ଭୁବନେଶ୍ବର,୨୬/୦୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରମ୍ଭ କଲେ ବୁଥ ସମୀକ୍ଷା। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଥ ସ୍ତରୀୟ ନେତାଙ୍କ ସହ କରିଛନ୍ତି ଆଲୋଚନା। ସରକାରୀ ଯୋଜନା କିଭଳି ଭାବରେ ଲୋକଙ୍କ ପାଖରେ ପହଞ୍ଚୁଛି, ସେନେଇ ସିଏମ୍ ସିଧାସଳଖ ପଚାରି ବୁଝିଛନ୍ତି। ସେହିପରି ବୁଥ ସ୍ତରରେ ସଂଗଠନ କିଭଳି ମଜବୁତ ହେବ, ତାକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ବିଜେପିର ବୁଥ ସ୍ତରୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଆଜି ମଧ୍ୟ ଭୁବନେଶ୍ୱରର ବୁଥ ନମ୍ବର ୧୦୨ର ନେତାଙ୍କ ସହ ଚର୍ଚ୍ଚା ଆଲୋଚନା କରିଛନ୍ତି। ସେହିପରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱରର ୧୦୩ ନମ୍ବର ବୁଥର ନେତାଙ୍କ ସହିତ ଆଲୋଚନା କରିଛନ୍ତି। ସୁରେଶ ପୂଜାରୀ କହିଛନ୍ତି ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟବ୍ୟାପୀ ସବୁ ବୁଥର ସମୀକ୍ଷା ହେବ। ମନ୍ତ୍ରୀ, ଦଳୀୟ ସାଂସଦ, ବିଧାୟକ ବୁଥ ସ୍ତରରେ କରିବେ ସମୀକ୍ଷା ବୈଠକ।