧୬, ୨୦୧୭) ହାସଲ କରିଥିଲେ । ଆଇପିଏଲ୍‌ରେ ତାଙ୍କ ବୋଲିଂ ଇକୋନୋମି ୭.୬୯ ରହିଛି । ତାଙ୍କ ନାମରେ ସର୍ବାଧିକ ମେଡେନ ଓଭର ରେକର୍ଡ ରହିଛି । ସେ ପାୱାର ପ୍ଲେ ଓଭର ଗୁଡ଼ିକରେ ମୋଟ ୮୧ଟି ୱିକେଟ୍‌ ଅକ୍ତିଆର କରିଛନ୍ତି ।

ଏହା ବି ପଢନ୍ତୁ...ଚେନ୍ନାଇର ସୁପର କିଙ୍ଗସ୍‌ର ହ୍ୟାଟ୍ରିକ୍‌ ପରାଜୟ, କେବେ ଫେରିବେ ଧୋନି ?

 ଭୁବନେଶ୍ୱରର ୨୦୧୧ରେ ପୁନେ ୱାରିୟର୍ସ ଇଣ୍ଡିଆ ପକ୍ଷରୁ ଆଇପିଏଲ୍‌ ପଦାର୍ପଣ କରିଥିଲେ । ଏହାପରେ ସେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ୧୧ଟି ସିଜନରେ ୧୪୫ଟି ମ୍ୟାଚ୍‌ ଖେଳି ୧୫୭ଟି ୱିକେଟ୍‌ ନେଇଥିଲେ । ଟି-ଟ୍ୱେଣ୍ଟି ଫର୍ମାଟ କ୍ରିକେଟ୍‌ରେ ମୋଟ ୫ଜଣ ବୋଲର ୨୦୦ରୁ ଊଦ୍ଧ୍ୱର୍ ୱିକେଟ୍‌ ନେବାରେ ସଫଳ ହୋଇଛନ୍ତି । ଇଂଲଣ୍ଡ ଟି-ଟ୍ୱେଣ୍ଟି ବ୍ଲାଷ୍ଟ୍‌ରେ ଖେଳୁଥିବା ଡାନି ବ୍ରିଗ୍‌ (୨୬୮ଟି), ସମିତ ପଟେଲ (୨୩୦ଟି), କ୍ରିସ୍‌ ଉଡ୍‌ (୨୧୦ଟି) ଓ ଡେଭିଡ ପେନ୍‌ (୨୧୦ଟି) ୱିକେଟ୍‌ ନେଇଛନ୍ତି । ଆଇପିଏଲରେ ଚହଲ ଓ ଭୁବନେଶ୍ୱରଙ୍କ ପରେ ସୁନୀଲ ନାରାଏନ (୧୯୧ ମ୍ୟାଚ, ୧୯୩ ୱିକେଟ୍‌) ତୃତୀୟ ସ୍ଥାନରେ ରହିଛନ୍ତି । ଚତୁର୍ଥ ସ୍ଥାନରେ ପିୟୂଷ ଚାୱାଲା (୧୯୩ ୱିକେଟ୍‌), ପଞ୍ଚମ ସ୍ଥାନରେ ଆର. ଅଶ୍ୱିନ (୧୮୭ ୱିକେଟ୍‌), ଷଷ୍ଠ ସ୍ଥାନରେ ବୁମରା, ଅଷ୍ଟମ ସ୍ଥାନରେ ଡ୍ୱେନ ବ୍ରାଭୋ (୧୮୩ ୱିକେଟ), ନବମ ସ୍ଥାନରେ ଅମିତ ମିଶ୍ରା (୧୭୪ ୱିକେଟ୍‌) ଏବଂ ଦଶମ ସ୍ଥାନରେ ରବିନ୍ଦ୍ର ଜାଡେଜା (୧୭୨ ୱିକେଟ୍‌) ରହିଛନ୍ତି ।