ଭୁବନେଶ୍ୱର,୧୦/୦୬: ବିଜେଡି ସଜାଡ଼ିବାକୁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି  ଦଳର ମୁଖିଆ ନବୀନ ପଟ୍ଟନାୟକ । ୨୦୨୪  ସାଧାରଣ ନିର୍ବାଚନରେ ହାରିଥିବା ନେତାଙ୍କୁ ଉତ୍ସାହିତ କରିବେ । ଆଗକୁ ପଞ୍ଚାୟତ ଓ ପୌର  ନିର୍ବାଚନ ଥିବାରୁ ସେମାନଙ୍କୁ ପୁଣି ଫର୍ମକୁ  ଫେରିବାକୁ ପ୍ରେରଣା ଦେବେ । ସେମାନଙ୍କୁ  ବିଭିନ୍ନ ପ୍ରକାରର ସଞ୍ଜିବନୀ ମନ୍ତ୍ର ଦେଇ ପୁଣି  ସକ୍ରିୟ୍‌ କରାଇବେ । ପଞ୍ଚାୟତ ଓ ପୌର ଦଖଲ  କରିପାରିଲେ ହିଁ ପୁଣି ୨୦୨୯ରେ ଆମେ ଭଲ  କରିବା କହି ପୁଣି ନେତାଙ୍କୁ ଟ୍ରାକ୍‌କୁ ଫେରାଇ  ଆଣିବେ । ତେବେ ତା’ ପୂର୍ବରୁ ବୁଥ୍‌ ଜଗିବା  ପାଇଁ କହିବେ । ଭୋଟର ତାଲିକାର ସ୍ୱତନ୍ତ୍ର  ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ  ଯେମିତି ଯୋଗ୍ୟ ଭୋଟରମାନଙ୍କ ନାମ ରହିବ, ତାହା ଜଗିବାକୁ ତାଗିଦ୍‌ କରିବେ । ବିଶେଷ  କରି ଦଳୀୟ କର୍ମୀମାନଙ୍କର ନାମ କେମିତି  ନ କଟିବ, ସେ ନେଇ ଜଗିବାକୁ କହିବେ ।  

୨୦୨୪ରେ ବିଜେଡି ଟିକେଟରେ ଲଢି  ହାରିଥିବା ପ୍ରାର୍ଥୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ  ଶଙ୍ଖ ଭବନରେ ବୁଧବାର ଅପରାହ୍ନ ୪ଟାରେ  ଆରମ୍ଭ ହେବ । ନବୀନ ଏହି ବୈଠକରେ ଅଧ୍ୟକ୍ଷତା  କରିବେ । ଦଳୀୟ ସାଙ୍ଗଠନିକ ପରିଚାଳନା ଓ  ଏସ୍‌ଆଇଆର ସମ୍ପର୍କିତ କାର୍ଯ୍ୟକ୍ରମ ସମ୍ପର୍କରେ  ବିସ୍ତୃତ ଆଲୋଚନା କରିବା ସହ ରାଜ୍ୟ  ସରକାରଙ୍କ ପ୍ରଶାସନିକ ପରିଚାଳନାରେ  ବିଫଳତା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ନାରୀ  ନିର୍ଯାତନା ଉପରେ ଦଳୀୟ ନେତୃବୃନ୍ଦଙ୍କ ସହିତ  ବିସ୍ତୃତ ଆଲୋଚନା କରିବେ ବୋଲି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ସୂଚନା  ଦେଇଛନ୍ତି । ସୋମବାର ଅନୁଷ୍ଠିତ ସାମ୍ୱାଦିକ  ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି  ଶ୍ରୀ ମିଶ୍ରଙ୍କ ସମେତ ଉପସଭାପତି ସଞ୍ଜୟ କୁମାର  ଦାସବର୍ମା, ପ୍ରତାପ ଜେନା, ଉପସଭାପତି ଅତନୁ  ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।  ସେହିପରି ପୂର୍ବତନ ବିଧାୟକ ପ୍ରଶାନ୍ତ  ମୁଦୁଲି କହିଛନ୍ତି, ଶାସନରେ ଅବ୍ୟବସ୍ଥା ନେଇ  ବୈଠକ ହେଉଛି । ଏହା ସହ ଦାୟିତ୍ୱବାନ  ବିରୋଧୀ ଦଳ ହିସାବରେ ସାଙ୍ଗଠନିକ ବ୍ୟବସ୍ଥା  କିଭଳି ଠିକ୍‌ ଭାବେ କରାଯାଇ ପାରିବ ସେ ନେଇ ଆଲୋଚନା ହେବ ବୋଲି ଶ୍ରୀ ମୁଦୁଲି କହିଛନ୍ତି ।

ଅଧିକ ପଢ଼ନ୍ତୁ :-  NDA Chief Ministers Meeting: ଆଜି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକ, କାଲି ନୀତି ଆୟୋଗ ବୈଠକ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

​​​​​​​