ନୂଆଦିଲ୍ଲୀ ୨୬/୧୨: କାନାଡ଼ାରେ ଜଣେ ଶିଖ ଯୁବକଙ୍କ ନ୍ୟାୟିକ ଲଢ଼େଇ ପରେ କୋର୍ଟକୁ ଶପଥ ସହ ଜଡ଼ିତ ଶତାବ୍ଦୀ ପୁରୁଣା ଆଇନକୁ ପରିବର୍ତ୍ତନ କରିବାକୁ ପଡ଼ିଛି । ପଞ୍ଜାବର ଶ୍ରୀ ମୁକ୍ତସର ସାହିବ ଜିଲ୍ଲାର ଭରିଙ୍ଗର ପ୍ରଭଜୋତ ସିଂହ ନିଜର ଶିଖ ଆସ୍ଥା ଆଧାରରେ ଏହି ଲଢ଼େଇ ଲଢ଼ିଛନ୍ତି । ୧୯୮୭ରେ କାନାଡ଼ାରେ ଜନ୍ମିତ ପ୍ରଭଜୋତ ସିଂହ ନିକଟରେ ଓକିଲାତିରେ ଡିଗ୍ରୀ ହାସଲ କରିଥିଲେ ।

କାନାଡ଼ାରେ ଓକିଲାତି ଆରମ୍ଭ କରିବା ପାଇଁ ତାଙ୍କୁ କିଙ୍ଗ୍ ଚାର୍ଲସଙ୍କ ଶପଥ ନେବାର ଥିଲା । କିନ୍ତୁ ସେ ଶପଥ ନେବାକୁ ମନାକଲେ ଏବଂ କହିଲେ, ଗୁରୁ ଗୋବିନ୍ଦ ସିଂହଙ୍କ ଶିଖ ହୋଇଥିବାରୁ ଆଉ କାହାକୁ ନିଜ ଗୁରୁଙ୍କଠୁ ବଡ଼ ବୋଲି ମାନିବେ ନାହିଁ । ସେ ସ୍ପଷ୍ଟ କଲେ ଯେ ସେ ଓକିଲାତି କରିବାକୁ ଚାହାନ୍ତି, କିନ୍ତୁ ଶପଥ ନେବେ ନାହିଁ । ଏ ମାମଲାକୁ ନେଇ ପ୍ରଭଜୋତ ପ୍ରଥମେ ତଳ କୋର୍ଟରେ ଅପିଲ କଲେ । ସେଠାରେ ତାଙ୍କ ଆବେଦନ ଖାରଜ ହେବା ପରେ ସେ କାନାଡ଼ା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ । ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ୧୯୧୨ରୁ ଲାଗୁ ଆଇନ ଉପରେ ବିଚାର କଲେ । ଶେଷରେ ନିର୍ଦ୍ଦେଶ ଦେଲେ, ଏଣିକି କୌଣସି ବ୍ୟକ୍ତି ପାଇଁ କୌଣସି ପଦ ହାସଲ ପୂର୍ବରୁ ରାଜାଙ୍କ ଶପଥ ନେବା ଅନିବାର୍ଯ୍ୟ ହେବ ନାହିଁ । ଏହି ନିଷ୍ପତ୍ତି ଦ୍ୱାରା କେବଳ ଶିଖ ସମୁଦାୟ ନୁହେଁ, ଶପଥ ସମ୍ପର୍କିତ ଅନିବାର୍ଯ୍ୟତାକୁ ନେଇ ଅସହଜ ମଣୁଥିବା ଅନ୍ୟମାନଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିଛି । କାନାଡ଼ାରେ ଏହି ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।