ନୂଆଦିଲ୍ଲୀ,୩।୧୨: ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲ୍‌ ଗେଟସଙ୍କ ଏକ ବୟାନକୁ ନେଇ ଆରମ୍ଭ ହୋଇଛି ବିବାଦ। ଏହି କାରଣରୁ ସୋସିଆଲ ମିଡିଆରେ ତାଙ୍କୁ କରାଯାଉଛି ଖୁବ୍ ଟ୍ରୋଲ। ତାଙ୍କୁ ନେଇ ୟୁଜର ଦେଉଛନ୍ତି ଭିନ୍ନ ଭିନ୍ନ ପ୍ରତିକ୍ରିୟା। ନିକଟରେ ସେ ଲିଙ୍କଡିନ୍‌ର ସହ- ସଂସ୍ଥାପକ ରିଡ୍‌ ହାଫମ୍ୟାନ୍‌ଙ୍କ ସହ ଏକ ‘ପୋଡକାଷ୍ଟ’ରେ ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ। ତେବେ ଏଥିରେ ଭାରତକୁ ନେଇ ସେ ଏଭଳି କଛି କହିଦେଲେ ଯେ, ସୋସିଆଲ ମିଡିଆରେ ବହୁ ୟୁଜର ଅସନ୍ତୋଷ ପ୍ରକାଶ କରିଛନ୍ତି। 

ବିଲ୍‌ଗେଟସ୍‌ ଏହି ଇଣ୍ଟରଭ୍ୟୁରେ ଭାରତକୁ ’ଏକ ପ୍ରକାର ପ୍ରୟୋଗଶାଳା’ ବୋଲି କହି ଆରମ୍ଭ କରିଛନ୍ତି ବିବାଦ। ସେ କହିଛନ୍ତି, ଭାରତ ଏକ ଏଭଳି ଦେଶର ଉଦାହରଣ ଯେଉଁଠି ବହୁ ଜିନିଷ ଖୁବ୍ କଷ୍ଟକର। ଏହା ଭିତରେ ସ୍ବାସ୍ଥ୍ୟ, ପୋଷଣ ଏବଂ ଶିକ୍ଷାର ବିକାଶ ହେଉଛି। ଏବେ ସ୍ଥିତି ଠିକ୍ ଅଛି ଓ ସରକାରଙ୍କ ପାଖରେ ରେଭିନ୍ୟୁ ପର୍ଯ୍ୟାପ୍ତ ପରିମାଣର ରହିଛି। ଫଳରେ ଆଗାମୀ ୨୦ ବର୍ଷ ପରେ ସାଧାରଣ ଲୋକଙ୍କର ସ୍ଥିତିରେ ଆହୁରି ଉନ୍ନତି ହୋଇପାରେ।ଏଠାରେ ବହୁ ଜିନିଷକୁ ପରୀକ୍ଷଣ କରାଯାଏ। ଯେତେବେଳେ କୌଣସି ଜିନିଷ ସଫଳ ହୁଏ ତାକୁ ଅନ୍ୟ ଦେଶକୁ ନିଆଯାଏ।’

ସେ କହିଛନ୍ତି, ଆମେରିକା ବାହାରେ ଭାରତରେ ତାଙ୍କର ବହୁତ ବଡ଼ ଅଫିସ ଅଛି।  ପାଇଲଟ୍‌ ପ୍ରୋଜେକ୍ଟରେ  ଯେଉଁ କାମ ହେଉଛି, ସେଥିରେ ସବୁଠାରୁ  ଅଧିକ ଇଣ୍ଡିଆରେ ପାଟନର୍ସଙ୍କ ସହ କରାଯାଉଛି। ତାଙ୍କର ଏହି ବୟାନକୁ ଭାରତର ଅଧିକାଂଶ ଲୋକ ପସନ୍ଦ କରିନାହାଁନ୍ତି। ଭାରତର ୟୁଜର କହିଛନ୍ତି, ବିଲ୍‌ ଗେଟ୍‌ସ ଇଣ୍ଡିଆର ଲୋକଙ୍କୁ ବସ୍ତୁ ରୂପରେ ଦେଖୁଛନ୍ତି। ତାଙ୍କର କୌଣସି ପ୍ରୟୋଗ ସଫଳ ହେଲେ ସେ ଏହାକୁ ଆମେରିକାରେ ଲାଗୁ କରନ୍ତି। ଆହୁରି ଅନେକ ୟୁଜର ଲେଖିଛନ୍ତି ଇଣ୍ଡିଆର ଲୋକ  ବିଲ୍‌ ଗେଟସ୍‌ଙ୍କ ପାଇଁ ସାମ୍ପଲ ଭଳି।  

ସେପେଟ ବିଲ୍‌ ଗେଟସ୍‌ଙ୍କ ଏହି ବୟାନ ୨୦୦୯ ରେ ଭାରତରେ ହୋଇଥିବା ବିବାଦୀୟ କ୍ଲିନିକାଲ ଟ୍ରାଏଲକୁ ପୁଣିଥରେ ଚର୍ଚ୍ଚାରେ ଆଣିଛି। ଏହି ଟ୍ରାଏଲରେ ’ବିଲ୍‌ ଗେଟସ୍‌ ଫାଉଣ୍ଡେସନ୍‌’ର ଫଣ୍ଡିଂରେ ଏକ କ୍ଲିନିକାଲ ଟେଷ୍ଟରେ ୭ ଜଣ ଆଦିବାସୀ ସ୍କୁଲ ଛାତ୍ରୀଙ୍କ ଜୀବନ ଯାଇଥିଲା ଏବଂ ଅନ୍ୟମାନେ ଗୁରୁତର ହୋଇଥିଲେ। ‘ଦ ସ୍କିନ୍ ଡକ୍ଟର’ ନାମରେ ଜଣାଶୁଣା ସ୍କଟଲାଣ୍ଡର ଜଣେ ଡାକ୍ତର ବିଲ୍‌ ଗେଟସ୍‌ଙ୍କ ବୟାନ ଉପରେ ପୋଷ୍ଟ କରିଛନ୍ତି। ସେ ୨୦୦୯ ରେ ତାଙ୍କ ଦ୍ବାରା ହୋଇଥିବା ବିବାଦୀୟ କ୍ଲିନିକାଲ ଟ୍ରାଏଲର ଉଲ୍ଲେଖ କରିଛନ୍ତି। ଯାହାକୁ ଗେଟସ୍ ଫାଉଣ୍ଡେସନ୍ ଫଣ୍ଡି ଜରିଆରେ PATH (ପୋଗ୍ରାମ ଫର ଆପ୍ରୋପ୍ରିଏଟ୍‌ ଟେକ୍ନୋଲୋଜି ଇନ୍ ହେଲଥ୍) ନାମକ ଏକ ଏନଜିଓ ଆୟୋଜିତ କରିଥିଲା।  ସେ ଲେଖିଛନ୍ତି , PATH ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR) ମିଶି ତେଲେଙ୍ଗାନାର ଖମମ ଜିଲ୍ଲା ଓ ଗୁଜରାଟର ଭଡୋଦରା ଜିଲ୍ଲାର ୧୪,୦୦୦ ଆଦିବାସୀ ସ୍କୁଲ ଝିଅଙ୍କ ଉପରେ ସର୍ଭାଇକାଲ କ୍ୟାନସର ଭ୍ୟାକସିନ୍‌ ପାଇଁ କ୍ଲିନିକାଲ ଟ୍ରାଏଲ କରିଥିଲେ। ଟ୍ରାଏଲ ଆରମ୍ଭ ହେବାର କିଛି ମାସ ପରେ ଛାତ୍ରୀଙ୍କ ଉପରେ ଗମ୍ଭୀର ସାଇଡ୍ ଇଫେକ୍ଟ ପଡିଥିଲା। ଏହାଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା।