ପାଟନା,୭।୧୦: ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବିରୋଧରେ ଚୋରି ଭଳି ସଙ୍ଗୀନ ଅଭିଯୋଗ। ଏଭଳି ଏକ ଅଭିଯୋଗ ଆଣିଛି ବିଜେପି।ଯାହାକୁ ନେଇ ଏବେ ବିହାର ରାଜନୀତି ହୋଇଛି ଖୁବ୍ ସରଗରମ୍। ତେଜସ୍ବୀ ଯେଉଁ ସରକାରୀ ବାସଭବନରେ ରହୁଥିଲେ ସେଠାରୁ ଯିବା ପୂର୍ବରୁ ଏସି, ସୋଫା, ବେଡ୍, ପାଣି ଟ୍ୟାପ୍ ମଧ୍ୟ ଚୋରି କରି ନିଆଯାଇଥିବା ଅଭିଯୋଗ କରିଛି ବିଜେପି।
ତେଜସ୍ବୀ ଦୁଇ ଦିନ ପୂର୍ବେ ପାଟନାର ୫, ଦେଶରତ୍ନ ମାର୍ଗରେ ଥିବା ବଙ୍ଗଳାକୁ ଖାଲି କରିନେଇଥିଲା। ଯାହାକୁ ଏବେ ଡେପୁଟି ସିଏମ୍ ସମ୍ରାଟ ଚୌଧୁରୀଙ୍କୁ ଆବଣ୍ଟିତ କରାଯାଇଛି, ସେ ଆଗାମୀ ବିଜୟାଦଶମୀରେ ଗୃହ ପ୍ରବେଶ କରିବେ। ବିଜେପିର ଅଭିଯୋଗ ଯେ, ସମ୍ରାଟଙ୍କ ଟିମ୍ ଯେତେବେଳେ ବଙ୍ଗଳାରେ ପହଁଞ୍ଚିଥିଲା ସେଠାରୁ ଏସି, ସୋଫା, ବେଡ୍, ଓ୍ବାସ୍ ବେସିନ୍, ଫୁଲ କୁଣ୍ଡ ଓ ପାଣି ଟ୍ୟାପ୍ ମଧ୍ୟ ଚୋରି କରି ନିଆଯାଇଥିଲା। ରିପୋର୍ଟ ଅନୁସାରେ, ବିଜେପି ମିଡିଆ ପ୍ରଭାରୀ ଦାନିଶ ଇକବାଲ ସୋମବାର ଅଭିଯୋଗ କରିଛନ୍ତି ଯେ, ୫ ଦେଶରତ୍ନ ମାର୍ଗରେ ଥିବା ସରକାରୀ ବାସଭବନ ଖାଲି କରିବା ସମୟରେ ତେଜସ୍ବୀ ଯାଦବ ଏସି ଏବଂ ସୋଫା ସାଙ୍ଗରେ ନେଇଯାଇଥିଲେ।
ଉଲ୍ଲେଖନୀୟ ଯେ, ତେଜସ୍ବୀଙ୍କ ସମ୍ପର୍କୀୟ ଓ ଉତ୍ତର ପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଉପରେ ମଧ୍ୟ ଏଭଳି ଅଭିଯୋଗ ବିଜେପି କରିଥିଲା, ଯେତେବେଳେ ୨୦୧୭ ରେ ନିର୍ବାଚନ ହାରିବା ପରେ ସେ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିଥିଲେ।