ରଗଡ଼ି,୩୧/୩ : ଯାଜପୁର ଜିଲ୍ଲା କୋରେଇ ଥାନା କନ୍ତୋର ପଞ୍ଚାୟତ ପୂର୍ବକୋଟ ତେଲେଙ୍ଗା ବସ୍ତିରେ କୋରେଇ ପୁଲିସକୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଚୋରି ବାଇକ୍‌ ଉଦ୍ଧାର କରିବାକୁ ଯାଇ ଖୋଦ କୋରେଇ ଥାନାଧିକାରୀଙ୍କ ସମେତ ଥାନାର କିଛି କର୍ମଚାରୀ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଥାନାଧିକାରୀ ଆକ୍ରମଣରେ ଆହତ ହୋଇଥିବା ବେଳେ ଦୁର୍ବୃତ୍ତ ତାଙ୍କ କବଳରୁ ବାଇକ୍‌ ଚୋର ଓ ଚୋରା ବାଇକ୍‌କୁ ଛଡ଼ାଇ ନେଇଛନ୍ତି । ଉତ୍ତେଜନା ନିୟନ୍ତ୍ରଣ କରିବାକୁ ୪ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୁଲିସ କନ୍ତୋର ସରପଞ୍ଚଙ୍କ ସମେତ ୧୩ ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି । ବସ୍ତିର କିଛି ପୁରୁଷ ଓ ମହିଳା ଗିରଫ ଭୟରେ ବସ୍ତି ଛାଡ଼ି ପଳାଇଛନ୍ତି । ଚଳିତ ମାସ ୨୨ ତାରିଖ ରାତିରେ କୁଆଖିଆ ମେଲଣ ଜମିଥିଲା । ନରେନ୍ଦ୍ର ରାଉଳ ନାମକ ବ୍ୟକ୍ତି ସମବାୟ କାର୍ଯ୍ୟାଳୟ ନିକଟରେ ବାଇକ୍‌ ରଖି ମେଲଣ ଦେଖିବାକୁ ଯାଇଥିଲେ । ସେଠାରୁ ଫେରି ରଖିଥିବା ସ୍ଥାନରେ ବାଇକ୍‌କୁ ନପାଇ ଖୋଜାଖୋଜି କରି ନିରାଶ ହୋଇ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ଗ୍ରହଣ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । 

ଘଟଣାକୁ ୧ସପ୍ତାହ ବିତିବାକୁ ବସିଥିବା ବେଳେ ଆଜି ନରେନ୍ଦ୍ର ଘରକୁ ବିଜୁଳି ବିଲ୍‌ ଆଦାୟ କରିବାକୁ ଆସିଥିବା ବିଦ୍ୟୁତ୍‌ କର୍ମଚାରୀଙ୍କ ଠାରୁ କୋରେଇ ଥାନା ପୁଲିସ ପ୍ରାୟ ୭ଟି ଚୋରି ବାଇକ୍‌ ଉଦ୍ଧାର କରିଥିବା ଖବର ପାଇଥିଲେ । ପୁଅକୁ ଧରି ନରେନ୍ଦ୍ର କୋରେଇ ଥାନାରେ ପହଞ୍ଚି ଥିଲେ । ଥାନାରେ ଉଦ୍ଧାର ହୋଇଥିବା ବାଇକ୍‌ ଭିତରେ ତାଙ୍କ ବାଇକ୍‌ ନଥିବା ଜାଣି ନିରାଶ ହୋଇପଡ଼ିଥିଲେ । ଏହି ସମୟରେ ଜନୈକ ବ୍ୟକ୍ତିଙ୍କ ସୂଚନା ବଳରେ ନରେନ୍ଦ୍ର ପୂର୍ବକୋଟ ହାଟରେ ପହଞ୍ଚି ଥିଲେ । ସେଠାରେ ନିଜ ବାଇକ୍‌କୁ ଦେଖି ଆଣିବାକୁ ଉଦ୍ୟମ କରିବାରେ ଦୁବୃ ର୍ତ୍ତ ତାଙ୍କୁ ବିରୋଧ କରିଥିଲେ । ନରେନ୍ଦ୍ର ଏ ନେଇ କୋରେଇ ଥାନାଧିକାରୀ ରାକେଶ କୁମାର ତ୍ରିପାଠୀଙ୍କୁ ଯୋଗାଯୋଗ କରି ଜଣାଇଥିଲେ । ଶ୍ରୀ ତ୍ରିପାଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରୁଥିବା ଦୁଇଜଣଙ୍କୁ ଉଠାଇ ଆଣି ପୁଲିସ ଗାଡ଼ିରେ ବସାଇଥିଲେ । ଏହି ଖବର ପାଇବା ପରେ ବସ୍ତିର କିଛି ମହିଳା ପହଞ୍ଚି ଥାନାଧିକାରୀଙ୍କ ସହ ପାଟିତୁଣ୍ଡ କରିଥିଲେ । ଘଟଣାକ୍ରମେ ଗଣ୍ଡଗୋଳର ରୂପ ନେଇଥିଲା । ବସ୍ତିର ମହିଳାମାନେ ଥାନାଧିକାରୀଙ୍କ ସହ ପୁଲିସ କର୍ମଚାରୀଙ୍କୁ ଠେଲାପେଲା କରିବା ସହିତ ଢ଼େଲା ମାଡ଼ କରି ବାଇକ୍‌ ଚୋର ଓ ଚୋରା ବାଇକ୍‌କୁ ଛଡ଼ାଇ ନେଇଥିଲେ । ଏଥିରେ ପୁଲିସ ଗାଡ଼ି ଭାଙ୍ଗିରୁଜି ଯାଇଥିବା ବେଳେ ଥାନାଧିକାରୀ ଶ୍ରୀ ତ୍ରିପାଠୀ ଆହତ ହୋଇଥିଲେ । ପୁଲିସ ଫୋର୍ସ ଘଟଣାସ୍ଥଳରୁ କନ୍ତୋର ସରପଞ୍ଚ ସାରଙ୍ଗ ପ୍ରଧାନଙ୍କ ସମେତ ୧୩ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ କହିଛନ୍ତି ।