ଭୁବନେଶ୍ୱର,୨୬/୦୯:  ବିଭିନ୍ନ ଦାବି ନେଇ ଶୁକ୍ରବାର ଠାରୁ ଝାଡୁ ଛାଡ଼ ଆନ୍ଦୋଳନକୁ ଓହ୍ଲାଇବେ ସଫେଇ କର୍ମଚାରୀ ।  ଫଳରେ ସହରରେ ସଫେଇ କାମ ଠପ୍‌ ହୋଇଯିବ । ଆଗକୁ  ପୂଜା ଥିବା ବେଳେ ସଫେଇ କର୍ମୀଙ୍କ ଏଭଳି ଆନ୍ଦୋଳନ  ଡକରାକୁ ନେଇ ଚିନ୍ତାରେ ବିଏମ୍‌ସି । ଭୁବନେଶ୍ୱର ମୁନିସିପାଲିଟି  ସଫେଇ ମଜଦୁର ସଂଘ ପକ୍ଷରୁ ଏହି ଡକରା ଦିଆଯାଇଛି ।

ସଂଘ  ସଭାପତି ଅକ୍ଷୟ କୁମାର ରାଉତରାୟ କହିଛନ୍ତି ଯେ ଦୁର୍ଗାପୂଜା ପାଇଁ ସଫେଇ ସଂସ୍ଥା ପକ୍ଷରୁ ସବୁ କର୍ମଚାରୀଙ୍କୁ ୨୦ ପ୍ରତିଶତ ବୋନସ ପ୍ରଦାନ କରାଯାଉ । କର୍ମଚାରୀମାନଙ୍କୁ ନିଯୁକ୍ତିପତ୍ର ଏବଂ ଏକ ବର୍ଷରେ ଦରମା ସ୍ଲିପ୍‌ ଦେବାକୁ ସଂଘ ଦାବି କରିଛି । ସଂଘ ଦାବି କରିଛି ଯେ ପ୍ରାକୃତିକ ବିପର୍ଯ୍ୟୟ ତଥା ବର୍ଷା, ବାତ୍ୟାରେ ସଫେଇ କର୍ମଚାରୀ କାମ କରୁଛନ୍ତି । ହେଲେ ସେମାନଙ୍କୁ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉନି । ତେଣୁ ଯଥା ଶୀଘ୍ର ବିଏମ୍‌ସି ସେମାନଙ୍କୁ ରେନ୍‌କୋର୍ଟ ଏବଂ ଅନ୍ୟ ସୁରକ୍ଷା ଉପକରଣ  ଦେବାକୁ ଦାବି ହୋଇଛି । ଏନେଇ ଗତ ୧୫ ତାରିଖରେ ବିଏମ୍‌ସି  ଅଫିସ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ସଫେଇ କର୍ମୀ । ସେମାନଙ୍କୁ ୧୦ ଦିନ ସମୟ ଦିଆଯାଇଥିଲା । ହେଲେ ବୋନସ  ନ ମିଳିବାରୁ ସେମାନେ ଧାରଣାକୁ ଓହ୍ଲାଇବେ ବୋଲି ଚେତାବନୀ  ଦେଇଛନ୍ତି । ଦୁର୍ଗାପୂଜା ପକ୍ଷରୁ ସଫେଇକୁ ବିଏମ୍‌ସି ଗୁରୁତ୍ୱ  ଦେଇଛି । ସବୁ ୱାର୍ଡରେ ସଫେଇ ଜୋରଦାର କରିବାକୁ  ନିର୍ଦ୍ଦେଶ ଦିଆଯାଇଛି । ଏପରି ପରିସ୍ଥିତିରେ ଆନ୍ଦୋଳନ  ଡକରାକୁ ନେଇ ବିଏମ୍‌ସି ଚିନ୍ତାରେ ପଡ଼ିଛି । ସେପଟେ ଗୁରୁବାର ସନ୍ଧ୍ୟାରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ମଧ୍ୟ  ଫେରାଦ ହୋଇଛନ୍ତି ସଫେଇ କର୍ମୀ ।