ରେଢ଼ାଖୋଲ,୧୪/୦୮: ମୋବାଇଲ ସେବାରୁ ବଞ୍ଚିତ ହୋଇ ରହିଥିବା ନାକଟି ଦେଉଳ ବ୍ଲକର ଘୋଷରାମାଳ ପଞ୍ଚାୟତବାସୀ ଗୁରୁବାର ରେଢ଼ାଖୋଲ ଭୀମ ଭୋଇ କଲେଜ ଛକରେ ୫୫ନଂ ଜାତୀୟ ରାଜପଥ ଓ ୧୫୩(ବି)ରାଞ୍ଚି ବିଜୟୱାଡା ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ମୋବାଇଲ ସେବା ଯୋଗାଇ ଦେବାକୁ ଲୋକେ ଆନ୍ଦୋଳନ କରିଥିଲେ। ଘଟଣାସ୍ଥଳକୁ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ, ତହସିଲଦାର ପ୍ରଭାତ କୁମାର ବିଶ୍ୱାଳ, ଡ଼ିଏସପି ପ୍ରଶାନ୍ତ କୁମାର ମେହେର ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହା ସହ ବିଏସଏନଏଲ କର୍ମଚାରୀଙ୍କୁ ଡକାଇ ମୋବାଇଲ ସେବା ଯୋଗାଇ ଦେବାକୁ କାର୍ଯ୍ୟ କରିବାପାଇଁ ଘୋଷରା ମାଳ ପଞ୍ଚାୟତକୁ ପଠାଇବା ପରେ ଦିନ ପ୍ରାୟ ସାଢେ ୧୨ଟା ବେଳେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ଥିଲା ।
ତେବେ ଉତ୍ୟକ୍ତ ଜନସାଧାରଣ ଉକ୍ତ ପଞ୍ଚାୟତର ବିକାଶ ଦିଗରେ ଧ୍ୟାନ ଦେଉ ନଥିବା ଅଭିଯୋଗ କରିବା ସହିତ ମୋବାଇଲ ସେବା ଯୋଗାଇବାରେ ପ୍ରଶାସନ ବିଫଳ ହେଉଥିବାରୁ ଅନେକ ଲୋକ ସେମାନଙ୍କ ମୋବାଇଲ ଗୁଡିକୁ ରାଜରାସ୍ତାରେ କଚାଡି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା ।