ଦାରିଙ୍ଗବାଡି,୩/୧: ଦାରିଙ୍ଗବାଡି ବ୍ଲକ ପରିସର ମଧ୍ୟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ଯୋଜନା ନେଇ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହି ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନରେନ୍ଦ୍ର ନାୟକ, ଜିଲ୍ଲା ସାମାଜିକ ସମୀକ୍ଷକ ଦୁଃଶାସନ ସିଂ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ଜିଲ୍ଲା ପରିଷଦ ସଭ୍ୟା ଦୀପିକା ମାଝୀ, ରଞ୍ଜନ ପ୍ରଧାନ ପ୍ରମୁଖ ଜନ ଶୁଣାଣିରେ ଉପସ୍ଥିତ ଥିଲେ।
ମନରେଗା ଯୋଜନାରେ ଏପ୍ରିଲ ୧ ତାରିଖ ଠାରୁ ସେପ୍ଟେମ୍ୱର ୩୦ ମଧ୍ୟରେ ହୋଇଥିବା ବିଭିନ୍ନ କାର୍ଯ୍ୟ ଉପରେ ପଞ୍ଚାୟତ ସ୍ତରରେ ହୋଇଥିବା ସମୀକ୍ଷାର ଆଜି ଶୁଣାଣି ହୋଇଥିଲା। ୬ ମାସ ମଧ୍ୟରେ ୨୫ଟି ପଞ୍ଚାୟତରେ ୧୭୨୯ ଗୋଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ୧୧୬୯ ଗୋଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ୨୨ ହଜାର ୬୭ ପରିବାର ଜବ କାର୍ଡ ପାଇଁ ରେଜିଷ୍ଟ୍ରେସନ କରିଥିବା ବେଳେ ୨୧ ହଜାର ୪୫୮ ଟି ଜବ କାର୍ଡ ଅନୁମୋଦନ ହୋଇଥିଲା। ୧୬ ହଜାର ୯୬୮ ପରିବାର କାମ ପାଇଁ ଆବେଦନ କରିଥିବା ବେଳେ ସମସ୍ତଙ୍କୁ କାର୍ଯ୍ୟ ପ୍ରଦାନ କରାଯାଇଥିଲା। ୮୩୯ ପରିବାର ୧୦୦ ଦିନର କାର୍ଯ୍ୟ କରିଛନ୍ତି।
ଏହି ଜନ ଶୁଣାଣିରେ ଲୋକେ କାମ କରିବା ପାଇଁ ଇଛୁକ ଥିବା ବେଳେ କାମ ଧନ୍ଦା ଯୋଗାଇ ଦେବାକୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିବା ବେଳେ ଲୋକେ କାମ କରି ବର୍ଷ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଲ ପାଇନଥିବା ନେଇ ଅଭିଯୋଗ ହୋଇଥିଲା। ଏଥି ସହିତ ନୂଆଁ ଗାଁ ସାଥୀ ନିଯୁକ୍ତି ନେଇ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। ସମୀକ୍ଷା ସମୟରେ ଦାରିଙ୍ଗବାଡି ବନାଞ୍ଚଳ ବିଭାଗ ପକ୍ଷରୁ କୌଣସି ରେକର୍ଡ ପତ୍ର ଭିଆରପି ମାନଙ୍କୁ ଦିଆ ଯାଇନଥିବା ବେଳେ ୭ ଦିନ ମଧ୍ୟରେ ରେକର୍ଡ ପ୍ରଦାନ କରିବା ପାଇଁ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏପିଓ କେଦାର ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ବ୍ଲକ ସାମାଜିକ ସମୀକ୍ଷକ ରତ୍ନାକର ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରା, ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରା, ମୃତ୍ତିକା ସଂରକ୍ଷଣ ବିଭାଗର ପିଆଇଏ ହୃଷୀକେଶ ପ୍ରଧାନ ଙ୍କ ସମେତ ସମସ୍ତ ପିଈଓ, ଏଡିଇଓ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଏହି ସଭାରେ ଉପସ୍ଥିତି ଥିଲେ।