ନୂଆଦିଲ୍ଲୀ,୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ ଆପ୍ ମଧ୍ୟରେ ବଳ କଷାକଷି। କିଏ ଜିତିବ ଦିଲ୍ଲୀ। ଏବେଠାରୁ ଦୁଇ ଦଳର ଚାଲିଛି ଜୋରଦାର ପ୍ରସ୍ତୁତି। ଏହା ଭିତରେ ଶନିବାର ବିଜେପି ଜାରି କରିଛି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଏଥିରେ ରହିଛି ୨୯ ଜଣଙ୍କ ନାଁ। ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ଲଢିବେ ବିଜେପିର ପ୍ରବେଶ ବର୍ମା। ସେଭଳି ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଟକ୍କର ଦେବେ ରମେଶ ବିଧୁଡି।
ଦିଲ୍ଳୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ନିଜର ପ୍ରଥମ ପ୍ରାର୍ଥୀ ତାଲିକା। ଏଥିରେ ରହିଛି ୨୯ ପ୍ରାଥୀଙ୍କ ନାଁ। ଆମ୍ ଆଦମୀ ପାର୍ଟିର ଶୀର୍ଷ ନେତୃତ୍ବଙ୍କୁ ଘେରିବାକୁ ବିଜେପି ତିଆରି କରିଛି ରଣନୀତି। ଆପ୍ର ବଡ଼ ନେତାଙ୍କ ବିରୋଧରେ ଲଢିବେ ପୂର୍ବତନ ସାଂସଦ। ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଟକ୍କର ଦେବେ ପ୍ରବେଶ ବର୍ମା। ସେଭଳି କାଲକାଜି ଆସନରୁ ମୁଖ୍ୟମନ୍ତ୍ରୀ ଆତିଶିଙ୍କ ସହ ରମେଶ ବିଧୁଡିଙ୍କ ହେବ ଲଢେଇ।
ଏହାଛଡା କଂଗ୍ରେସରୁ ଆସିଥିବା ଅରବିନ୍ଦର ସିଂହ ଲଭଲି ଗାନ୍ଧୀନଗରରୁ ଟିକେଟ ପାଇଛନ୍ତି।ସେଭଳି ଆପ୍ରୁ ଆସିଥିବା କୈଳାଶ ଗେହଲଟ୍ ମଧ୍ୟ ବିଜୟାସନରୁ ନିର୍ବାଚନ ଲଢିବେ। ସେଠାରେ ତାଙ୍କର ଟକ୍କର ଆପ୍ ପ୍ରାର୍ଥୀ ସୁରେନ୍ଦ୍ର ଭରଦ୍ବାଜଙ୍କ ସହ ହେବ। ମଙ୍ଗଲପୁରୀରୁ ରାଜକୁମାର ଚୌହାନଙ୍କୁ ବିଜେପି ପ୍ରାର୍ଥୀ କରିଛି। ଜଙ୍ଗପୁରାରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ବିଜେପିର ସରଦାର ତରାବିନ୍ଦର ସିଂହ ମାରଓ୍ବାହଙ୍କୁ ପ୍ରାର୍ଥୀ କରାଯାଇଛି। ତାଛଡା ନୂଆଦିଲ୍ଲୀ ଆସନରୁ ହେବ ହାଇପ୍ରୋଫାଇଲ ଲଢେଇ। କାରଣ ଗୋଟିଏ ପଟେ କେଜିଓ୍ବାଲଙ୍କୁ ଟକ୍କର ଦେବାକୁ ବିଜେପି ପ୍ରବେଶ ବର୍ମାଙ୍କୁ ଓହ୍ଲାଇଛି। ଅନ୍ୟପଟେ ଦିଲ୍ଲୀର ପୁର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କୁ କଂଗ୍ରେସ ସୁଯୋଗ ଦେଇଛି। ଏଭଳି ସ୍ଥିତିରେ ଏହି ଆସନରେ ଜୋରଦାର ହେବ ତ୍ରିକୋଣୀୟ ଲଢେଇ ।