ଭୁବନେଶ୍ୱର, ୦୬/୦୧: ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କଲାଣି । ଡବଲ ଇଞ୍ଜିନ, ଡବଲ ବିକାଶର  ନାରା ଦେଇ କେନ୍ଦ୍ର ଓ ରାଜ୍ୟରେ  ଥିବା ବିଜେପି ସରକାର  ଦରଦାମ ନିୟନ୍ତ୍ରଣ ଓ ଅର୍ଥନୀତିର ସୁପରିଚାଳନା କ୍ଷେତ୍ରରେ ବିଫଳ ।  ମୁଦ୍ରାସ୍ଫୀତି ବୃଦ୍ଧିରେ ନୂଆ ରେକର୍ଡ  ସୃଷ୍ଟି ହୋଇଛି । ଦେଶରେ  ବିଜେପି ସରକାରଙ୍କ ଦ୍ୱାରା ଆରମ୍ଭ  କରାଯାଇଥିବା ଉଜ୍ୱଳା ଯୋଜନା  ଦ୍ୱାରା ମହିଳାଙ୍କୁ ଧୂଆଁରୁ ମୁକ୍ତି  ମିଳିବ ବୋଲି କୁହାଯାଇଥିଲା ହେଲେ  ପରେ ଏହା ନିର୍ବାଚନୀ ଧୂଆଁବାଣ  ଥିଲା ବୋଲି ଜଣାପଡ଼ିଥିଲା । ତେବେ ଅତ୍ୟାବଶ୍ୟକ ଜିନିଷର  ଦର ବୃଦ୍ଧି ପ୍ରସଙ୍ଗରେ ବିଜେଡି ପକ୍ଷରୁ ସୋମବାର  ଲୋକସେବା ଭବନ ସମ୍ମୁଖରେ  ଗଣ ବିକ୍ଷୋଭ କରାଯିବ । ଏହାକୁ  ସଫଳ କରିବାକୁ ମହିଳା ବିଜେଡି  ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ,  ଯୁବ ବିଜେଡି ସଭାପତି ବ୍ୟୋମକେଶ  ରାୟ ଓ ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଅନୁରୋଧ  କରିଛନ୍ତି । 

ଛାତ୍ର ବିଜେଡି ସଭାପତି  ଶ୍ରୀ ତ୍ରିପାଠୀ କହିଛନ୍ତି, ଅହେତୁକ  ଦରବୃଦ୍ଧିର ପ୍ରତିବାଦରେ ଆସନ୍ତାକାଲି  ଗଣ ବିକ୍ଷୋଭ କରାଯିବ । ଦରବୃଦ୍ଧି ନିୟନ୍ତ୍ରଣ କରିବାରେ ସରକାର ବିଫଳ  ହେଲେ ରାଜ୍ୟର ପ୍ରତି ବ୍ଲକ ଓ ପ୍ରତି  ପଞ୍ଚାୟତ ସ୍ତରରେ ଏଭଳି ବିକ୍ଷୋଭ  ପ୍ରଦର୍ଶନ କରାଯିବ।