• ୨୦ ବିଲିୟନ ଡଲାର ଯାଏ ନିବେଶ ସୁଯୋଗ
  • କୃଷି, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଲାଭ
  • ସୃଷ୍ଟି ହେବ ନୂଆ ନିଯୁକ୍ତ

ନୂଆଦିଲ୍ଲୀ,୨୫/୦୪: ଭାରତ-ନ୍ୟୁଜିଲାଣ୍ଡ  ସୋମବାର ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିରେ ସାମିଲ ହେବେ । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ ସୋମବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି । ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଗତ ବର୍ଷ ଡିସେମ୍ବରରେ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ । ଏହାଦ୍ୱାରା ଆଗାମୀ ୫ ବର୍ଷରେ ଦ୍ୱିପାକ୍ଷୀକ କାରବାରକୁ ୨ ଗୁଣ କରି ୫ ବିଲିୟନ ଡଲାର କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଚୁକ୍ତି ପରେ ଭାରତୀୟ ସାମଗ୍ରୀ ଗୁଡ଼ିକ ନ୍ୟୁଜିଲାଣ୍ଡ ବଜାରରେ ଅବାଧରେ ପ୍ରବେଶ କରିବ । ସେହିଭଳି ଆଗାମୀ ୧୫ ବର୍ଷରେ ୨୦ ବିଲିୟନ ଡଲାର ଯାଏ ନିବେଶ ଆକୃଷ୍ଟ କରିବ ଭାରତ ।

ଭାରତ ଶତ ପ୍ରତିଶତ ରପ୍ତାନି ଉପରେ ଶୂନ ଟାରିଫ ଲାଗିବ ଓସିଏନିଆ ଅଞ୍ଚଳରେ ଏବେ ନ୍ୟୁଜିଲାଣ୍ଡର ଦ୍ୱିତୀୟ ବୃହତ ବାଣିଜ୍ୟିକ ସହଯୋଗୀ । ସେହିଭଳି ୪୯,୩୮୦ ଡଲାର ସହ ଏହି ଅଞ୍ଚଳରେ ଏକ ଉଚ୍ଚ ଆୟକାରୀ ଅର୍ଥନୀତି ହେଉଛି ନ୍ୟୁଜିଲାଣ୍ଡ  । ଭାରତର ପ୍ରାୟ ୪୫୦ ଉତ୍ପାଦ ଉପରେ ନ୍ୟୁଜିଲାଣ୍ଡ ୧୦% ଟାରିଫ ଲାଗୁ କରୁଛି । ଏସବୁ ଉତ୍ପାଦ ଉପରେ ବୟନ, ପୋଷାକ, ଚମଡା, ହେଡଗିଅର, ସେରାମିକ୍ସ, କାର୍ପେଟ, ଅଟୋମୋବାଇଲ, ଅଟୋ ଯନ୍ତ୍ରାଂଶ ଭଳି ଉତ୍ପାଦ ସାମଗ୍ରୀ ରହିଛି । ୨୦୨୫ରେ ଅତିରିକ୍ତ ୨.୨ ଟାରିଫ ଲଗାଇଛି ଏହି ଦେଶ । ଯାହା ଶୂନ କୁ ଖସିବ । କୃଷି ଉତ୍ପାଦନ ସହଭାଗିତା ଜରିଆରେ କୃଷକଙ୍କ ଉତ୍ପାଦକତା ବୃଦ୍ଧି ଏବଂ ସେମାନଙ୍କୁ ବିଶ୍ୱ ଭାଲ୍ୟୁ ଚେନ ସହ ଯୋଡି ହେବା ଉପରେ ଗୁରୁତ୍ୱ ଦିଆଯିବ । ଶ୍ରମ କୈନ୍ଦ୍ରିକ କ୍ଷେତ୍ର ଗୁଡ଼ିକ ଉପରେ ଶୂନ ଟାରିଫ ଯୋଗୁ ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକର ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ଦିଗରେ ଏହା ସହାୟକ ହେବ । ବୟନ, ପୋଷାକ, ଚମଡା, ଫୁଟୱେର, ଜେମ୍‌ସ ଆଣ୍ଡ୍‌ ଜୁଏଲେରୀ, ଇଞ୍ଜିନିୟରିଂ ଉତ୍ପାଦ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ଭଳି କ୍ଷେତ୍ର ଏହା ଦ୍ୱାରା ଲାଭବାନ ହେବେ ।

ସରକାରଙ୍କ ଏଫ୍‌ଟିଏ ବିବୃତ୍ତି ଅନୁସାରେ, ଭାରତ ୭୦.୦୩% ଟାରିଫ ଲାଇନରେ ବଜାର ସୁବିଧା ପ୍ରଦାନ କରିଥାଏ । ଅନ୍ୟପଟେ ୨୯.୦୩% ଟାରିଫ ଲାଇନକୁ ବାଦ ଦିଆଯାଇଛି । ତ୍ୱରିତ ଭିତ୍ତିରେ ୩୦% ଉତ୍ପାଦ ଉପରେ ଟାରିଫ ଉଚ୍ଛେଦ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଉତ୍ପାଦ ଉପରେ ଟାରିଫ ଉଚ୍ଛେଦ ହୋଇଥାଏ । କାଠ, ପଶମ, ମେଣ୍ଡା ମାଂସ ଏବଂ ଚମଡା ଭଳି ସାମଗ୍ରୀରେ ତ୍ୱରିତ ଟାରିଫ ହଟିଯିବ । ସେହିଭଳି ପେଟ୍ରୋଲିୟମ ଏବଂ ଅନ୍ୟ କିଛି ବର୍ଗର ଉତ୍ପାଦ ଉପରେ ୩ରୁ ୧୦ ବର୍ଷ ଉପରେ ଟାରିଫ ହଟାଯିବ । କ୍ଷୀର, କ୍ରିମ, ଦହି, ଛେନା ସହ ବିଭିନ୍ନ ବର୍ଗର କୃଷିଜାତ ସାମଗ୍ରୀ ବଜାରକୁ ଭାରତ ସୁରକ୍ଷିତ ରଖିଛି । ଟାରିଫ ଯୁଦ୍ଧ ଯୋଗୁ ଗତ ବର୍ଷ ଆମେରିକା ସହ ଦେଶର ବାଣିଜ୍ୟିକ ତିକ୍ତତା ଉପୁଜିଥିଲା । ଏଭଳି ସ୍ଥିତିରେ ଭାରତ ବିଶ୍ୱର ବିକଳ୍ପ ବଜାର ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା । ଏହି କ୍ରମରେ ବିଭିନ୍ନ ଦେଶ ସହ ତ୍ୱରିତ ଭିତ୍ତିରେ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଫୋକସ କରିଛି ଦେଶ । ଏହା ଦ୍ବାରା ଦେଶ ରପ୍ତାନି ବୃଦ୍ଧି ଉପରେ ଫୋକସ କରାଯାଇଛି ।

ଅଧିକ ପଢନ୍ତୁ- ଦିନକୁ ୪ ହଜାର ରୁଟି ଖାଆନ୍ତି ଅମ୍ବାନି ପରିବାର, ଜାଣନ୍ତୁ କେତେ ଦରମା ନିଅନ୍ତି ରୋଷେୟା ?​​​​​​​