କେନ୍ଦୁଝର, ୧୮।୫: କେନ୍ଦୁଝର ଜିଲ୍ଲାରେ ସକ୍ରିୟ ଥିବା ବେଆଇନ ବାଲି ମାଫିଆଙ୍କ ବିରୋଧରେ ପୁଲିସ ପ୍ରଶାସନ ପକ୍ଷରୁ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କେନ୍ଦୁଝର ପୁଲିସର ସ୍ପେସାଲ୍ ସ୍କ୍ୱାର୍ଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଏକକାଳୀନ ମେଗା ରେଡ୍ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଆନନ୍ଦପୁର, ଘଷିପୁରା, ହାଟଡିହି ଏବଂ ଘଟଗାଁ ଅଞ୍ଚଳର ପ୍ରାୟ ୧୨ଟି ସ୍ଥାନରେ ପୁଲିସ ବାଲି ମାଫିଆଙ୍କ ଆଡ୍ଡା ଓ ବାସଭବନ ଉପରେ ଚଢ଼ାଉ କରିଛି । ସକାଳ ୫ଟାରୁ ଜାରି ରହିଛି ରେଡ୍ ।

ବିପୁଳ ପରିମାଣର ନଗଦ ଟଙ୍କା ଓ ଜାଲ୍ ଦସ୍ତାବିଜ୍ ଜବତ:

ଏହି ବ୍ୟାପକ ଚଢ଼ାଉ ସମୟରେ ପୁଲିସ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଏବଂ ସାମଗ୍ରୀ ଲାଗିଛି । ମାଫିଆଙ୍କ ଘରୁ ୨୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯିବା ସହ ବାଲି ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ୩୦ରୁ ଅଧିକ ଗାଡ଼ିକୁ ପୁଲିସ ଜବତ କରିଛି । ଏହା ବ୍ୟତୀତ ବହୁ ସଂଖ୍ୟାରେ ବ୍ୟାଙ୍କ ପାସ୍ ବୁକ୍, ବୀମା କାଗଜପତ୍ର ଏବଂ ବାଲି ପରିବହନ ପାଇଁ ପ୍ରସ୍ତୁତ କରାଯାଇଥିବା ଏକାଧିକ ଜାଲ୍ ଦସ୍ତାବିଜକୁ ମଧ୍ୟ ପୁଲିସ ନିଜ ହେପାଜତକୁ ନେଇଛି ।

କାହା କାହା ଘରେ ଚାଲିଛି ରେଡ୍ ?

ପୁଲିସର ବିଭିନ୍ନ ଟିମ୍ ସୂଚନା ଆଧାରରେ ଚିହ୍ନଟ ହୋଇଥିବା ମାଫିଆଙ୍କ ଘର ଚଢ଼ାଉ ଜାରି ରଖିଛନ୍ତି । ହାଟଡହି ବ୍ଲକ୍ ନନ୍ଦିପଦା ଥାନା ଅନ୍ତର୍ଗତ ବଞ୍ଚୋ ଗାଁର ରତିକାନ୍ତ ରାଉତ, ଜଳକଳଙ୍ଗ ଗାଁର ସନ୍ତୋଷ ନାୟକ, ଏଲକଣିଆ ଗାଁର ଯୋଗେନ୍ଦ୍ର ବେହେରା ଏବଂ ଶାଳଣିଆଁ ଗାଁର ଗୁରୁବ୍ରତ ଖଣ୍ଡେଇଙ୍କ ଘରେ ସ୍ପେସାଲ ସ୍କ୍ୱାର୍ଡ ଖେଦା ଚଳାଇଛି । ଆନନ୍ଦପୁର ଥାନା ଅଞ୍ଚଳର ପ୍ରଭାବଶାଳୀ ବାଲି ମାଫିଆ ରାଜାପ୍ରଭୁ ଦାସଙ୍କ ଘରେ ଚଢ଼ାଉ ଜାରି ରହିଛି । ସେହିପରି ଘଷିପୁରା ଥାନା ଧକୋଠା ଗାଁର ଅଜିତ୍ ପୃଷ୍ଟି, ସୁଦର ସାହୁ ଏବଂ ଶାନ୍ତନୁ ନାୟକଙ୍କ ବାସଭବନରେ ପୁଲିସ ତଦନ୍ତ ଚଳାଇଛି । ଅନ୍ୟାନ୍ୟ ଅଞ୍ଚଳ ଯେପରିକି ବୀରଗୋବିନ୍ଦପୁର ଗାଁର ସୌମ୍ୟ ରଞ୍ଜନ ମହାପାତ୍ର ଏବଂ ଅମାରଙ୍ଗ ଗାଁର ସନ୍ତୋଷ ନାୟକଙ୍କ ଘରେ ମଧ୍ୟ ପୁଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

"ଦୀର୍ଘ ଦିନ ହେବ ଏହି ଅଞ୍ଚଳରେ ବେଆଇନ ଭାବେ ବାଲି ଖନନ ଓ ଚୋରା ଚାଲାଣ ନେଇ ଅଭିଯୋଗ ଆସୁଥିଲା । ଏହି ମାଫିଆମାନେ ଜାଲ୍ ଦସ୍ତାବିଜ୍ ପ୍ରସ୍ତୁତ କରି ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ ହାନି କରୁଥିଲେ । ବର୍ତ୍ତମାନ ସମସ୍ତ କାଗଜପତ୍ରର ଯାଞ୍ଚ ଚାଲିଛି ଏବଂ ଆଗକୁ ଏଥିରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ।" ଏହି ମେଗା ରେଡ୍ ପରେ ଜିଲ୍ଲାରେ ବେଆଇନ ଖଣିଜ ଓ ବାଲି କାରବାର ଉପରେ ବଡ଼ ପ୍ରତିବନ୍ଧକ ଲାଗିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରଶାସନର ଏଭଳି କଡ଼ା ଆଭିମୁଖ୍ୟକୁ ସ୍ଥାନୀୟ ଜନସାଧାରଣ ସ୍ୱାଗତ କରିଛନ୍ତି ।

ଆହୁରି ପଢ଼ନ୍ତୁ... Special Intensive Revision: ରାଜ୍ୟରେ ୩୦ରୁ ଘରକୁ ଘର ବୁଲିବେ ବିଏଲଓ, ହେଲେ ଏଯାଏ ମିଳିନି ବୁଥ୍ ଏଜେଣ୍ଟଙ୍କ ତାଲିକା