ଭୁବନେଶ୍ୱର, ୨୨/୦୪: ନୂଆ ରୂପରେଖ ନେବେ କଂଗ୍ରେସ, ବିଜେଡି ଓ ବିଜେପି । ତିନି ଦଳର ପୁନର୍ବିନ୍ୟାସ ପ୍ରକ୍ରିୟା ଚାଲିଛି । ଖୁବଶୀଘ୍ର ତିନି ଦଳ ନୂଆ ଟିମ୍‌ ନେଇ ମଇଦାନକୁ ଓହ୍ଲାଇବେ । ଦଳୀୟ ନେତା, କର୍ମୀ ଅପେକ୍ଷା କରିଛନ୍ତି, କେବେ ଗଠନ ହେବ ବହୁପ୍ରତୀକ୍ଷିତ ଟିମ୍‌ ।

କଂଗ୍ରେସ ଓ ବିଜେଡିର ମୁଖିଆ ନିଯୁକ୍ତ ହୋଇ ସାରିଲେଣି । ରାଜ୍ୟ କଂଗ୍ରେସର ନବକଳେବର ପାଇଁ  ଅଭିଜ୍ଞ ଭକ୍ତଚରଣ ଦାସଙ୍କ ହାତରେ ସଂଗଠନର  ଭାର ଦେଇଛି ଏଆଇସିସି । ହେଲେ ଅଢ଼େଇ  ମାସ ପରେ ବି ଭକ୍ତ ଏଯାଏଁ ତାଙ୍କ ଟିମ୍‌ ଗଠନ  କରିପାରିନାହାନ୍ତି । ସେହିପରି ନବୀନ ପଟ୍ଟନାୟକ ପୁନର୍ବାର ବିଜେଡି ସଭାପତି ନିର୍ବାଚିତ ହୋଇଛନ୍ତି । ନବୀନଙ୍କ ନୂଆ ଟିମ୍‌ ଉପରେ ବି ସଭିଙ୍କ ନଜର  ରହିଛି । ନଜର ପକାଇବା କ୍ଷମତାସୀନ ବିଜେପି ଦଳ ଉପରେ । କିଏ ହେବ ରାଜ୍ୟ ବିଜେପିର  ନୂଆ ମୁଖିଆ? ସଭାପତି ଆସନରେ ମନମୋହନ  ସାମଲ ରହିବେ ନା ଆଉ କାହାକୁ ଦାୟିତ୍ୱ ମିଳିବ?  ଖୁବଶୀଘ୍ର ଏ ନେଇ କେନ୍ଦ୍ରୀୟ ନେତୃତ୍ୱ ଘୋଷଣା  କରିବେ । ସଭାପତି ଘୋଷଣା ପରେ ରାଜ୍ୟ ବିଜେପିରେ ମଧ୍ୟ ସାଂଗଠନିକ ଅଦଳବଦଳ ହେବ । ଅର୍ଥାତ୍‌ ତିନି ଦଳ ଏବେ ନୂଆ ଟିମ୍‌ ଗଢ଼ିବେ ।  

ଗତ ଫେବ୍ରୁଆରୀରୁ ଭକ୍ତ ପିସିସି ସଭାପତି  ଦାୟିତ୍ୱ ନେଲେଣି । କିନ୍ତୁ, ଏ ପର୍ଯ୍ୟନ୍ତ ପିସିସି କମିଟି  କିମ୍ବା ଜିଲ୍ଲା କମିଟି ଗଢ଼ିପାରିନାହାନ୍ତି । ରାଜ୍ୟ, ଜିଲ୍ଲା,  ବ୍ଲକ ସ୍ତରରେ କଂଗ୍ରେସର ସାଂଗଠନିକ କମିଟି ନାହିଁ ।  ଭକ୍ତଙ୍କ ଆଗରେ ବଡ଼ ଆହ୍ୱାନ-କାହାକୁ ପିସିସିରେ  କେଉଁ ଦାୟିତ୍ୱ ଦେବେ । କାରଣ ଅତୀତରେ ପିସିସି  ଓ ଜିଲ୍ଲା କମିଟିକୁ ନେଇ କଂଗ୍ରେସରେ ବିବାଦ,  ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । ଅଭିଜ୍ଞ ଭକ୍ତ ଏଯାବତ୍‌ କଂଗ୍ରେସକୁ ସଂଗଠିତ କରିବା ସହ  ନୂଆ ଉତ୍ସାହ ଭରିବାରେ ସକ୍ଷମ ହୋଇଛନ୍ତି ।  ହେଲେ ସଂଗଠନର ନବକଳେବର ଭକ୍ତଙ୍କ ପାଇଁ  ପ୍ରଥମ ଅଗ୍ନି ପରୀକ୍ଷା ହେବ । ନୈରାଶ୍ୟ ଭିତରେ  ନୂଆ ଆଶା ଦେଖୁଥିବା ନେତା, କର୍ମୀ ଏବେ  ଦଳର ନବକଳେବର ଅପେକ୍ଷାରେ ରହିଛନ୍ତି ।  

ସେହିପରି କ୍ଷମତାରୁ ବାହାରେ ରହି ନବୀନ  ଏଥର ସଂଗଠନ ଭାର ସମ୍ଭାଳିବେ । ମାତ୍ର ଏଥର  ରାସ୍ତା ଭାରି କଠିନ । ପରାଜୟର ନୈରାଶ୍ୟକୁ କାଟି  ଦଳକୁ ନୂଆ ମନ୍ତ୍ରରେ ସଂଗଠିତ କରିବାକୁ ପଡ଼ିବ ।  ଏଥିପାଇଁ ସେଭଳି ସଶକ୍ତ, ଉତ୍ସାହୀ, ପରିଶ୍ରମୀ ଓ  ଅନୁଭବୀ ଟିମ୍‌ ଗଠନ କରିବା ନବୀନଙ୍କ ପାଇଁ ବଡ଼  ଆହ୍ୱାନ । ପୁଣି ଗୋଟିଏ ପଟେ ଅଭିଜ୍ଞ ଓ ଅନ୍ୟପଟେ  ଯୁବ ନେତୃତ୍ୱଙ୍କ ଭିତରେ ସନ୍ତୁଳନ କରିବାକୁ  ପଡ଼ିବ । ଦଳ ଭିତରେ ଦେଖା ଦେଇଥିବା ବିବାଦ,  ଅସନ୍ତୋଷ ଓ ବିଦ୍ରୋହକୁ ପ୍ରଶମିତ କରିବାକୁ  ହେଲେ ସେଭଳି ଟିମ୍‌ ଗଢ଼ିବାକୁ ହେବ । ପ୍ରଥମ  ପର୍ଯ୍ୟାୟରେ ୧୮ଟି ସାଂଗଠନିକ ଜିଲ୍ଲାରେ ବିଜେଡି  ସଭାପତି ଘୋଷଣା କରି ସାରିଛି । ମାତ୍ର ୧୫  ସାଂଗଠନିକ ଜିଲ୍ଲାରେ କେଁ ଛିଣ୍ଡିନି । ରାଜ୍ୟକାରିଣୀ  ଓ ରାଜ୍ୟ ପରିଷଦ ସଭ୍ୟକୁ ନେଇ ବି ଦ୍ୱନ୍ଦ୍ୱ ଲାଗି  ରହିଛି । ଏଥିରେ କାହାକୁ ସ୍ଥାନ ମିଳିଛି, ଖୋଦ୍‌  ଦଳୀୟ ନେତାମାନେ ବି ଜାଣି ପାରୁନାହାନ୍ତି । ବଡ଼  କଥା ହେଲା, ଏଥର ରାଜ୍ୟସ୍ତରୀୟ ସଂଗଠନରେ  ନବୀନ କାହାକୁ ସ୍ଥାନ ଦେବେ, କାହା ପତ୍ତା କାଟିବେ?  ନବୀନଙ୍କ ପଛକୁ ସଂଗଠନର ପ୍ରମୁଖ ଦାୟିତ୍ୱ  କାହା କାନ୍ଧରେ ରହିବ? ଖାଲି ସେତିକି ନୁହେଁ,  ଛାମୁଆ ସଂଗଠନକୁ ନବୀନ କି ରୂପ ଦେବେ,  ତାହାକୁ ଦଳୀୟ ନେତା, କର୍ମୀ ଅପେକ୍ଷା କରିଛନ୍ତି । 

ଶାସନକୁ ଆସିବା ପରଠାରୁ ବିଜେପି ପାଇଁ  ଏବେ ନୂଆ ଆହ୍ୱାନ । ସରକାରଙ୍କ ସଫଳତା ଓ ଯୋଜନାର ବାର୍ତ୍ତାକୁ ସବୁ ସ୍ତରରେ ପହଞ୍ଚାଇବାକୁ  ହେବ । ଏଥିପାଇଁ ରାଜ୍ୟ, ଜିଲ୍ଲା, ମଣ୍ଡଳ କମିଟି  ଉପରେ ବଡ଼ ଦାୟିତ୍ୱ ରହିଛି । ଅନ୍ୟପଟେ ଦଳର  ଅନେକ ନେତା ସଂଗଠନରେ ବଡ଼ ପଦପଦବି  ପାଇବାକୁ ଆଶାୟୀ ଅଛନ୍ତି । ରାଜ୍ୟ ସଭାପତିଙ୍କ  ନାମ ଘୋଷଣା ହୋଇନଥିବାରୁ ସବୁ ପ୍ରକ୍ରିୟା ଅଟକି ରହିଛି। ନେତାଙ୍କ ଅପେକ୍ଷା ବି ଲମ୍ବି ଚାଲିଛି । ବର୍ତ୍ତମାନ ଦଳ ନୂଆ ଟିମ୍‌ରେ ଅନେକ ଯୁବ ନେତୃତ୍ୱଙ୍କୁ ଆଗକୁ ଆଣିବା ଲକ୍ଷ୍ୟରେ ଅଛି । ଛାମୁଆ ସଂଗଠନର ରୂପରେଖ ବି ବଦଳିବ । ରାଜ୍ୟସ୍ତରରୁ ମଣ୍ଡଳ  ପର୍ଯ୍ୟନ୍ତ ନୂଆ ମିଶନ ନେଇ ଦଳ କାମ କରିବ ।