ନୂଆଦିଲ୍ଲୀ, ୧୦/୦୩ : ଆକାଶରୁ ଖସୁଛି ୬୦୦ କିଲୋର ବିପଦ। ପୃଥିବୀରେ ଧକ୍କା ହେବ ସାଟେଲାଇଟ୍। କେଉଁଠି ପଡ଼ିବ କହିବା ମୁସ୍କିଲ୍। ଆମେରିକା ସ୍ପେସ୍ ଏଜେନ୍ସି ନାସାର ୬୦୦ କିଲୋ ବିଶିଷ୍ଟ ଏକ ସାଟେଲାଇଟ୍ ବୁଧବାର ପୃଥିବୀରେ ପଡ଼ିବାର ସମ୍ଭାବନା ରହିଛି। ଏହା ଦୀର୍ଘ ୧୪ ବର୍ଷ ହେବ ଅର୍ବିଟ୍ ରେ ଥିଲା। ୨୦୧୨ ଅଗଷ୍ଟରେ ଏହାର ଯମଜ, ଭାନ୍ ଏଲନ୍ ପ୍ରୋବ୍ B ସହିତ ପୃଥିବୀ ଚାରିପାଖରେ ଥିବା ବିକିରଣ ବଳୟ ଅଧ୍ୟୟନ କରିବା ପାଇଁ ଉତକ୍ଷେପଣ କରାଯାଇଥିଲା। ଏହି ଉପଗ୍ରହର ନାମ ଭାନ୍ ଏଲନ୍ ପ୍ରୋବ୍ A। 

୨୦୧୯ ମସିହାରେ ଏହି ଦୁଇ ସ୍ପେସକ୍ରାଫ୍ଟକୁ ଡିଆକ୍ଟିଭେଟ୍ କରାଯାଇଥିଲା। ପୃଥିବୀ ବାହାରେ ଭାନ୍ ଏଲନ୍ ପ୍ରୋବ୍ A ର ସମୟ ପ୍ରାୟ ଶେଷ ହୋଇଗଲାଣି। ମାର୍ଚ୍ଚ ୧୧ରେ ଏହା ବାୟୁମଣ୍ଡଳରେ ପୁନଃ ପ୍ରବେଶ କରିବ ବୋଲି ଆମେରିକୀୟ ସ୍ପେସ୍ ଫୋର୍ସ ଅନୁମାନ କରୁଛନ୍ତି। ବୈଜ୍ଞାନିକମାନେ ଏଥିପାଇଁ ୨୪ ଘଣ୍ଟା ସମୟ ଧାର୍ଯ୍ୟ କରିଛନ୍ତି। ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ସାଟେଲାଇଟ୍ ର ଅଧିକାଂଶ ଅଂଶ ଜଳିଯିବ। ହେଲେ କିଛି ଭାଗ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇନପାରେ। ତେବେ ପୃଥିବୀରେ କାହାର କୌଣସି କ୍ଷତି ହେବାର ସମ୍ଭାବନା ଖୁବ୍ କମ୍। କାରଣ ପୃଥିବୀ ପୃଷ୍ଠର ପ୍ରାୟ ୭୦ଭାଗ ଜଳ। ତେଣୁ ସାଟେଲାଇଟ୍ ର ଯେଉଁ ଅଂଶ ପୃଥିବୀରେ ପଡ଼ିବ ତାହା ଜନବସତି ଠାରୁ ଦୂରରେ ସମୁଦ୍ରରେ ପଡ଼ିବାରେ ଅଧିକ ସମ୍ଭାବନା ଅଛି। ହେଲେ କେଉଁଠାରେ ପଡ଼ିବ ତାହା ସ୍ପଷ୍ଟ ହୋଇନାହିଁ।

 ସାଟେଲାଇଟ୍ ଟି ଦ୍ରୁତ ଗତିରେ ଆସୁଥିବାରୁ ଏହାର ସଠିକ୍ ସ୍ଥାନକୁ ନିର୍ଣ୍ଣୟ କରିବା କଷ୍ଟକର। ତଥାପି, ନାସା ଅଧିକାରୀମାନେ ନିରନ୍ତର ଉପଗ୍ରହ ଉପରେ ନଜର ରଖିଛନ୍ତି। ବିକିରଣ ବଳୟ ଅନୁସନ୍ଧାନ କରିବାକୁ ଏହି ସାଟେଲାଇଟ୍ ପଠାଯାଇଥିଲା। ମହାକାଶ ପାଣିପାଗ ଏବଂ ସୌର ବିକିରଣ ଆମ ପୃଥିବୀକୁ କିପରି ପ୍ରଭାବିତ କରେ ତାହା ବୁଝିବାରେ ଏହି ସାଟେଲାଇଟ୍ ସାହାଯ୍ୟ କରିଥିଲା ।

ଏହି ଖବରଟିକୁ ପଢନ୍ତୁ- 'ଆତଙ୍କବାଦକୁ ପୋଷୁଥିବା'...ଜାତିସଂଘରେ ପାକିସ୍ତାନକୁ ଧୋଇଲା ଭାରତ, ରମଜାନରେ ଆଫଗାନ ଉପରେ ଆକ୍ରମଣକୁ ନେଇ ଘେରିଲା