ନୂଆଦିଲ୍ଲୀ,୦୬/୦୪; ଥାଲଙ୍କ ଟିମ୍ । ୫ ଥରର ଆଇପିଏଲ ଚାମ୍ପିଅନ୍ । କିନ୍ତୁ ଏଥର ଏମଏସଡିଙ୍କ ବିମାନ ଚମକି ପାରୁନି ଚେନ୍ନାଇ ସୁପର କିଙ୍ଗସ୍ । ଚଳିତ ଆଇପିଏଲ ସିଜିନରେ ଧୋନି ଏ ପର୍ଯ୍ୟନ୍ତ ଖେଳିନାହାନ୍ତି । ଫଳରେ ଦଳର ହ୍ୟାଟ୍ରିକ ପରାଜୟ ହୋଇଛି । ବ୍ୟାଟିଂ କଲେ ବୋଲିଂରେ ବିଫଳ । ବୋଲିଂ କରେ ବ୍ୟାଟିଂରେ ଫେଲ୍ । ଲଗାତାର ୩ଟି ମ୍ୟାଚ ହାରିବା ସିଏସକେ ଫ୍ୟାନ୍ସଙ୍କୁ ନିରାଶ କରିଛି । ଏବେ ଚେନ୍ନାଇ ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଫେରିବେ ଧୋନି ? କେବେ ଚମକିବ ଚେନ୍ନାଇ ?
ମହେନ୍ଦ୍ର ସିଂ ଧୋନି ଆହତ ଥିବାରୁ ଖେଳୁ ନାହାନ୍ତି । ଧୀରେ ଧୀରେ ସେ ସୁସ୍ଥ ହେଉଛନ୍ତି । ତାଙ୍କ ଅନୁପସ୍ଥିତିରେ ଅଧିନାୟକ ଋତୁରାଜ ଗାଏକୱାଡ ଶିବିର ଠିକ୍ ଭାବେ ସମ୍ଭାଳି ପାରୁ ନାହାନ୍ତି । ସଞ୍ଜୁ ସାମସନଙ୍କ ଉପରେ ଦଳର ଦୃଢ଼ ବିଶ୍ୱାସ ରହିଛି । କିନ୍ତୁ ସେ ଏ ପର୍ଯ୍ୟନ୍ତ ଫର୍ମକୁ ଫେରି ପାରୁ ନାହାନ୍ତି । ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ଯୋଗୁ ଦଳ ଚଳିତ ଆଇପିଏଲରେ ହ୍ୟାଟ୍ରିକ୍ ପରାଜୟର ସମ୍ମୁଖୀନ ହୋଇଛି । ଧୋନି କାହିଁକି ମଇଦାନକୁ ଓହ୍ଲାଉ ନାହାନ୍ତି ? ଅଧିନାୟକ ଗାଏକୱାଡ କହିଛନ୍ତି, ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ତେଣୁ ଖୁବ ଶୀଘ୍ର ସେ ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିବେ ।’ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଚେନ୍ନାଇ ଭଲ ଚେଜ କରିଥିଲା । ୨୫୧ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଦଳ ୨୦୭ ରନ ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ପ୍ରାରମ୍ଭରୁ ସଞ୍ଜୁ (୯), ଅଧିନାୟକ ଗାଏକୱାର୍ଡ (୭) ଓ ଆୟୂଷ ମାହାତ୍ରେଙ୍କ (୧) ମଧ୍ୟରୁ ଜଣେ ବି କେହି ଯଦି ବଡ଼ ଇନିଂସ ଖେଳିବାରେ ସଫଳ ହୋଇଥାନ୍ତେ, ତେବେ ହୁଏତ ଏହି ମ୍ୟାଚର ଫଳାଫଳ ଭିନ୍ନ ହୋଇଥାନ୍ତା । ବୋଲିଂ ମଧ୍ୟ ଦଳର ଭଲ ରହିଲା ନାହିଁ । ଫିଲ ସଲ୍ଟ (୪୬), ଦେବଦତ୍ତ ପାଡିକଲ (୫୦), ରଜତ ପାତିଦାର (୪୮) ଏବଂ ଟିମ ଡେଭିଡ୍ (୭୦) ଅଟକାଇବାର ରଣନୀତି ଗାଏକୱାଡଙ୍କ ପାଖରେ ନଥିଲା । ଫଳରେ ବେଙ୍ଗାଲୁରୁ ବ୍ୟାଟର ଅତି ଭୟଙ୍କର ବ୍ୟାଟିଂ କରିଥିଲେ ।
ଏହା ବି ପଢନ୍ତୁ...IPL 2026: ଆଜି ନାଇଟ୍ ରାଇଡର୍ସ- କିଙ୍ଗସ ମଧ୍ୟ ମୁକାବିଲା, ଇଡେନ ଗାର୍ଡେନ୍ସରେ ହେବ ଚୌକା-ଛକା ବର୍ଷା
ପୂର୍ବ ୨ଟି ମ୍ୟାଚ୍ରେ ଦଳ ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ଠାରୁ ପରାଜିତ ହୋଇଥିଲା । ରାଜସ୍ଥାନ ବିପକ୍ଷରେ ସଞ୍ଜୁ ୬, ଗାଏକୱାଡ ୬ ଓ ମାହାତ୍ରେ ଖାତା ଖୋଲି ପାରିନଥିଲେ । ସେମିତି ପଞ୍ଜାବ ବିପକ୍ଷରେ ମାହାତ୍ରେ (୭୩) ଅର୍ଦ୍ଧଶତକ ହାସଲ କରିଥିଲେ । ସଞ୍ଜୁ ୭ ଓ ଗାଏକୱାଡ୍ ୨୮ ରନ କରିଥିଲେ । ପ୍ରାରମ୍ଭିକ ବଡ଼ ଖେଳାଳି ବ୍ୟାଟିଂରେ ଦଳକୁ ନିରାଶ କରିବା ଯୋଗୁ ଦଳ ବାରମ୍ବାର ବିଫଳ ହେଉଛି । ସେମିତି ଦଳର ବୋଲିଂ ମଧ୍ୟ ପ୍ରଭାବଶାଳୀ ରହୁ ନାହିଁ । ଧୋନି ପ୍ରଥମ ମ୍ୟାଚ ପୂର୍ବରୁ ଆହତ ହୋଇଥିଲେ । ମଝିରେ ମଝିରେ ତାଙ୍କୁ ଅଭ୍ୟାସ କରିବାର ଦେଖିବାକୁ ମିଳୁଛି । କିନ୍ତୁ ସେ ଏକାଦଶକୁ ଆସୁ ନାହାନ୍ତି । ଧୋନି ନଫେରିବା ଯାଏ ଚେନ୍ନାଇ ସୁପର କିଙ୍ଗ୍ସର ଭାଗ୍ୟ ବଦଳିବ ନାହିଁ ବୋଲି ପ୍ରଶଂସକମାନେ କହୁଛନ୍ତି ।