ନୂଆଦିଲ୍ଲୀ : ବିହାରର ଶେଖପୁରାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ମାଆ ଏବଂ ପୁଅ ମଧ୍ୟ ଅଛନ୍ତି। ଟ୍ରକ୍ ଏକ ଅଟୋ-ରିକ୍ସା ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଶେଖପୁରା ଥାନା ଅନ୍ତର୍ଗତ ଏକସାରି ବିଘା ନିକଟରେ ଘଟିଥିବା ଏହି ଦୁର୍ଘଟଣା ଏବେ ସ୍ଥାନୀୟ ଅଂଚଳରେ ଦୁଃଖର ବାତାବରଣ ସୃଷ୍ଟି କରିଛି ।

ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ସାତରୁ ଆଠ ଜଣ ଆହତଙ୍କୁ ଚିକିତ୍ସା ପାଇଁ ପାୱାପୁରୀ ପଠାଯାଇଛି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ସୂଚନା ମୁତାବକ ଅଟୋରେ ଥିବା ଲୋକ ମାନେ ଶେଖପୁରା ଯାଉଥିଲେ। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଅଟୋରେ ୧୨-୧୩ ଜଣ ଲୋକ ଥିଲେ। ଘଟଣା ପରେ ଟ୍ରକକୁ ଜବତ କରାଯାଇଛି । ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଘଟଣା ସ୍ଥଳରେ ଡିଏସ୍ପି ସମେତ ଏକ ବଡ଼ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି, "ଶେଖପୁରାର ଚେୱାରା ଥାନା ଅଞ୍ଚଳରେ ଏକ ଟ୍ରକ୍ ଏବଂ ଅଟୋ ମଧ୍ୟରେ ଧକ୍କା ହେବା ଯୋଗୁଁ ଜୀବନହାନି ଖବର ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ। ଭଗବାନ ଦିବଙ୍ଗତ ଆତ୍ମାକୁ ତାଙ୍କ ପାଦରେ ସ୍ଥାନ ଦିଅନ୍ତୁ। ପ୍ରଭାବିତ ପରିବାରକୁ ମୋର ସମବେଦନା। ମୁଁ ଆହତ ମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।