ଭୁବନେଶ୍ବର, ୨୦/୨ : ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ୍ ୨୦୨୬-୨୭ । ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ ହୋଇଛି । ଯେଉଁଥିରେ ୧୬ଟି ନୂଆ ପଦକ୍ଷେପ ମଧ୍ୟ ରହିଛି । କିନ୍ତୁ ବିରୋଧୀ ବିଜେଡି ଏବଂ କଂଗ୍ରେସ ବଜେଟକୁ ନେଇ ସମାଲୋଚନା କରିଛନ୍ତି । ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ କହିଛନ୍ତି କି, ହାତୀ ଭଳି ବଜେଟ, ଜନ୍ଦା ଭଳି ଖର୍ଚ୍ଚ ହେବ। ଋଣ କରି ଘିଅ ଖାଇବେ ସରକାର। ବେଲୁନ ଭଳି ପବନ ପଶିଛି ହେଲେ ଓଜନ ନାହିଁ। ଯେତିକି ନୂଆ ଯୋଜନା ନାଁ ଦେଇଛନ୍ତି କେବଳ ନାଆଁ ନେବା ପାଇଁ । ରାତି ବଡ଼, ହେଲେ ରାତି ପାହିଲେ ବି ସ୍ବପ୍ନ ସରିବନି। ଋଣର ସରକାର, ଋଣରୁ ବଜେଟ ଆକାର ବଢ଼େଇଛନ୍ତି । ଗତବର୍ଷ ବଜେଟ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇ ପାରିନି ।
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ବଜେଟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀଙ୍କ ଦୀର୍ଘ ଭାଷଣ ଥିଲା, ଯାହା ଓଡ଼ିଶାବାସୀଙ୍କ ପାଇଁ ନୈରାଶ୍ୟଜନକ। ବଜେଟ ଖର୍ଚ୍ଚ କରି ପାରିବେ ନାହିଁ, ଋଣ ବଢ଼ାଇବାରେ ଲାଗିଛନ୍ତି। ସାମାଜିକ ନ୍ୟାୟ, ଆଦିବାସୀ ବିକାଶ ପାଇଁ ବଜେଟରେ କିଛି ନାହିଁ ତେଣୁ କଂଗ୍ରେସ ବଜେଟକୁ ବୟକଟ କଲା ।
ଏହାସହ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି କି, ରାଜ୍ୟ ଅର୍ଥନୀତିରେ କଳଙ୍କି ଲାଗି ଯାଇଛି। ନବୀନ ପଟ୍ଟନାୟକ ଆର୍ଥିକ ପରିଚାଳନାକୁ ଏକ ନମ୍ବର କରିଥିଲେ। ହେଲେ ବିଜେପି ସରକାର ଏହାକୁ ୨୫ ବର୍ଷ ପଛକୁ ଠେଲି ଦେଉଛନ୍ତି। ଋଣ ଭାର ବଢୁଛି। ଗତ ବର୍ଷ FRBM ୧୨% ଏବେ ୧୪.୧% କୁ ପହଁଚିଛି। ବିତ୍ତୀୟ ନିୟଣ୍ଟ ବଢିଛି। ୨୪ ବର୍ଷରେ ନବୀନ ପଟ୍ଟନାୟକ ୭୮ ହଜାର କୋଟି ଋଣ କରିଥିଲେ। ଯାହା ଏହି ସରକାରରେ ଡବଲ ହୋଇ ୧.୫୬ କୋଟି ହେଲାଣି। କେନ୍ଦ୍ର ଅନୁଦାନ କମି ଚାଲୁଛି। ୪୦% ଅନୁଦାନ ରାଜ୍ୟକୁ ଦେବାକୁ ପଡିବ। ନୂଆ ଯୋଜନାକୁ ନାଁକୁ ମାତ୍ର କରି ବ୍ୟୟ ବରାଦ କମ ରଖିଛନ୍ତି ।
ଏହାସହ ପଢ଼ନ୍ତୁ : ବଜେଟ୍ ଭାଷଣ : ନିଜ ରେକର୍ଡକୁ ଭାଙ୍ଗି ପାରିଲେନି ମୋହନ