ଭୁବନେଶ୍ୱର,୨୮/୦୫ : ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟ୍ । ଜାଗମରା ଛକ ଚଳଚଞ୍ଚଳ । ଛକ କଡ଼ରେ ୨-୩ ଟ୍ରାଫିକ୍ କର୍ମଚାରୀ ଓ ହୋମଗାର୍ଡ ଡ୍ୟୁଟି କରୁଥାନ୍ତି । ହଠାତ୍ ଟ୍ରାଫିକ୍ ପୋଷ୍ଟ ଆଡୁ ଜଣେ ଚୋର ପ୍ରମେୟ ଅଫିସ ଗଳିରେ ପଶିଲା । ଗଳି ରାସ୍ତାରେ ୨ ରାଉଣ୍ଡ ଚକ୍କର କାଟିଲା । ନିରିଖେଇ ଚାରିଆଡ଼େ ଉଣ୍ଡିଲା । ଟ୍ରାଫିକ୍ ସାମ୍ନା ରାସ୍ତାକଡ଼ରେ ରଖାଯାଇଥିବା ଏକ ବାଇକ୍ରେ ବସିଲା । ହ୍ୟାଣ୍ଡେଲକୁ ୨ ଥର ଖୁବ୍ ଜୋର୍ରେ ଟାଣି ଲକ୍ ଭାଙ୍ଗିଦେଲା । ଆଉ ଆଖି ପିଛୁଳାକେ ପୋଖରୀପୁଟ ଆଡ଼େ ବାଇକ୍ ନେଇ ପଳାଇଲା । ମଙ୍ଗଳବାର ସନ୍ଧ୍ୟାରେ ଏଭଳି ଢଙ୍ଗରେ ଛକ ଉପରୁ ବାଇକ୍ ଚୋରି ହୋଇଛି ।
ଚୋରିର ଶିକାର ହୋଇଛନ୍ତି ‘ପ୍ରମେୟ’ ବିତରଣ ବିଭାଗର କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ବରାଳ । ସେ ବାଇକ୍ ରଖି ଅଫିସକୁ ଯାଇଥିବା ବେଳେ ଏହି ଚୋରି ହୋଇଛି । ଚୋର ଟ୍ରାଫିକ୍ ଛକରେ ଜଗିଥିବା ପୁଲିସ କର୍ମଚାରୀଙ୍କୁ ଚକ୍ମା ଦେଇ ବାଇକ୍ ନେଇ ଖସି ପଳାଇଛି । ଖଣ୍ଡଗିରି ଥାନାରେ ଏନେଇ ଶ୍ରୀ ବରାଳ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସନ୍ଧ୍ୟା ବେଳେ ସର୍ବସାଧାରଣରେ ଏଭଳି ଚୋରି ଘଟଣା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।
ସୂଚନା ମୁତାବକ, ଅପରାହ୍ଣ ସାଢ଼େ ୪ଟା ବେଳେ ଶ୍ରୀ ବରାଳ ତାଙ୍କ ବାଇକ୍ ରାସ୍ତାକଡ଼ରେ ରଖି ପ୍ରମେୟ ଅଫିସକୁ ଯାଇଥିଲେ । ସେ ସନ୍ଧ୍ୟା ସାଢ଼େ ୬ଟା ବେଳକୁ ଫେରି ଦେଖିଲାବେଳକୁ ରାସ୍ତାକଡ଼ରେ ତାଙ୍କ ବାଇକ୍ ନାହିଁ । ପ୍ରମେୟ ଅଫିସ ସିସି କ୍ୟାମେରାକୁ ଯାଞ୍ଚରୁ ଜଣାପଡି଼ଛି, ଚୋର ଧଳାସାର୍ଟ ସାଙ୍ଗକୁ କଳା ପ୍ୟାଣ୍ଟ ପିନ୍ଧିଥିଲା । ଠିକ୍ ସନ୍ଧ୍ୟା ୬ଟା ୧୮ ମିନିଟ୍ରେ ବାଇକ୍ ନେଇ ପୋଖରୀପୁଟ ଆଡ଼େ ପଳାଇଥିଲା । ପୁଲିସ ଏହି ତଥ୍ୟ ଆଧାରରେ ଭିକ୍ଟୋର କଣ୍ଟ୍ରୋଲ ରୁମ୍ରୁ ତଥ୍ୟ ମଗାଇଥିଲା । ସେଥିରୁ ଜଣାପଡି଼ଥିଲା ଯେ, ସନ୍ଧ୍ୟା ୬ଟା ୪୨ ମିନିଟ୍ରେ ବାଇକ୍ଟି ଶିଶୁଭବନ ଛକରୁ ରାଜମହଲ ଆଡ଼କୁ ଯାଉଥିଲା । କିନ୍ତୁ ବାଇକ୍ ଚଳାଉଥିବା ଚୋର କଳା-ଧଳା ରଙ୍ଗର ଏକ ସାର୍ଟ ପିନ୍ଧିଥିଲା । ଏହି ଚୋରିରେ ଏକାଧିକ ଚୋରଙ୍କ ସମ୍ପୃକ୍ତି ରହିଥିବା ପୁଲିସ ସନ୍ଦେହ କରୁଛି ।