ଭୁବନେଶ୍ଵର : ଆଲାସ୍କାରୁ ତାସ୍‌ମାନିଆ ଅବିରତ ୧୩,୫୬୦ କିମି ଉଡ଼ି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ଏକ ଛୋଟ ପକ୍ଷୀ । ଏହି ଅଦ୍ୱିତୀୟ ପରାକ୍ରମ ଲାଗି ‘ବି୬’ ନାମକ ପକ୍ଷୀ ବିଶ୍ୱ ରେକର୍ଡ କରିଛି । ୪ ମାସର ଏହି ବାର୍‌-ଟେଲ୍‌ଡ ଗଡ୍‌ୱିଟ୍‌ ପ୍ରଜାତିର ପକ୍ଷୀ ୨୦୨୨ ମସିହାରେ ମାତ୍ର ୧୧ ଦିନର ଯାତ୍ରାରେ ଏହି ଦୂରତା ଅତିକ୍ରମ କରିଥିଲା । ଏକ ଜନ୍ତୁର ଦୀର୍ଘତମ ଅବିରତ ଉଡ଼ାଣ ଭାବେ ଦୀର୍ଘ ୩ ବର୍ଷ ପରେ ଏହା ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି । ୟୁଏସ୍‌ ଜିଓଲୋଜିକାଲ ସର୍ଭେରେ ଏକ ସାଟେଲାଇଟ୍‌ ଟ୍ୟାଗ୍‌ ଜରିଆରେ ପକ୍ଷୀର ଉଡ଼ାଣକୁ ଟ୍ରାକ୍‌ କରାଯାଇଥିଲା । ଏହାର ଯାତ୍ରା ପକ୍ଷୀ ପ୍ରବାସର ଆଶ୍ଚର୍ଯ୍ୟଚକିତ କାର୍ଯ୍ୟ ଉପରେ ଆଲୋକପାତ କରିଛି ।

ବାର୍‌-ଟେଲ୍‌ଡ ଗଡ୍‌ୱିଟ୍‌ ଏକ ବିଶାଳ ଶୋର୍‌ବାର୍ଡ, ଯାହା ପୃଥିବୀରେ ପକ୍ଷୀଙ୍କ ଦୀର୍ଘତମ ଅବିରତ ପ୍ରବାସ ଉଡ଼ାଣ ପାଇଁ ପ୍ରସିଦ୍ଧ । ଆଲାସ୍କା ଓ ସାଇବେରିଆର ମେରୁ ଅଞ୍ଚଳରେ ପ୍ରଜନନ ସହିତ ଏହି ପକ୍ଷୀ ବର୍ଷରେ ଦୁଇ ଥର ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ନିଜର ଶୀତ ଠିକଣା ଭାବେ ଯାତ୍ରା କରିଥାନ୍ତି । ଆଲାସ୍କାରୁ ନ୍ୟୁଜିଲାଣ୍ଡର ଦୂରତା ହାରାହାରି ୧୧ ହଜାର କିମି ନ ଖାଇ, ନ ପିଇ ଏବଂ ନ ଶୋଇ ମୋଟାମୋଟି ୯ ଦିନରେ ଶେଷ ହୁଏ । ପ୍ରଶାନ୍ତ ମହାସାଗର ଉପରେ ନିରନ୍ତର ଉଡ଼ିବା ସମୟରେ ଗଡ୍‌ୱିଟ୍‌ ଆକାଶର ସଙ୍କେତ, ଚୁମ୍ବକୀୟ କ୍ଷେତ୍ର ଏବଂ ଆଭ୍ୟନ୍ତର କମ୍ପାସର ଉପଯୋଗ ଜରିଆରେ ଠିକ୍‌ ମାର୍ଗରେ ଯାତ୍ରା କରେ ।

ବାର୍‌-ଟେଲ୍‌ଡ ଗଡ୍‌ୱିଟ୍‌ ଏକ ଛୋଟ ପକ୍ଷୀ, ଯାହାର ଓଜନ କେବଳ ୩୦୦-୪୦୦ ଗ୍ରାମ୍‌ । କିନ୍ତୁ ପ୍ରବାସ ପୂର୍ବରୁ ଏହା ନିଜ ଶରୀରରେ ବଡ଼ ପରିବର୍ତ୍ତନ କରେ । ଉଡ଼ାଣର କିଛି ସପ୍ତାହ ପୂର୍ବରୁ ଏହା ବହୁତ ଅଧିକ ଖାଏ । ଶରୀରରେ ଚର୍ବି ଜମା କରେ । ଚର୍ବି ଏତେ ବଢ଼ିଯାଏ ଯେ ପକ୍ଷୀର ଓଜନ ଦୁଇଗୁଣ ହୋଇଯାଏ । ତା’ପରେ ଏହା ନିଜ ଆଭ୍ୟନ୍ତର ଅଙ୍ଗଗୁଡ଼ିକୁ ସଙ୍କୁଚିତ କରିଦିଏ । ଏହାର ପେଟ, ଅନ୍ତଃନଳୀ ଏବଂ ଯକୃତ ୫୫ ପ୍ରତିଶତ ଛୋଟ ହୋଇଯାଏ । ଉଡ଼ାଣ ସମୟରେ ଶରୀରର ଚର୍ବି ତରଳି ତାକୁ ଶକ୍ତି ପ୍ରଦାନ କରେ । ପାଣିର ଆବଶ୍ୟକତା ବି ପୂରଣ କରେ । ଉଡ଼ିବା ସମୟରେ ଏହା ଗୋଟିଏ ଆଖି ବନ୍ଦ କରି ଶୋଇଯାଏ । ଅନ୍ୟ ଆଖିରେ ମାର୍ଗ ଦେଖେ । ବି୬ କିମ୍ବା ଅମୂର୍‌ ଚିଲ ଭଳି ପକ୍ଷୀ ପ୍ରବାସ ସମୟରେ ବଡ଼ ଆହ୍ୱାନର ସମ୍ମୁଖୀନ ହୁଅନ୍ତି । ଏମାନେ ଖାଦ୍ୟପେୟ ଓ ଆରାମ ବିନା ବିଶାଳ ମହାସାଗରକୁ ଅତିକ୍ରମ କରନ୍ତି । ବି୬ର ଯାତ୍ରା ଆହ୍ୱାନଭରା ଜଳବାୟୁ ମଧ୍ୟରେ ପ୍ରଶାନ୍ତ ମହାସାଗର ଉପରେ ଉଡ଼ାଣର ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି ।

ଏହି ଖବରଟିକୁ ପଢନ୍ତୁ- ଆକାଶରୁ ଖସୁଛି ୬୦୦ କିଲୋର ସାଟେଲାଇଟ୍, ପୃଥିବୀରେ ହେବ ମାଡ଼, କେଉଁଠି ପଡ଼ିବ କହିବା ମୁସ୍କିଲ୍...