ସୋର, ୫/୮(ସ୍ୱପ୍ର): ସୋର ପୌରପାଳିକା ଅନ୍ତର୍ଗତ ଉତ୍ତରେଶ୍ୱର ନିକଟରୁ ଦିନ ଦ୍ବିପ୍ରହରେ ଜଣେ ପ୍ରଧାନଶିକ୍ଷକଙ୍କ ବାଇକ ଡ଼ିକି ଭାଙ୍ଗି ୧୯ ହଜାର ଟଙ୍କା ଲୁଟ ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି।
ଖଇରା ଥାନା ଅଚ୍ୟୁତିପୁର ଗ୍ରାମର ଗୌରାଙ୍ଗ ଚରଣ ବେହେରା ଓହଡ଼ ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ। ଶ୍ରୀ ବେହେରା ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଟଙ୍କା ଉଠାଇବା ପାଇଁ ସୋର ଷ୍ଟେସନ ଛକ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଆସିଥିଲେ।ସେଠାରୁ ୧୯ ହଜାର ଟଙ୍କା ଉଠାଇ ବାଇକ ଡ଼ିକିରେ ରଖିଥିଲେ। ଉତ୍ତରେଶ୍ୱର ନିକଟରେ ବାଇକକୁ ରଖି ଫଳ ଦୋକାନରୁ ଫଳ କିଣିବା ପାଇଁ ଯାଇଥିବା ବେଳେ କେହି ଦୁର୍ବୁର୍ତ୍ତ ବାଇକ ଡ଼ିକି ଭାଙ୍ଗି ଟଙ୍କା ନେଇଯାଇଥିଲେ। ଶ୍ରୀ ବେହେରା ସଂଗେ ସଂଗେ ବାଇକ ନିକଟକୁ ଆସି ଡ଼ିକି ଖୋଲା ଥିବା ଏବଂ ସେଥିରେ ଟଙ୍କା ନ ଥିବା ଦେଖି ତୁରନ୍ତ ସୋର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୂଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ସୋର ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଉଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।