ନୂଆଦିଲ୍ଲୀ,୧୭।୩: ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ମା’ଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। କୋର୍ଟ କହିଛନ୍ତି, ପୋଷ୍ୟ ଭାବରେ ଗ୍ରହଣ କରିଥିବା ମହିଳାଙ୍କୁ ମଧ୍ୟ ମାତୃତ୍ବ ଛୁଟି ମିଳିବା ଖୁବ୍ ଜରୁରୀ। ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ମହିଳାଙ୍କୁ ଜନ୍ମ ଦେଇଥିବା ମା’ଙ୍କ ଭଳି ସମାନ ମାତୃତ୍ବ ଲାଭ ମିଳିବାର ଅଧିକାର ରହିଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ତିନି ମାସରୁ ଅଧିକ ବୟସର ଶିଶୁକୁ ପୋଷ୍ୟ ଗ୍ରହଣ କରୁଥିବା ମହିଳାଙ୍କୁ ମାତୃତ୍ୱ ଛୁଟିରୁ ବଞ୍ଚିତ କରାଯାଇପାରିବ ନାହିଁ। କୋର୍ଟ କେନ୍ଦ୍ର ସରକାରଙ୍କୁ ପିତୃତ୍ୱ ଛୁଟି ନୀତି କାର୍ଯ୍ୟକାରୀ କରିବା ବିଷୟରେ ବିଚାର କରିବାକୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ମାତୃତ୍ୱ ସୁରକ୍ଷା ଏକ ମୌଳିକ ମାନବିକ ଅଧିକାର।
ସୁପ୍ରିମକୋର୍ଟ ମଙ୍ଗଳବାର (ମାର୍ଚ୍ଚ ୧୭)ରେ ଏକ ଆଇନଗତ ବ୍ୟବସ୍ଥାକୁ ଅଣସାମ୍ବିଧାନିକ ଘୋଷଣା କରିଛନ୍ତି ଯେଉଁଥିରେ ତିନି ମାସରୁ କମ୍ ବୟସର ପିଲାଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରୁଥିବା ମା'ମାନଙ୍କୁ ମ୍ୟାଟରନିଟି୍ ଲିଭ୍ ମିଳୁଥିଲା। କୋର୍ଟ ରାୟ ଦେଇଛନ୍ତି ଶିଶୁଙ୍କ ବୟସ ଯେତେ ବି ହେଉ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ମା'ମାନେ, ୧୨ ସପ୍ତାହ ଛୁଟି ପାଇବାକୁ ହକଦାର।
କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ସାମାଜିକ ସୁରକ୍ଷା ସଂହିତା, ୨୦୨୦ର ଧାରା ୬୦(୪) ଅନୁଯାୟୀ ବୟସ-ଭିତ୍ତିକ ବର୍ଗୀକରଣ ଭେଦଭାଗ ପୂର୍ଣ୍ଣ ଏବଂ ସମ୍ବିଧାନର ଧାରା ୧୪ ଏବଂ ୨୧ ଉଲ୍ଲଂଘନ କରୁଛି। ଏହା ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ମାତୃତ୍ୱ ଛୁଟିର ଉଦ୍ଦେଶ୍ୟ ଏହି କଥା ଉପରେ ନିର୍ଭର କରେନି,କେଉଁ ଶିଶୁ କିଭଳି ପରିବାରକୁ ଆସୁଛି। କୋର୍ଟ କହିଛନ୍ତି ଯେ ଜଣେ ମା' ତିନି ମାସରୁ କମ୍ ବୟସର ଶିଶୁକୁ ଘରକୁ ଆଣନ୍ତୁ କିମ୍ବା ବଡ଼ ଶିଶୁକୁ ପୋଷ୍ୟ ଗ୍ରହଣ କରନ୍ତୁ, ସେମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରାଯିବା ଉଚିତ୍ ନୁହେଁ। କୋର୍ଟ ଆହୁରି କହିଛନ୍ତି ଯେ ପ୍ରଜନନ ସ୍ୱାଧୀନତାର ଅଧିକାର କେବଳ ଜୈବିକ ଜନ୍ମ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହା ପିତାମାତାଙ୍କ ସମ୍ବିଧାନିକ ବୁଝାମଣା ପର୍ଯ୍ୟନ୍ତ ବିସ୍ତାରିତ, ଯେଉଁଥିରେ ପୋଷ୍ୟ ସନ୍ତାନ ଗ୍ରହଣ ମଧ୍ୟ ଅନ୍ତର୍ଭୁକ୍ତ।
ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ସାମାଜିକ କଲ୍ୟାଣ ପଦକ୍ଷେପ ଭାବରେ ପିତୃତ୍ୱ ଅବକାଶ ପ୍ରଚଳନ କରିବା ବିଷୟରେ ବିଚାର କରିବାକୁ ମଧ୍ୟ କହିଛନ୍ତି। ଏହା ଜରିଆରେ କୋର୍ଟ ଦେଖାଶୁଣା ମାମଲାରେ ଅଧିକ ଲିଙ୍ଗ-ନିରପେକ୍ଷ ଏବଂ ସମାବେଶୀ ଦୃଷ୍ଟିକୋଣର ଆବଶ୍ୟକତାକୁ ସୂଚାଇଥିଲେ। ପିଲାମାନଙ୍କ ସ୍ୱାର୍ଥ ଉପରେ ଗୁରୁତ୍ୱାରୋପ କରି, ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତି ଯେ, ବଡ଼ ପିଲାମାନେ, ବିଶେଷକରି ଯେଉଁ ସଂସ୍ଥାରୁ ପୋଷ୍ୟଭାବରେ ଗ୍ରହଣ କରାଯାଇଛନ୍ତି,ତାଙ୍କୁ ନୂଆ ପରିବାରରେ ଭାବନାତ୍ମକ ଭାବରେ ମିଶିବାରେ ଅଧିକ ସମୟ ଲାଗିଥାଏ।
ସୁପ୍ରିମକୋର୍ଟଙ୍କ ଏହି ରାୟ କର୍ଣ୍ଣାଟକର ଓକିଲ ହମସନନ୍ଦିନୀ ନାନ୍ଦୁରିଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନ ଉପରେ ଆସିଛି, ଯିଏ ଏହି ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଥିଲେ, ଯାହା ପୂର୍ବରୁ ମ୍ୟାଟରନିଟି ଆକ୍ଟ , ୧୯୬୧ ରେ ଥିଲା ଏବଂ ପରେ ୨୦୨୦ କୋଡରେ ସାମିଲ ହୋଇଥିଲା। ସେ ଏହାକୁ ମନମୁଖୀ ଏବଂ ପକ୍ଷପାତପୂର୍ଣ୍ଣ ବୋଲି କହିଥିଲେ। ନାନ୍ଦୁରିଙ୍କ ଆବେଦନରେ ଆଇନଜୀବୀ ବାନି ଦୀକ୍ଷିତଙ୍କ ଦ୍ୱାରା ପ୍ରତିନିଧିତ୍ୱ କରାଯାଇଥିଲା, ଏଥିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ଭାରତର ପୋଷ୍ୟ ଗ୍ରହଣ କରିବାର ଢାଞ୍ଚା ତିନି ମାସରୁ କମ୍ ବୟସର ପିଲାମାନଙ୍କୁ ଗ୍ରହଣ କରିବାକୁ ଅନୁମତି ଦିଏ, ଯାହା ଫଳରେ ବୟସର ବାଧା ରହିଥିବାରୁ ଅଧିକାଂଶ କ୍ଷେତ୍ରରେ ଏହି ସୁବିଧା ପ୍ରଭାବହୀନ ହୋଇପଡ଼େ।