ନୂଆଦିଲ୍ଲୀ: ବିହାର ରାଜନୀତିରେ ହଟଚମଟ। ଧାରଣାରଥ ଛାତ୍ର ମାନଙ୍କ ଉପରେ ଲାଠି ଚାଳନା କରିବା ବିହାର ପୋଲିସକୁ ମହଙ୍ଗା ପଡ଼ିଛି। ହରଡ଼ଘଣାରେ ପଡିଛି ବିହାର ପୋଲିସ। ଏହି ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧି ଦଳ।
ସୂଚନା ମୁତାବକ, ବିପିଏସସିର ୭୦ ତମ ପ୍ରରମ୍ଭିକ ପରିକ୍ଷାକୁ ଆଉଥରେ କରିବା ପାଇଁ ଦାବି କରି ହଜାରହଜାର ଆଶାୟୀ ରବିବାର ପଟନାର ଗାନ୍ଧୀ ମଇଦାନରେ ଧାରଣା ଦେଇଥିଲେ। ଏହି ଧାରଣାରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବା ପାଇଁ ସମସ୍ତେ ଦାବି କରିଥିଲେ। ଗତ ଡିସେମ୍ବର ୧୩ ତାରିଖରୁ ଏହି ଧାରଣା ଚାଲୁ ରହିଛି। ବିହାରର ଅନେକ ରାଜନୈତିକ ଦଳର ନେତା, ଶିକ୍ଷାବିତ୍ ଓ ବିଭିନ୍ନ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଏହି ଧାରଣାରେ ଆଶାୟୀ ମାନଙ୍କ ସହ ଯୋଗ ଦେଇଥିଲେ।
ଏହି କ୍ରମରେ ଭାରତର ରାଜନୀତିରେ ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ବିରୋଧରେ ରବିବାର ରାତିରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ବିହାର ଜନସେବା ଆୟୋଗ(ବିପିଏସସି)ର ଆଶାୟୀ ମାନଙ୍କ ସହ ଧାରଣା ଦେବାରୁ ତାଙ୍କ ଉପରେ ଏହି ମାମଲା ରୁଜୁ କରାଯାଇଥିଲା। କିଶୋର ଓ ତାଙ୍କ ସହଯୋଗିମାନେ ଆଶାୟୀ ମାନଙ୍କୁ ଧାରଣା ଦେବା ସହ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ଉସୁକାଇଥିବାରୁ ତାଙ୍କ ଉପରେ ମାମଲା ରୁଜୁ ହୋଇଥିଲା ବୋଲି ଆଧିକାରିକ ସ୍ତରରୁ ସୂଚନା ମିଳିଛି।
ତେବେ ତାଙ୍କ ବିରୋଧରେ ମାମଲା ରୁଜୁ ହେବାପରେ ଏବେ ବିହାର ରାଜନୀତି ସରଗରମ ହୋଇପଡ଼ିଛି। କାଲି ସଂଧ୍ୟା ସୁଦ୍ଧା ତାଙ୍କ ସହ ଅନ୍ୟ ମାନଙ୍କ ବିରୋଧରେ ହୋଇଥିବା କେସ ସଂପର୍କରେ ଜାଣି ଛାତ୍ରମାନେ ଉତକ୍ଷିପ୍ତ ହୋଇପଡିଥିଲେ। ପୋଲିସ ନେଉ଼ଥିବା କାର୍ଯ୍ୟାନୁଷ୍ଟାନର ବିରୋଧ କରିବାରୁ ପୋଲିସ ଛାତ୍ର ମାନଙ୍କ ଉପରେ ଲାଠିଚାଳନା ଆରମ୍ଭ କରିଦେଇଥିଲା। ପୋଲିସର ଏହି ପାଲଟା ଜବାବ ଯୋଗୁଁ ପଟନାର ଗାନ୍ଧୀ ମୈଦାନରେ ହେଉଥିବା ଏହି ବିରୋଧ ପ୍ରଦର୍ଶନ ବର୍ତ୍ତମାନ ସମଗ୍ର ବିହାରରେ ବ୍ୟପିବାକୁ ଲାଗିଲାଣି।
ଏହି ମାମଲାରେ କିଶୋରଙ୍କ ସହ ୧୯ ଜଣଙ୍କଠୁ ଅଧିକଙ୍କ ନାମ ରହିଛି। ଜନ ସୁରଜ ଦଳର ଅଧ୍ୟକ୍ଷ ମନୋଜ ଭାରତୀ, ଏକ କୋଚିଂ ସେଣ୍ଟର ଚଲାଉଥିବା ନିଖିଲ ମମି ତିୱାରି ଙ୍କ ସମେତ ସୁବାସ କୁମାର ଠାକୁର, ସୁଭମ ସ୍ନେହଲିଲଙ୍କ ସମେତ ପ୍ରଶାନ୍ତ କିଶୋରଙ୍କ ଦୁଇଜଣ ଅଙ୍ଗରକ୍ଷୀମାନଙ୍କ ନାଁରେ ମାମଲା ରହିଛି। ଏଥିସହ ୬୦୦ରୁ ଅଧିକ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମଧ୍ୟ ଏହି ମାମଲା ରୁଜୁ କରାଯାଇଛି। ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯାଉଛି ବୋଲି ପଟନାର ଜିଲ୍ଲା ମାଜିଷ୍ଟେଟ ଘୋଷଣା କରିଛନ୍ତି।
ରବିବାର କିଶୋର ଧାରଣା ଦେଉଥିବା ଆଶାୟୀ ମାନଙ୍କୁ ସମର୍ଥନ କରିବା ପାଇଁ ପଟନାର ଗାନ୍ଧୀ ମଇଦାନରେ ପହଞ୍ଚିଥିଲେ। ଏହି ଧାରଣାରେ ଯୋଗଦେଇ ପ୍ରଶାନ୍ତ ବିହାରରେ ହେଉଥିବା ପରିକ୍ଷାରେ ଦୁର୍ନିତି ଉପରେ ନିଜ ବକ୍ତବ୍ୟ ରଖିଥିଲେ। ନୀତିଶ କୁମାରଙ୍କୁ ବ୍ୟକ୍ତିଗତ ଭାବେ ଦିଲ୍ଲୀ ଯିବାକୁ ସମୟ ଅଛି କିନ୍ତୁ ବିହାରର ଯୁବକ ମାନଙ୍କ ସହ ଆଲୋଚନା କରିବା ପାଇଁ ସମୟ ନାହିଁ। କିନ୍ତୁ ମୁଁ ଆଶାୟୀ ମାନଙ୍କ ସହ ଅଛି ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ।
ଏହାକୁ ନେଇ ଏବେ ବିହାର ରାଜନୀତି ଉସ୍ମ ରହିଛି। ଏହି ପରିପ୍ରେକ୍ଷିରେ ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରଶାନ୍ତ କିଶୋରଙ୍କୁ ଛାତ୍ର ବିରୋଧକୁ ବିଭ୍ରାନ୍ତ କରିଥିବା ଅଭିଯୋଗ କରିବା ସହ ପୋଲିସ ଓ ଛାତ୍ର ସଂଘର୍ଷ ପାଇଁ ବିହାର ସରକାରଙ୍କୁ ଦାୟୀ କରିଛନ୍ତି।
ଦୁଇ ସପ୍ତାହ ପୁର୍ବେ ଏହି ଧାରଣା ଛାତ୍ର ମାନଙ୍କ ଦ୍ୱାରା ଗର୍ଦନି ବାଗଠାରେ ଆରମ୍ଭ କରାଯାଇଥିଲା। ଯେଉଁଠିକୁ ମୁଁ ମଧ୍ୟ କିଛିଦିନ ତଳେ ଯାଇଥିଲି। ମୁଁ ସେଠାରେ ଛାତ୍ରଙ୍କୁ ଉତ୍ତେଜିତ କଲାଭଳି କିଛି କହିନଥିଲି। କିନ୍ତୁ ସେଠାରେ କିଛି ଏପରି ଲୋକ ଥିଲେ ଯେଉଁମାନେ ଏହି ଘଟଣାକୁ ରାଜନୈତିକ ରୁପ ଦେବାକୁ ଚେଷ୍ଟା କରୁଥିଲେ ବୋଲି ତେଜସ୍ୱୀ କହିଛନ୍ତି।
ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯିବା ସତ୍ତ୍ୱେ ବିକ୍ଷୋଭକାରୀମାନେ ଷଡ଼ଯନ୍ତ୍ରକାରିଙ୍କ ଡାକରାରେ ଗାନ୍ଧୀ ମଇଦାନ ଆଡ଼କୁ ଅଗ୍ରସର ହୋଇଥିଲେ। ଯେତେବେଳେ ପୋଲିସର ଲାଠି ଚାର୍ଜ ଓ ଜଳ ତୋପକୁ ସାମ୍ନା କରିବାର ସମୟ ଆସିଲା, ଯେଉଁମାନେ ଏହି ବିକ୍ଷୋପର ନେତୃତ୍ୱ ନେଇଥିଲେ ସେମାନେ ଏହାର ସାମ୍ନା ନକରି ଛତ୍ରଭଙ୍ଗ ଦେଇଥିଲେ। କେବଳ ଯାହା ଛାତ୍ରମାନେ ଏଥିଯୋଗୁଁ ଅସୁବିଧାର ସମ୍ମୁଖିନ ହେଲେ ବୋଲି ସେ ନିଜ ବକ୍ତବ୍ୟରେ କହିଛନ୍ତି।
ଡିସେମ୍ବର ୧୩ରେ ଅନୁଷ୍ଠିତ ମିଳିତ ପ୍ରତିଯୋଗୀତା ପରୀକ୍ଷା ବାତିଲ କରିବାକୁ ବିକ୍ଷୋଭକାରୀଙ୍କ ଦାବିକୁ ରାଜନୈତିକ ସ୍ତରରେ ଆରଜେଡି ବ୍ୟବହାର କରିବ ବୋଲି ତେଜସ୍ୱୀ ଯାଦବ ପ୍ରତିଶ୍ରୁତି ଦେଇଛନ୍ତି। ପାଞ୍ଚ ଲକ୍ଷ ପ୍ରାର୍ଥୀ ରାଜ୍ୟର ୯୦୦ରୁ ଅଧିକ କେନ୍ଦ୍ରରେ ପରିକ୍ଷା ଦେଇଥିଲେ। ସମସ୍ତଙ୍କ ସ୍ୱପ୍ନ ଦେକିବାର ଅଧିକାର ରହିଛି। ଶସ୍ତା ରାଜନୀତି ଯୋଗୁଁ କାହା ସ୍ୱାର୍ଥରେ ଆଞ୍ଚ ଆସିବ ନାହିଁ ବୋଲି ତେଜସ୍ୱୀ କହିଛନ୍ତି।