ପାଟନା,୫।୧୧:  ଆସନ୍ତା କାଲି ଅର୍ଥାତ ଡିସେମ୍ବର ୬ରେ ବିହାରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ନିଜର ସବୁ ଶକ୍ତି ଲଗାଇ ଦେଇଛନ୍ତି ସମସ୍ତ ଦଳ। ତେବେ ନିର୍ବାଚନ ପୂର୍ବରୁ ଏନ୍‌ଡିଏ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାନଝିଙ୍କ ସମୁଦୁଣୀଙ୍କ ଉପରେ  ଆକ୍ରମଣ ହୋଇଛି। ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚା (ହମ୍)ର ସେକୁଲାର ପ୍ରାର୍ଥୀ ଏବଂ ବିଧାୟିକା ଜ୍ୟୋତି ଦେବୀଙ୍କ ଉପରେ ବୁଧବାର ନିର୍ବାଚନ ପ୍ରଚାର ବେଳେ​‌ କିଛି ଅସାମାଜିକ ବ୍ୟକ୍ତି ଆକ୍ରମଣ କରିଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ୪ ରୁ ୫ ଜଣ ବ୍ୟକ୍ତି ଇଟା ଓ ପଥରରେ ଜ୍ୟୋତି ଦେବୀଙ୍କ ଉପରକୁ ଆକ୍ରମଣ କରିଥିଲେ। ଗୋଟିଏ ଇଟା ସିଧା ଯାଇ ବାଜିଥିଲା ଜ୍ୟୋତିଙ୍କ ଛାତିରେ। ଏହାଦ୍ବାରା ତାଙ୍କୁ ଗଭୀର ଆଘାତ ଲାଗିଛି। ଆକ୍ରମଣ ପରେ ଲୋକମାନେ ଭୟରେ ଦୌଡା ଦୌଡି କରିବା ଆରମ୍ଭ କରିଦେଥିଲେ।ତେବେ ଆକ୍ରମଣ କିଏ କରିଥିଲା ତାହା ଜଣାପଡିନି।ଘଟଣାଟି ସୁଲେବଟ୍ଟା ଫ୍ଲାଏଓଭର ନିକଟରେ ଘଟିଛି। ଯେତେବେଳେ ବିଧାୟିକା ଭଲୁଆ ଅଭିମୁଖେ ୧୦ଟି ଗାଡି ନେଇ ନିର୍ବାଚନ ପ୍ରଚାର ପାଇଁ ବାହାରୁଥିଲେ, ସେତେବେଳେ ଆକ୍ରମଣ ହୋଇଥିଲା। ସୁରକ୍ଷାକର୍ମୀ ଓ ସମର୍ଥକ ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର,ବାରାଚଟ୍ଟୀରେ ପହଁଞ୍ଚାଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ସ୍ଥିତି ଗୁରୁତର ଦେଖି ମଗଧ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା।

ଜ୍ୟୋତି ମାଝି ଅଭିଯୋଗ କରିଛନ୍ତି ଯେ, ଏହି ଆକ୍ରମଣ ଆରଜେଡି ସମର୍ଥକ କରିଛନ୍ତି। ସେ କହିଛନ୍ତି, ଯେଉଁଠିକୁ ଜନସମ୍ପର୍କ ପାଇଁ ଯାଉଛି, ସେଠାରେ ଲାଲୁ ଯାଦବ ଜିନ୍ଦାବାଦ ଓ ଆମ ବିରୋଧରେ ନାରା ଦିଆଯାଉଛି। ମୋ ଉପରେ ମରଣାନ୍ତକ ଆକ୍ରମଣ ଆରଜେଡି କରିଛି। ତେବେ ସେ କୌଣସି ବ୍ୟକ୍ତିର ନାଁ ନେଇ ନାହାନ୍ତି। ସେପେଟ ଆରଜେଡି ଜ୍ୟୋତିଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ଆରଜେଡି ଅଧ୍ୟକ୍ଷ କୃଷ୍ଣ ପ୍ରସାଦ ଯାଦବ କହିଛନ୍ତି, ଜ୍ୟୋତି ହାରିବାକୁ ଯାଉଥିବାରୁ ଏଭଳି ସହାନୁଭୂତି ପାଇବାକୁ ଷଡଯନ୍ତ୍ର କରୁଛନ୍ତି।