ଜଗତପୁର,୦୪/୧୨: ବିରୂପା ନଦୀରେ କାର୍ ବୁଡ଼ି ଘଟଣା। ପ୍ରାୟ ୧୬ ଘଣ୍ଟା ଅପରେସନ୍ ପରେ ନିଖୋଜ ଥିବା ଯୁବକ ଅତୁଲ ସାହୁ ଓରଫ ଉଦିତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି।  ଏହା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି। ମୃତକ ଜଣକ ହେଉଛନ୍ତି ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଅଞ୍ଚଳର ଅତୁଲ ସାହୁ ଓରଫ ଉଦିତ ବୋଲି ଜଣାପଡିଛି।

ବୁଧବାର ଜଗତପୁର ଥାନା ଅନ୍ତର୍ଗତ ବିରୂପା ନଦୀ କୂଳରେ ଘଟିଥିଲା ଏଭଳି ଅଘଟଣ । ବ୍ୟାଟେରୀ ଚାଳିତ ଧଳା ରଙ୍ଗର କାର୍ (ନଂ.ଓଡି଼ ୩୩ ଏଏମ୍୨୦୦୨) ଭାରସାମ୍ୟ ହରାଇ ସ୍ଥାନୀୟ ଆଇବି ରୋଡ ସ୍ଥିତ ଡାକବଙ୍ଗଳା ପାଶ୍ୱର୍ ଫକୀରପୁର(ପଣ୍ଡାସାହି) ନିକଟରେ ବିରୂପା ନଦୀକୁ ପଶିଯାଇଥିଲା । କାର୍ରେ ଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ କାର୍ ସହ ପାଣିରେ ନିଖୋଜ ହୋଇଯାଇଥିଲେ । ନିଖୋଜ ଯୁବକ ହେଲେ ଅତୁଲ ସାହୁ ଓରଫ ଉଦିତ(୨୦) । ସେ ଭୁବନେଶ୍ୱରସ୍ଥିତ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ବିବିଏ ଛାତ୍ର ବୋଲି ଜଣାପଡ଼ିଛି । ତାଙ୍କ ଘର ନିଧିପୁର ବୋଲି କୁହାଯାଉଛି । ତେବେ କାର୍ଟି ପାଣିରେ ବୁଡ଼ିବା ପୂର୍ବରୁ ସେଠାରେ ଥିବା କିଛି ସ୍ଥାନୀୟ ଯୁବକ ଗାଡ଼ିରେ ଥିବା ଅଂଶୁମାନ ପଣ୍ଡା(୨୧)ଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଖବର ପାଇ ଜଗତପୁର ଥାନା ପୁଲିସ, ଅଗ୍ନିଶମ ବାହିନୀ ଓ ସ୍କୁବା ଟିମ୍ ବହୁ ଖୋଜାଖୋଜି କରିଛନ୍ତି । କାର୍ଟି ପ୍ରାୟ ୩୦ ଫୁଟ୍ ଗଭୀର ନଦୀ ଗର୍ଭରେ ପଡ଼ିଯାଇଥିବାରୁ ଉଦ୍ଧାର କରିବାରେ ସମସ୍ୟା ସୃଷ୍ଟି ହୋଇଛି । ଦୀର୍ଘ ସମୟ ପରିଶ୍ରମ ପରେ ରାତି ପ୍ରାୟ ୧୦ଟା ବେଳେ ସ୍କୁବା ଟିମ୍ କାର୍କୁ ଠାବ କରିଥିଲେ । କାର୍କୁ ଏକ ଦଉଡ଼ିରେ ଉପରକୁ ଉଠାଇବାକୁ ଉଦ୍ୟମ କରିବା ବେଳେ ଦଉଡ଼ିଟି ଛିଣ୍ଡି ଯିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜିଥିଲା । ଶେଷରେ ରାତି ପ୍ରାୟ ସାଢ଼େ ୧୨ଟା ବେଳେ କାର୍ଟି ପାଣିରୁ ବାହାର କରାଯାଇଥିଲା । ଗୁରୁବାର ସକାଳୁ ପୁଣି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଉଦ୍ଧାରୀକାରୀ ଟିମ୍ ନଦୀ ଭିତରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ୧୬ ଘଣ୍ଟା ଉଦ୍ୟମ ପରେ ଗଭୀର ପାଣି ଭିତରୁ ନିଖୋଜ ଥିବା ଅତୁଲ ସାହୁ ଓରଫ ଉଦିତ ଉଦ୍ଧାର କରାଯାଇଛି। ପୁଲିସ ଉଦିତଙ୍କ ମୃତଦେହ ଜବତ କରିଛ। ଏହା ପରେ ତାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି।

ମିଳିଥିବା ଖବର ମୁତାବକ, ବୁଧବାର ଭୁବନେଶ୍ୱର ଧଉଳିରୁ ଏକ କାର୍ରେ ୫ ଜଣ ଯୁବକ ଏକ ରେଷ୍ଟୁରାଣ୍ଟ୍ ଉଦ୍ଘାଟନ କାର୍ଯ୍ୟକ୍ରମରେ ଆସିଥିଲେ । ଖାଇବା ପିଇବା ସାରି ଜଗତପୁର ଆଇବି ରୋଡକୁ ବୁଲାବୁଲି କରିବାକୁ ଆସିଥିଲେ । ଫକୀରପୁର ପଣ୍ଡାସାହି ରାସ୍ତା ପାର୍ଶ୍ବରେ ୩ ଜଣ ଯୁବକ ଗାଡ଼ିରୁ ଓହ୍ଲାଇ ଠିଆ ହୋଇଥିଲେ । ଅନ୍ୟ ଦୁଇ ଜଣ ଗାଡ଼ିରେ ଥିଲେ । କିନ୍ତୁ ହଠାତ୍ କାର୍ଟି ଫକୀରପୁର ବିରୂପା ନଦୀ ତୁଠକୁ ଦ୍ରୁତ ଗତିରେ ମାଡ଼ିଯାଇ ନଦୀ ଭିତରକୁ ପଶିଯାଇଥିଲା । ନଦୀକୂଳରେ ଏବେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଘଟଣାସ୍ଥଳରେ ପୁଲିସ୍ ଡିସିପି ଋଷିକେଶ ଖିଲାରୀ ଦ୍ୟାନଦେଓଙ୍କ ସମେତ ଏସିପି ଅରୁଣ ସ୍ୱାଇଁ ଓ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ପହଞ୍ଚିଥିଲେ । ପାଖାପାଖି ସାଢ଼େ ୫ଘଣ୍ଟା ପରେ ଖାଲି ଗାଡିକୁ ଉଦ୍ଧାର କରାଯାଇଥିଲା। ୧୬ ଘଣ୍ଟା ପରେ ଗଭୀର ନଦୀରୁ ଉଦିତ୍‌ଙ୍କ  ମୃତଦେହ ଉଦ୍ଧାର କରାଯାଇଛି।